ଘର ବାରଣ୍ଡାରେ ବସିଥିବା ବେଳେ ହେଲା ବଜ୍ରପାତ: ଶାଶୁଙ୍କ ଜୀବନ ଗଲା, ଜ୍ୱାଇଁ ଗୁରୁତର

ଦିଗପହଣ୍ଡି,୧୫ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ଝାଟିପିଟିଆ ଗ୍ରାମ ଦଳିତ ସାହିରେ ବଜ୍ରପାତ ଘଟିବାରୁ ଜାନକୀ ନାଇକ ନାମ୍ନୀ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ଏବଂ ତାଙ୍କ ଜ୍ବାଇଁ ଟୁକୁନା ନାଇକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଶନିବାର ଅପରାହ୍ନରେ ଶାଶୁ ଜାନକୀ ଏବଂ ତାଙ୍କ ଜ୍ବାଇଁ ଟୁକୁନା ଘର ବାରଣ୍ଡାରେ ବସି କଥାବାର୍ତ୍ତା ହେଉଥିବା ବେଳେ ଆକସ୍ମିକ ବର୍ଷା ପବନ ହୋଇଥିଲା। ପରେ ଘର ବାରଣ୍ଡାରେ ବଜ୍ରପାତ ହେବାରୁ ଉଭୟେ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ। ପରିବାର ଲୋକେ ଏବଂ ପଡ଼ୋଶୀ ଉଭୟଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଜାନକୀଙ୍କୁ ମୃତଘୋଷଣା କରିଥିବା ବେଳେ ଟୁକୁନାଙ୍କୁ ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାପଡ଼ିଛି। ଖବରପାଇ ଦିଗପହଣ୍ଡି ପୋଲିସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଜାନକୀଙ୍କ ମୃତଦେହ ଜବତ କରି ଥାନାରେ କେସ୍‌ ନଂ.୮/୨୪ରେ ଏକ ମାମଲା ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛି। ରବିବାର ସକାଳେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ କହିଛି।