ମାସ୍କ ପିନ୍ଧି ନ ଥିବା ମହିଳାଙ୍କୁ ତାଗିଦ୍‌: ପୋଲିସକୁ ମିଳିଲା ଶକ୍ତ ଚଟକଣା

ଭୋପାଳ,୧୮।୫: ଦେଶରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଦେଶରେ ଆତଙ୍କ ଖେଳାଇଥିବା ବେଳେ ଏବେ ବି ଲୋକେ ଚେତୁନାହାନ୍ତି। କରୋନା ବିରୋଧରେ ଲଢ଼େଇ ପାଇଁ ଯେଉଁଠି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହ ମାସ୍କ ପରିଧାନକୁ ଜରୁରୀ ବୋଲି କହୁଛନ୍ତି, ସେଠାରେ ଲୋକେ ଏବେ ବି ଏହାର ଭୟାବହତାକୁ ବୁଝିପାରୁନାହାନ୍ତି। ଏଥିସହ ସଠିକ୍‌ ଭାବେ ମାସ୍କ ପରିଧାନ କରୁନାହାନ୍ତି। କେବଳ ସେତିକି ନୁହେଁ ଧରାପଡ଼ିଲେ ସେମାନଙ୍କ ଆଚରଣ ଓ ବ୍ୟବହାର ସମସ୍ତଙ୍କୁ ଚକିତ କରିଦେବାଭଳି। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ। ମଧ୍ୟପ୍ରଦେଶ ସାଗର ଜିଲାର ରୋହଲି ଥାନା ଅଞ୍ଚଳରେ ଲକ୍‌ଡାଉନ ଜାରି ରହିଥିବା ବେଳେ ଜଣେ ମା’ ଝିଅ ମାସ୍କ ନ ପିନ୍ଧି ରାସ୍ତାରେ ବୁଲୁଥିଲେ। ପୋଲିସ ସେମାନଙ୍କୁ ଅଟକାଇ ତାଗିଦ୍‌ କରିବା ସହ ଚାଲାନ କାଟିବାକୁ କହିଥିଲା। ଏହାକୁ ନେଇ ମା’ ଝିଅ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। କଥା ଏତେ ଦୂର ବଢ଼ିଯାଇଥିଲା ଯେ, ପୋଲିସ ଓ ସେମାନଙ୍କ ଭିତରେ ଧସ୍ତାଧସ୍ତି ହୋଇଥିଲା। ମା’ଝିଅ ମିଶି ମହିଳା କନେଷ୍ଟବଳକୁ ଶକ୍ତ ଚଟକଣା ମାରିଥିବା ଅଭିଯୋଗ ହୋଇଛି। ଏହାର ପାଲଟା ଜବାବରେ ମହିଳା ପୋଲିସକର୍ମୀ ମଧ୍ୟ ତାଙ୍କୁ ଚାପୁଡ଼ା ମାରିବା ସହ ତଳେ ପକାଇଦେଇଥିଲେ। ବହୁ ସମୟ ଧରି ରାସ୍ତା ମଝିରେ ଉଭୟଙ୍କ ମଧ୍ୟରେ ହଙ୍ଗମା ଚାଲିଥିଲା। ଘଟଣାସ୍ଥଳରେ ଥିବା ପୋଲିସ ସେମାନଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ। ପରେ ଏହି ଘଟଣାରେ ପୋଲିସ ମା’ଝିଅଙ୍କ ବିରୋଧରେ ବିଭିନ୍ନ ଧାରାରେ ମାମଲା ରୁଜୁ କରି ଜେଲ୍‌ ପଠାଇଦେଇଥିବା ଜଣାପଡ଼ିଛି।

Share