Categories: ଜାତୀୟ

ମା’ଙ୍କୁ ମିଳିଲାନି ମାତୃକାଳୀନ ଛୁଟି: ହାଇକୋର୍ଟ ଗଲେ ୩ ମାସର ଶିଶୁ

ନୂଆଦିଲ୍ଲୀ,୬।୫: ଦିଲ୍ଲୀ ନଗର ସମିତି(ଏନଡିଏମସି) ରେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କୁ ମାତୃକାଳୀନ ଛୁଟି ନ ମିଳିବାରୁ ତାଙ୍କ ୩ ମାସର ଶିଶୁ ନ୍ୟାୟ ପାଇଁ ଦିଲ୍ଲୀ ହାଇକୋର୍ଟରେ ଯାଇଛନ୍ତି। ଶିଶୁଟି ପକ୍ଷରୁ ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ, ଏନଡିଏମସି ନିୟମ ଦର୍ଶାଇ ଆବେଦନକାରୀଙ୍କ ମାଆଙ୍କୁ ମାତୃତ୍ୱ ଛୁଟି ଦେବାକୁ ମନା କରିଦେଇଥିଲେ। ଏହି ପିଟିଶନର ଶୁଣାଣି କରି ଜଷ୍ଟିସ ନଜମୀ ୱାଜିରୀ ଏବଂ ଜଷ୍ଟିସ ସ୍ବର୍ଣ୍ଣ କାନ୍ତ ଶର୍ମାଙ୍କର ଏକ ବେଞ୍ଚ୍‌ ଦୁଇ ସପ୍ତାହ ମଧ୍ୟରେ ଏନେଇ ଏନଡିଏମସିକୁ ଏହାର ଜବାବ ଦେବା ପାଇଁ ଶେଷ ସୁଯୋଗ ଦେଇଛନ୍ତି। କାରଣ ମାର୍ଚ୍ଚ ମାସରେ କୋର୍ଟଙ୍କ ଦ୍ୱାରା ନୋଟିସ୍‌ ଜାରି କରିବା ସତ୍ତ୍ୱେ ଏନଡିଏମସି ପକ୍ଷରୁ କୌଣସି ଜବାବ ଦିଆଯାଇ ନାହିଁ।
ଜଷ୍ଟିସ ନଜମୀ ୱାଜିରୀ ଏବଂ ଜଷ୍ଟିସ ସ୍ବର୍ଣ୍ଣ କାନ୍ତ ଶର୍ମାଙ୍କ ଏକ ବେଞ୍ଚ କହିଛନ୍ତି, ଏହା ନିରାଶାଜନକ ବିଷୟ। ପ୍ରତିଦିନ ଏକ ଛୋଟ ପିଲା ମାଆର ଯତ୍ନରୁ ବଞ୍ଚିତ ହେଉଛି କିନ୍ତୁ ତଥାପି ଏନଡିଏମସି ଏହାର ପ୍ରତିକ୍ରିୟା ଦେଇନାହିଁ। ହାଇକୋର୍ଟ ବେଞ୍ଚ ଏନଡିଏମସିକୁ ଉପରେ ୨୫,୦୦୦ ଟଙ୍କା ଜୋରିମାନା ଲାଗୁ କରି ଶୁଣାଣି ମେ ୧୭ ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖିଛନ୍ତି।

Share