Categories: ଜାତୀୟ

ବଳାତ୍କାର ଅଭିଯୋଗ ଆଣିଲେ ମା’

ଶାହାଜହାନପୁର, ୭ା୩: ପୁଅ ବାପାଙ୍କ ପରିଚୟ ମାଗିବା ପରେ ବଳାତ୍କାରର ଶିକାର ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ମା’। ଉତ୍ତରପ୍ରଦେଶର ଶାହାଜହାନପୁରଠାରେ ଏଭଳି ଘଟଣା ସାମ୍‌ନାକୁ ଆସିଛି। ପ୍ରାୟ ୨୭ ବର୍ଷ ପରେ ଏ ନେଇ ୨ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି।
ସୂଚନା ଅନୁଯାୟୀ, ମହିଳା ଜଣକ ୧୨ ବର୍ଷର ହୋଇଥିବାବେଳେ ତାଙ୍କ ଭଉଣୀ ଭିଣୋଇଙ୍କ ପାଖରେ ରହୁଥିଲେ। ଏକଦା ଘରେ କେହି ନ ଥିବାର ସୁଯୋଗ ନେଇ ନାକି ହାସନ ନାମକ ଜଣେ ଯୁବକ ଓ ନାକିଙ୍କ ସାନ ଭାଇ ଗୁଡୁ ତାଙ୍କୁ ବଳାତ୍କାର କରିଥିଲେ। ମହିଳା ଜଣକ ଅନେକ ଥର ଉଭୟଙ୍କ ଦ୍ୱାରା ବଳାତ୍କାରର ଶିକାର ହୋଇଥିଲେ। ୧୩ ବର୍ଷର ହୋଇଥିବାବେଳେ ସେ ଗର୍ଭବତୀ ହୋଇଥିଲେ। ୧୯୯୪ରେ ସେ ଜଣେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ନବଜାତକକୁ ପଡୋଶୀ ଉଦ୍ଧାମପୁର ଗ୍ରାମରେ ଜଣେ ସମ୍ପର୍କୀୟଙ୍କୁ ଦେଇ ପୀଡ଼ିତା ତାଙ୍କ ଭଉଣୀ ଭିଣୋଇଙ୍କ ସହ ରାମପୁର ପଳାଇଆସିଥିଲେ। ପରେ ଗାଜିପୁର ଜିଲାରେ ମହିଳାଙ୍କ ବିବାହ ହୋଇଥିଲା। ବାହାଘରର ୧୦ ବର୍ଷ ପରେ ମହିଳା ଜଣକ ବଳାତ୍କାରର ଶିକାର ହୋଇଥିବା ଜାଣିବା ପରେ ତାଙ୍କ ସ୍ବାମୀ ତାଙ୍କୁ ଛାଡ଼ପତ୍ର ଦେଇଥିଲେ। ଏହା ପରେ ମହିଳା ଜଣକ ଉଦ୍ଧାମପୁର ଫେରି ଆସିଥିଲେ। ସେଠାରେ ଛୋଟ ବେଳୁ ଥିବା ତାଙ୍କ ପୁଅ ମା’ଙ୍କ ପରିଚୟ ପାଇଥିଲେ। ମା’ଙ୍କୁ ବାପାଙ୍କ ବିଷୟରେ ପଚାରିବାରେ ସେ ପୂର୍ବରୁ ବଳାତ୍କାରର ଶିକାର ହୋଇଥିବା ପୁଅଙ୍କୁ ଜଣାଇଥିଲେ। ଏ ନେଇ ସଦର ବଜାର ପୋଲିସ ଷ୍ଟେଶନରେ ମହିଳା ଜଣକ ଅଭିଯୋଗ କରିଥିଲେ। ପୋଲିସ ପ୍ରଥମେ ଅଭିଯୋଗ ନ ରଖିବାରୁ ମହିଳା ଜଣକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଘଟଣାରେ ୨ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ମହିଳାଙ୍କଠାରୁ ଜନ୍ମ ନେଇଥିବା ୨୭ ବର୍ଷୀୟ ପୁଅଙ୍କ ଡିଏନ୍‌ଏ ଟେଷ୍ଟ କରାଯିବ ବୋଲି ପୋଲିସ କହିଛି।

Share