Categories: ରାଜ୍ୟ

ନାବାଳକଙ୍କୁ ଚୋରିରେ ସାହାଯ୍ୟ କରୁଥିଲେ ମା, ମାଉସୀ

ଭୁବନେଶ୍ୱର,୧୫।୯(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଥାନା ଅଞ୍ଚଳ ସମେତ ଭଦ୍ରକ ଜିଲାରେ ଚୋରି କରୁଥିଲେ। ପରେ ଚୋରି ଜିନିଷକୁ ନିଜ ମା ଓ ଦୁଇ ମାଉସୀଙ୍କ ଜରିଆରେ ବିକ୍ରି କରୁଥିଲେ। ଏକ ଚୋରି ଘଟଣାର ତଦନ୍ତ କରୁଥିବା ଭରତପୁର ଥାନା ପୋଲିସ ସମ୍ପୃକ୍ତ ର଼୍ୟାକେଟର ମୁଖ୍ୟ ଅଭିଯୁକ୍ତ ନାବାଳକଙ୍କ ସମେତ ୬ ଜଣଙ୍କୁ ଧରିବା ପରେ ଏଭଳି ଘଟଣା ପଦାକୁ ଆସିଛି। ଚୋରି ର଼୍ୟାକେଟର ମୁଖ୍ୟ ଅଭିଯୁକ୍ତ ଥିବା ନାବାଳକଙ୍କୁ ପୋଲିସ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର ପରେ ବାଳସୁଧାର ଗୃହକୁ ପଠାଇଦେଇଛି। ଅନ୍ୟପଟେ ନାବାଳକଙ୍କୁ ଚୋରିରେ ସହାୟତା କରୁଥିବା ତାଙ୍କ ମା’ ଗଞ୍ଜାମର ମଞ୍ଜୁ ଡାକୁଆ, ଦୁଇ ମାଉସୀ ଆଶା ଡାକୁଆ ଓ ମିତିକା ଡାକୁଆଙ୍କ ସହ ଚୋରି ସାମଗ୍ରୀ କିଣିଥିବା ଦୁଇ ରିସିଭର ଗଜପତି ଜିଲାର ଲିକୁ ଶବର ଓ ପୁରୀ କୋଣାର୍କର ଲକ୍ଷ୍ମଣ କୁମାର ପରିଡାଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୧୭ ଗ୍ରାମ୍‌ ଓଜନର ହୀରାଖଚିତ ସୁନା ଅଳଙ୍କାର, ୨୫୦ ଗ୍ରାମ୍‌ ସୁନା ଅଳଙ୍କାର,୧୯୦ ଗ୍ରାମ୍‌ ରୁପା ଅଳଙ୍କାର, ଗୋଟିଏ ଟିଭି, ୪ ଲାପଟପ, ୩ ମୋବାଇଲ ଫୋନ, ଗ୍ୟାସ ସିଲିଣ୍ଡର ଆଦି ଜବତ ହୋଇଛି। ତେବେ ଗିରଫ ୫ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ପରେ ଜାମିନ ନ ମିଳିବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ପୋଲିସ ସୂଚନାନୁସାରେ, ମୁଖ୍ୟ ଅଭିଯୁକ୍ତ ନାବାଳକ ଜଣକ ଖୋଲା ଘର ଦେଖି ଭିତରକୁ ପଶିଯିବା ସହ ଲୋକଙ୍କୁ ବାହାରପଟୁ କବାଟ ଦେଇ ଅନ୍ୟ କୋଠରିରୁ ଚୋରି କରିଥାନ୍ତି। ଘଟଣାକ୍ରମରେ ନାବାଳକ ଜଣକ ସେପ୍ଟେମ୍ବର ୧୧ ଅପରାହ୍ନ ୪ଟାରେ ଭରତପୁର କୋଳଥିଆ ଅଞ୍ଚଳରେ ପରିବାର ସହ ରହୁଥିବା ଚିନ୍ମୟ କୁମାର ଦଳାଇଙ୍କ ଘରେ ପଶିଥିଲେ। ଚିନ୍ମୟଙ୍କ ସ୍ତ୍ରୀ ଓ ଝିଅ ଗୋଟିଏ ରୁମ୍‌ରେ ଥିବା ବେଳେ ନାବାଳକ ଜଣକ ପ୍ରଥମେ ସେମାନଙ୍କୁ ବାହାରପଟୁ କବାଟ ବନ୍ଦ କରିଦେଇଥିଲେ। ପରେ ଚିନ୍ମୟଙ୍କ ବାପା ରହୁଥିବା ଘରର କବାଟ ବନ୍ଦ କରି ତୃତୀୟ ଘରୁ ସୁନା ଅଳଙ୍କାର, ୭୦ ହଜାର ଟଙ୍କା ଚୋରି କରି ନେଇଥିଲେ। ଏନେଇ ଘର ମାଲିକ ଚିନ୍ମୟ କୁମାର ଦଳାଇ ଭରତପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଚଳାଇ ଅଭିଯୁକ୍ତଙ୍କୁ ଧରିଥିଲା।

Share