କୂଅରୁ ଉଦ୍ଧାର ପରେ ଛୁଆକୁ ନେଉନି ମା’ ହାତୀ

ଚମ୍ପୁଆ/ଯୋଡ଼ା,୨୪ା୧୦(ଡି.ଏନ.ଏ.): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅଧୀନ ବସନ୍ତପୁର ପଞ୍ଚାୟତର ନେଧିଗୋଠରେ ଗତ ଶନିବାର କୂଅରେ ପଡ଼ିଯାଇଥିବା ହାତୀ ଛୁଆକୁ ବନ ବିଭାଗ ଜେସିବି ସହାୟତାରେ ୩ ଘଣ୍ଟା ପରିଶ୍ରମ କରି ଉଦ୍ଧାର କରିଥିଲା। ଦିନସାରା ବନ ବିଭାଗ ହାତୀ ଛୁଆକୁ ଆବଶ୍ୟକ ଖାଦ୍ୟ ପାନୀୟ ଦେଇ ରଖିଥିଲା। ସନ୍ଧ୍ୟାରେ ବନ କର୍ମଚାରୀ ନିକଟସ୍ଥ ଜଙ୍ଗଳରେ ହାତୀଛୁଆକୁ ଛାଡ଼ି ନଜର ରଖିଥିଲେ। ହେଲେ ମା ହାତୀ ଛୁଆଙ୍କୁ ନେଇ ନ ଥିବା ଜଣାପଡିଛି।

ଅନ୍ୟପକ୍ଷେ ରବିବାର ଉକ୍ତ ସ୍ଥାନକୁ ହାତୀଛୁଆଟି ପୁଣି ଫେରି ଆସିଥିବା ଦେଖିବାକୁ ମିଳିଥିଲା। ଫଳରେ ହାତୀ ଛୁଆଟିକୁ କିପରି ମା’ ପାଖକୁ ଛଡ଼ାଯିବ ସେନେଇ ଚିନ୍ତାରେ ପଡ଼ିଛି ବନ ବିଭାଗ। ନିକଟସ୍ଥ ଜଙ୍ଗଲରେ ହାତୀପଲ ରହିଛନ୍ତି। କେଉଁପଲରେ ଉକ୍ତ ହାତୀ ଛୁଆର ମା’ ରହିଛି ତାହା ଜାଣିବା କଷ୍ଟକର ବ୍ୟାପାର ହୋଇଥିବା ବେଳେ ବନ ବିଭାଗ ପକ୍ଷରୁ ଖୋଜିବା କାର୍ଯ୍ୟ ଚାଲୁ ରହିଛି।