ବୋହୂ ଋଣ ପାଇଁ ଶାଶୁଙ୍କୁ ତାଲା

ରାଜକନିକା,୨୭ା୫ (ଡି.ଏନ୍‌.ଏ.): ରାଜ୍ୟ ସରକାର ମିଶନ ଶକ୍ତି ଯୋଜନାରେ ମହିଳାଙ୍କୁ ସ୍ବାବଲମ୍ବୀ କରିବା ଲାଗି ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଜରିଆରେ କମ୍‌ ସୁଧ ହାରରେ ବ୍ୟାଙ୍କ ଋଣ ଯୋଗାଇ ଦେଉଛନ୍ତି। ଏହି ଋଣ ଅର୍ଥକୁ ମହିଳାମାନେ ବିନିଯୋଗ କରି ଛେଳି, ମେଣ୍ଢା, କୁକୁଡା, ମାଛ ଚାଷ, ଛତୁ, ଛତୁଆ, ମଧ୍ୟାହ୍ନଭୋଜନ, ପାମ୍ପଡ, ବଡି, ଧୂପକାଠି ଆଦି ତିଆରି କରି ଅର୍ଥ ରୋଜଗାର କରିପାରିବେ। ହେଲେ କେତେକ ଏସ୍‌ଏଚ୍‌ଜି ଏହି ଅର୍ଥକୁ ନେଇ ମହାଜନୀ ବ୍ୟବସାୟ ଚଳାଇଛନ୍ତି। ସେମାନେ ଅର୍ଥକୁ ଚାଷୀ ଓ ମହିଳାଙ୍କୁ ଋଣ ଆକାରରେ ଦେଇ ସୁଧ ଆଦାୟ କରୁଛନ୍ତି। ଏଭଳି ଏକ ଘଟଣା କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳରେ ଗୁରୁବାର ଦେଖିବାକୁ ମଳିଛି। ଏକ ଏସ୍‌ଏଚ୍‌ଜିର ମହିଳାମାନେ ଜଣେ ମହିଳାଙ୍କୁ ଋଣ ଦେଇଥିଲେ। ସେ ଋଣ ଟଙ୍କା ପରିଶୋଧ ଠିକ୍‌ ସମୟରେ ନ କରିବାରୁ ତାଙ୍କ ଶାଶୁଙ୍କୁ ୪ ଘଣ୍ଟାରୁ ଅଧିକ ସମୟ ଘରେ ତାଲା ପକାଇ ରଖିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ପୋଲିସ ପହଞ୍ଚତ୍ ତାଲା ଭାଙ୍ଗି ଶାଶୁଙ୍କୁ ଉଦ୍ଧାର କରିଛି। ଏଭଳି ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି। କାରଣ ଋଣଗ୍ରହୀତା ଘରେ ନ ଥିବା ବେଳେ ତାଙ୍କୁ ଶାଶୁଙ୍କୁ ଏଭଳି ନିର୍ଯାତନା ଦେବା ଠିକ୍‌ ନୁହେଁ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ, ରାଜକନିକା ଥାନା ଗଞ୍ଜା ଗଁାର ଏକ ଏସ୍‌ଏଚ୍‌ଜିଠାରୁ ବୋହୂ ପୂଜା ରାୟ ଋଣ ନେଇ ବାହାରେ ରହୁଛନ୍ତି। ଏହି ଋଣ ଟଙ୍କା ପରିଶୋଧ ହୋଇ ପାରୁ ନ ଥିବାରୁ ସମିତିର ସଭାପତି ପୂଜାଙ୍କୁ ଖୋଜିଥିଲେ। ପୂଜାଙ୍କୁ ନ ପାଇ ତାଙ୍କ ଶାଶୁ ସରସ୍ବତୀଙ୍କୁ ମାଡ଼ ମାରି ଏକ ଘରେ ତାଲା ପକାଇ ରଖିଥିଲେ। ଖବରପାଇ ପୋଲିସ ତାଙ୍କୁ ଉଦ୍ଧାର କରିଛି। ଏ ନେଇ ଥାନାରେ ୨୯୪/୩୨୩/୩୪୨/୫୦୬ ଆଇପିସିରେ ଏକ ମାମଲା (ନଂ.୧୬୦/୨୨) ରୁଜୁ ହୋଇଛି। ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

Share