ଗାଡ଼ି ଧକ୍କାରେ ମା’, ଛୁଆ ଭାଲୁ ମୃତ

ରେଢାଖୋଲ,୨୬ା୧୨(ଡି.ଏନ.ଏ.): ରେଢାଖୋଲ-ବଡମାଲ ପୂର୍ତ୍ତ ବିଭାଗ ରାସ୍ତାର ବଂଶାଜାଲ ପୋଲ ନିକଟରେ ଗୁରୁବାର ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ମା’ ଓ ଛୁଆ ଭାଲୁର ମୃତ୍ୟୁ ହୋଇଛି। ଖବର ପାଇ ଚାରମାଳ ରେଞ୍ଜ ଅଧିକାରୀ ଦର୍ଶନିଆ ଭୋଇ ଓ ବନ କର୍ମଚାରୀ ପହଞ୍ଚତ୍ ଦୁଇଭାଲୁଙ୍କ ମୃତଦେହ ଉଦ୍ଧାର କରି ଚାରମାଳ ପଶୁ ଡାକ୍ତରଖାନା ଆଣିଥିଲେ। ପ୍ରାଣୀ ଚିକିତ୍ସକ ପ୍ରଦୀପ ସାହୁ ବ୍ୟବଚ୍ଛେଦ କରିବା ପରେ ବନ କର୍ମଚାରୀ ଚାରମାଳ ନର୍ସରୀରେ ପୋତିଦେଇଥିବା ଡିଏଫ୍‌ଓ ପ୍ରଦୀପ୍ତ ସାହୁ କହିଛନ୍ତି। ମା’ ଭାଲୁର ବୟସ ୨୫ ଓ ଛୁଆର ୫ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ରେଢାଖୋଲ ବନଖଣ୍ଡରେ କ୍ରମାଗତ ଭାବେ ଜଙ୍ଗଲ ଧ୍ୱଂସ ପାଉଥିବାରୁ ବନ୍ୟଜନ୍ତୁ ସୁରକ୍ଷିତ ନ ମଣି ଜନବସତି ଆଡକୁ ଚାଲିଆସୁଛନ୍ତି। ଏହି ସମୟରେ କେତେକ ଶିକାରୀ ହାବୁଡରେ ପଡୁଥିବାବେଳେ ଆଉ କେତେକ ରାଜପଥରେ ଗାଡିମୋଟର ଧକ୍କାରେ ମୃତ୍ୟୁବରଣ କରୁଛନ୍ତି।