ମା’ର ମମତା: ୫ ବର୍ଷର ରୋଗୀଣା ପୁଅକୁ ଦେଖିବାକୁ ୧୮ଶହ କିଲୋମଟିର ଗାଡ଼ି ଚଳାଇ ପହଞ୍ଚିଲେ ମହିଳା

ଜାମସେଦପୁର,୨୮।୭: କୁହାଯାଏ ମା’ର ମମତା ସବୁଠାରୁ ନିଆରା। ସେ ନିଜ ପିଲାର ସୁରକ୍ଷା ପାଇଁ ସାତ ସମୁଦ୍ର ତେର ନଈ ପାର କରିପାରେ। ଏବେ ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଜାମସେଦପୁରରେ। କରୋନା ସଂକ୍ରମଣ ପାଇଁ ସାରା ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ନିଜ ୫ ବର୍ଷର ରୋଗୀଣା ପୁଅକୁ ଦେଖା କରିବାକୁ ଜଣେ ୨୬ ବର୍ଷର ମହିଳା ମହାରାଷ୍ଟ୍ରରୁ ଝାଡ଼ଖଣ୍ଡ ଦୁଇ ଚକିଆ ଗାଡ଼ି ଚଳାଇ ଚାଲି ଆସିଛନ୍ତି। ସୂଚନାଯୋଗ୍ୟ, କମଦା ସ୍ଥିତ ଭାଟିଆ ବସ୍ତିରେ ରହୁଥିବା ସୋନିଆ ଦାସ ଲକ୍‌ଡାଉନ ପାଇଁ ରୋଜଗାର ହରାଇଛନ୍ତି। ହେଲେ ଏପଟେ ତାଙ୍କ ସ୍ବାମୀଙ୍କ ସହ ରହୁଥିବା ୫ ବର୍ଷର ପୁଅ ଜ୍ୱରରେ ପୀଡ଼ିତ ଥିବା ଜଣାପଡିବା ପରେ ସେ ପୁଅକୁ ଦେଖିବାକୁ ତାଙ୍କ ସାଥି ସବିୟା ବାନୋଙ୍କ ସହ ମିଶି ଏକ ଦୁଇ ଚକିଆ ଗାଡ଼ିରେ ପୁଣେରୁ ଆସି ଜାମସେଦପୁରରେ ପହଞ୍ଚିଥିଲେ। ସେଠାରେ ପ୍ରଥମେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ଜାମସେଦପୁର ଡିଏସ୍‌ପି ଅରବିନ୍ଦ କୁମାର କହିଛନ୍ତି ପ୍ରଥମେ ଉଭୟ ମହିଳାଙ୍କ ଆଣ୍ଟିଜେନ୍‌ ଟେଷ୍ଟ କରାଯାଇଥିଲା। ଏହା ନେଗେଟିଭ ଆସିବା ପରେ ଏବେ ଏମାନଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି। ସୋନିଆ କହିଛନ୍ତି ସେ ଉଭୟ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ସରକାରଙ୍କୁ ଏ ନେଇ ସାହାଯ୍ୟ ମାଗିଥିଲେ ମଧ୍ୟ କୌଣସି ସହଯୋଗ ନ ମିଳିବାରୁ ସେ ଟୁ ହ୍ବିଲରରେ ଘରକୁ ଫେରିବାକୁ ସ୍ଥିର କରିଥିଲେ। ବାଟରେ ଆସିବା ସମୟରେ ଦୀର୍ଘ ୫ ଦିନ ଭିତରେ ସେ ୧୦ଟି ପେଟ୍ରୋଲ୍‌ ପମ୍ପ ଓ ୫ଟି ଢାବାରେ ବିଶ୍ରାମ ନେଇଥିବା ପ୍ରକାଶ କରିଛନ୍ତି। ତେବେ ସେ କ୍ୱାରାଣ୍ଟାଇନ ସେଣ୍ଟର ଯିବା ପୂର୍ବରୁ ୫ ବର୍ଷର ପୁଅ ଓ ପରିବାର ସଦସ୍ୟଙ୍କୁ ବାଲକୋନିରୁ ଦେଖିଥିବା ପ୍ରକାଶ କରିଛନ୍ତି।

Share