ଝାଡ଼ାବାନ୍ତିରେ ମା’-ପୁଅଙ୍କ ଚାଲିଗଲା ଜୀବନ, ୩ ଗୁରୁତର

ବାଲିଗୁଡା:୨୯।୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବ୍ଲକ ଅଧୀନ ସୁତ୍ରା ପଞ୍ଚାୟତ ସିକାଟି ଗ୍ରାମରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ମା’ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଥିବା ଜଣାପଡିଛି । ସିକାଟି ଗ୍ରାମର ଲୋଚନ ମଳିକଙ୍କ ବୋହୁ ସୁକୁମାରୀ ମଳିକ ଓ ୧୨ ବର୍ଷର ନାତି ଆୟୁଷଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ସୁକୁମାରୀଙ୍କ ସ୍ବାମୀ ସୁଦର୍ଶନ ମଳିକ ଓ ତାଙ୍କ ସାନ ପୁଅ ଟିଣ୍ଟୁ(୧୮ ମାସ)ଙ୍କ ସମେତ ଶ୍ୱଶୁର ଲୋଚନ ମଳିକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।

ବୋହୁ ସୁକୁମାରୀ ମଲିକ ଗତ ୧୮ ତାରିଖରେ ଝାଡାବାନ୍ତିରେ ଆକ୍ରାନ୍ତ ହେବାରୁ ପରିବାର ଲୋକେ ତାଙ୍କୁ ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଠିକ ଏକ ସପ୍ତାହ ପରେ ୬ ବର୍ଷର ପୁଅ ଆୟୁଷ ମଲିକ ଝାଡା ବାନ୍ତିରେ ଆକ୍ରାନ୍ତ ହେବାରୁ ପ୍ରଥମେ ସୁତ୍ରା, ତା’ପରେ ବାରଖମା, ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ପରେ ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ପରିବାର ଲୋକେ ଆୟୁଷଙ୍କୁ ଘରକୁ ନେଇ ଆସିଥିଲେ। ହେଲେ ୨୫ ତାରିଖରେ ଆୟୁଷଙ୍କ ମୃତ୍ୟୁ ଘଟିଥିଲା। ସେହି ପରିବାରର ଲୋଚନ ମଲିକ ୬୫ ବର୍ଷ ଓ ଚିଣ୍ଟୁ ମଲିକ(୧୮ମାସ) ଝାଡାବାନ୍ତିରେ ଆକ୍ରାନ୍ତ ହେବା ଖବର ପାଇଁ ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଏକ ଟିମ୍‌ଙ୍କ ସମେତ ଆଶା ଓ ସ୍ବାସ୍ଥ୍ୟ କର୍ମୀ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଦୁଇ ଆକ୍ରାନ୍ତଙ୍କୁ ଚିକିତ୍ସା କରାଯାଇଥିବା ଡାକ୍ତର ଦେବୀ ପ୍ରସାଦ କହିଛନ୍ତି। ବର୍ତ୍ତମାନ ଆକ୍ରାନ୍ତମାନେ ସୁସ୍ଥ ଥିବା ସେ କହିଛନ୍ତି । ଜଙ୍ଗଲି ଛତୁ ଖାଇ କିମ୍ବା ପାଣି ଯୋଗୁ ଝାଡାବାନ୍ତି ହୋଇଥିବା ସେ ଆଶଙ୍କା ପ୍ରକାଶ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ସୁତ୍ରା ପଞ୍ଚାୟତରୁ ମାତ୍ର ୫ କିଲୋମିଟର ଦୂରରେ ଅବସ୍ଥିତ ସିକାଟି ଗାଁ। ହେଲେ ଗାଁ କୁ ପକ୍କା ରାସ୍ତା ନାହିଁ। ଫଳରେ ଆମ୍ବୁଲାନ୍ସ ଯିବା ସାତ ସପନ। ଫଳରେ କେହି ରୋଗରେ ପୀଡ଼ିତ ହେଲେ କିମ୍ବା ଗର୍ଭବତୀ ମାଆମାନଙ୍କୁ ଖଟିଆରେ ଭାର କରି ରାସ୍ତାକୁ ଆଣି ଅଟୋ କିମ୍ବା କୌଣସି ଗାଡ଼ିରେ ମେଡିକାଲ ନେବାକୁ ପଡିଥାଏ। ବର୍ତ୍ତମାନ ମଧ୍ୟ ଗାଁ ଲୋକେ ଚୁଆଁ ପାଣି ଉପରେ ନିର୍ଭର କରୁଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉ ନ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।

Share