ମା’ ବିରୋଧ କରିବାରୁ ମାଡ଼, ଝିଅ ଗିରଫ

ରାଜନଗର, ୨୦ା୬ (ଭାସ୍କର ରାଉତରାୟ): ଭିଣୋଇକୁ ବାହା ହେବାକୁ ଶାଳୀ ଜିଦ୍‌ ଧରିଛନ୍ତି। ରାଜନଗର ଥାନା ପୋଲିସ ସୂତ୍ରରୁ ପ୍ରକାଶ, ସ୍ଥାନୀୟ ଡିଆପାରି ଗାଁର ସରସ୍ବତୀ ସେଠୀଙ୍କ ଝିଅ ଲକି ତାଙ୍କର ଜଣେ ଭିଣୋଇଙ୍କୁ ବିବାହ କରିବାକୁ ଜିଦ୍‌ ଧରି ବସିଛନ୍ତି। ଏହାକୁ ମା’ ବିରୋଧ କରୁଥିବାରୁ ତାଙ୍କୁ ମାରି ଦେବାକୁ ଧମକ ଦେଇ ଝିଅ ସୋମବାର ସକାଳେ ତାଙ୍କ ତଣ୍ଟି ଚିପି କାନ୍ଥରେ ମୁଣ୍ଡକୁ ବାଡ଼େଇ ଦେଇଥିଲେ। ତାଙ୍କର ଚେତା ବି ଚାଲି ଯାଇଥିଲା। ସରସ୍ବତୀଙ୍କ ଚେତା ଫେରିବା ପରେ ଝିଅ ନାଁରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଦଫା ୩୪୧, ୩୨୩, ୩୦୭, ୨୯୪ରେ ନଂ. ୪୫୫/୨୩ରେ ମାମଲା ରୁଜୁ କରିଛି। ପୋଲିସ ଉଭୟ ମା’ ଓ ଝିଅଙ୍କୁ ବୟାନ ରେକର୍ଡ କରିଛି। ଏ ସମ୍ପର୍କରେ ଆଇଆଇସି ଶ୍ରୀକାନ୍ତ କୁମାର ବାରିକଙ୍କୁ ପଚାରିବାରୁ ଜଣେ ଭିଣୋଇଙ୍କୁ ବିବାହ ହେବାକୁ ଲକି ଚାହୁଁଛନ୍ତି। ଏ ନେଇ ପୂର୍ବରୁ ଥାନାରେ ଅଭିଯୋଗ ହୋଇଥିଲା। ମା’ ଓ ଜ୍ୱାଇଁଙ୍କ ଉପସ୍ଥିତିରେ ଉଭୟପକ୍ଷ ପରସ୍ପର କାହା ସହ କଥା ହେବେନି ବୋଲି ବୁଝାମଣା ହୋଇଥିଲା। ଥାନାରୁ ଫେରିବା ପରେ କାହିଁକି ଥାନାରେ ବୁଝାମଣା କଲୁ କହି ମା’ଙ୍କୁ ମାରି ଦେବାକୁ ଲକି ଉଦ୍ୟମ କରିଥିଲେ। ଝିଅ ଲକିଙ୍କୁ ପୋଲିସ ଗିରଫ କରିଛି। ମହିଳା ସବଇନ୍ସପେକ୍ଟର ଅନୁସୂୟା ନାୟକଙ୍କୁ ତଦନ୍ତ ଭାର ଦିଆଯାଇଛି ବୋଲି ଆଇଆଇସି ବାରିକ କହିଛନ୍ତି।

Share