ଅମୂଲ ପରେ ଏବେ ମଦର ଡାଏରୀ ବଢ଼ାଇଲା ଦୁଗ୍ଧ ଜାତୀୟ ଖାଦ୍ୟର ଦାମ୍‌

ନୂଆଦିଲ୍ଲୀ,୧୦।୭: ଅମୂଲ ପରେ ଏବେ ମଦର ଡାଏରୀ ଦିଲ୍ଲୀ ଏନ୍‌ସିଆରରେ ସମସ୍ତ ଦୁଗ୍ଧ ଜାତୀୟ ଖାଦ୍ୟର ମୂଲ୍ୟ ବୃଦ୍ଧି କରିଛି। ପ୍ରତି ଲିଟର ପିଛା ଦୁଗ୍ଧର ମୂଲ୍ୟ ୨ଟଙ୍କା ବୃଦ୍ଧି କରିଛି ମଦର ଡାଏରୀ। ଜୁଲାଇ ୧୧ରୁ ଏହି ନୂଆ ଦର ଲାଗୁ ହେବ। ତେବେ ଦେଢ଼ ବର୍ଷ ପରେ ଏହି ଦୁଗ୍ଧର ଦାମ୍‌ ବୃଦ୍ଧି କରାଯାଇଛି ବୋଲି ମଦର ଡାଏରୀ ପକ୍ଷରୁ କୁହାଯାଇଛି। ତେବେ ନୂଆ ଦର ଅନୁଯାୟୀ ଟୋକନ ମିଲ୍କ ଏବେ ଲିଟର ପିଛା ୪୪ଟଙ୍କାରେ ଉପଲବ୍ଧ ହେବ। ସେହିପରି ଫୁଲ୍‌ କ୍ରୀମ୍‌ ଲିଟର ପିଛା ୫୭ ଟଙ୍କାରେ ବିକ୍ରି ହେବାକୁ ଥିବା ବେଳେ ଫୁଲ କ୍ରୀମ୍‌ ପ୍ରିମିୟମ୍‌ ଅଧା ଲିଟର ପିଛା ୨୯ଟଙ୍କାରେ ଉପଲବ୍ଧ ହେବ। ସେହିପରି ଟୋନ୍ଡ ମିଲ୍କ ପ୍ରତି କିଲୋଗ୍ରାମ୍‌ ପିଛା ୪୭ ଟଙ୍କା ଓ ପ୍ରତି ଅଧା କିଲୋଗ୍ରାମ୍‌ ପିଛା ୨୪ଟଙ୍କା ଏବଂ ଡବଲ ଟୋନ୍ଡ ମିଲ୍କ ପ୍ରତି ଲିଟର ପିଛା ୪୨ଟଙ୍କା ଓ ଅଧା ଲିଟର ପିଛା ୨୧ ଟଙ୍କା ନିର୍ଦ୍ଧାରଣ କରାଯାଇଛି। ତେବେ ଗାଇର ଦୁଗ୍ଧ ୪୯ଟଙ୍କା ପ୍ରତି ଲିଟର ଓ ଅଧା ଲିଟର ୨୫ଟଙ୍କାରେ ମିଳିବ। ଦରଦାମ୍‌ର ଅହେତୁକ ବୃଦ୍ଧି ଯୋଗୁ କମ୍ପାନୀ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଗତ ୧ ବର୍ଷ ମଧ୍ୟରେ ପ୍ରୋସେସିଂ, ପ୍ୟାକେଜିଂ ଓ ଲଜିଷ୍ଟିକ୍‌ ସମେତ କୃଷିଜାତ ଦ୍ରବ୍ୟର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଦେଶରେ ଜାରି ରହିଥିବା କରୋନା ମହାମାରୀ ଯୋଗୁ ଦୁଗ୍ଧ ଉତ୍ପାଦନ ମଧ୍ୟ ପ୍ରଭାବିତ ହୋଇଛି। ଏହା ସତ୍ତ୍ୱେ ଦୀର୍ଘ ଦିନରୁ ଦୁଗ୍ଧର ମୂଲ୍ୟ ବୃଦ୍ଧି କରାଯାଇ ନ ଥିଲା। ତେବେ ଲଗାତର ଭାବେ ଖର୍ଚ୍ଚର ଭାର ବଢ଼ିବାରୁ ଏହାର ଦର ବୃଦ୍ଧି କରିବାକୁ କମ୍ପାନୀ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି ମଦର ଡାଏରୀ କହିଛି। ସୂଚନାଯୋଗ୍ୟ, ମଦର ଡାଏରୀ ଦିଲ୍ଲୀ ଓ ଏନ୍‌ସିଆରରେ ପ୍ରତିଦିନ ୩୦ଲକ୍ଷ ଲିଟରରୁ ଅଧିକ ଦୁଗ୍ଧ ବିକ୍ରି କରିଥାଏ। କିନ୍ତୁ କରୋନା ଯୋଗୁ ଏହା ପ୍ରଭାବିତ ହୋଇଛି।

Share