Categories: ଫୁରସତ

ଜନ୍ମର ୪୨ ବର୍ଷ ପରେ ମା’-ପୁଅଙ୍କ ଭେଟ

ସାଣ୍ଟିଆଗୋ: ଜଣେ ମହିଳାଙ୍କ ପିଲା ଜନ୍ମ ହେବାର ୪୨ ବର୍ଷ ପରେ ସେ ଯଦି ତାଙ୍କୁ ପାଆନ୍ତି, ତେବେ ତା’ର ଖୁସି କିଛି ଅଲଗା ପ୍ରକାର ହୋଇଥାଏ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଚିଲିର ଭାଲ୍ଡିଭିଆରେ। ମାରିୟା ନାମକ ମହିଳା ଯେତେବେଳେ ତାଙ୍କ ପିଲାଙ୍କୁ ଜନ୍ମ ଦେଇଥିଲେ, ସେତେବେଳେ ସେଠାରେ ଉପସ୍ଥିତ ହସ୍ପିଟାଲ କର୍ମଚାରୀ ପିଲାଟିକୁ ନେଇଗଲେ। ପରେ ସେମାନେ ମହିଳାଙ୍କ ଛୁଆ ମରିଯାଇଥିବା ମିଛ କହିଥିଲେ। ଏବେ ୪ ଦଶକ ପରେ ମା’ ପୁଅ ସାମ୍ନାସାମ୍ନି ଭେଟ ହୋଇଛନ୍ତି। ଜିମି ଲେପର୍ଟ ଥେଡର୍ନ ତାଙ୍କ ମା’ ମାରିୟାଙ୍କୁ କୁଣ୍ଢେଇ ୪୨ ବର୍ଷର ଦୁଃଖ ସୁଖରେ ପରିଣତ ହୋଇଥିବା କହିଛନ୍ତି। ଜିମି ତାଙ୍କ ପରିବାରକୁ ଖୋଜିବାକୁ ଏପ୍ରିଲରୁ ଚେଷ୍ଟା କରୁଥିଲେ। ସେ ଏକ ଏନ୍‌ଜିଓର ଖବର ପଢିଲେ, ଯିଏ ପାଳିତ ଶିଶୁମାନଙ୍କୁ ତାଙ୍କ ପରିବାର ସହ ଭେଟ କରିବାରେ ସାହାଯ୍ୟ କରେ। ସେହି ସଂସ୍ଥା ଜାଣିବାକୁ ପାଇଲା ଯେ ଜିମି ଚିଲିର ରାଜଧାନୀ ସାଣ୍ଟିଆଗୋରେ ପ୍ରିମାଚ୍ୟୁୟର ଭାବେ ଜନ୍ମ ହୋଇଥିଲେ। ତାଙ୍କୁ ଇନ୍‌କ୍ୟୁବେଶନରେ ରଖାଯାଇଥିଲା। ହେଲେ ପରେ ମାରିୟାଙ୍କୁ ତାଙ୍କ ପିଲା ମରିଯାଇଥିବା କୁହାଯାଇଥିଲା। ଜିମି ଆମେରିକାରୁ ଏକ ସାକ୍ଷାତ୍‌କାରରେ କହିଛନ୍ତି, ତାଙ୍କୁ କୁହାଯାଇଥିଲା ଯେ ତାଙ୍କ ପରିବାର ସଦସ୍ୟ ମରି ଯାଇଛନ୍ତି। ହେଲେ କିଛି ମାସ ପୂର୍ବରୁ ସେ ତାଙ୍କ ପରିବାରରେ ମା’ ଓ ୪ ଭାଇ ଭଉଣୀ ଥିବା ଜାଣିବାକୁ ପାଇଲେ। ଜିମି ଜଣେ ଓକିଲ ହୋଇଥିବାବେଳେ ସେ ନିଜ ଭଳି ଅନ୍ୟ ଶିଶୁଙ୍କୁ ସାହାଯ୍ୟ କରନ୍ତି। ଏନ୍‌ଜିଓ ମୁତାବକ, ସେ ୧୯୭୦-୮୦ ଦଶକରେ ନିଜ ପରିବାରଠାରୁ ଅଲଗା ହୋଇଥିଲେ। ପୋଲିସ କହିବା ମୁତାବକ, ସେତେବେଳେ ଗରିବ ପରିବାରଙ୍କଠାରୁ ପିଲା ଚୋରି କରିନେଉଥିଲେ। ଯେତେବେଳେ ଜିମିଙ୍କ ଡିଏନ୍‌ଏ ଟେଷ୍ଟ କରାଗଲା, ସେତେବେଳେ ଜଣାପଡିଲା ଯେ ତାଙ୍କ ପରିବାର ଚିଲିରେ ରହୁଛନ୍ତି। ତାଙ୍କୁ ପାଳିତ ଭାବେ ରଖିଥିବା ପରିବାରଙ୍କ ପାଖରେ ମାରିୟାଙ୍କ ଠିକଣା ଥିଲା। ଏହାପରେ ଜିମି ସ୍ତ୍ରୀ ଏବଂ ୨ ଝିଅ ସହିତ ତାଙ୍କ ନିଜ ଘରେ ପହଞ୍ଚିଥିଲେ।

Share