ଜୁନାଗଡ଼,୧୮।୯(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ବଣିଜରା ଗ୍ରାମରେ ପୋଲିସ ଶନିବାର ଜଣେ ନବ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ମୃତା ମହିଳାଙ୍କ ନାମ ପଦ୍ମିନୀ ରାଉତ(୧୮) ବୋଲି ଜଣାପଡିଛି। ଏପଟେ ଝିଅକୁ ହତ୍ୟା କରାଯାଇଥିବା ନେଇ ପଦ୍ମିନୀଙ୍କ ବାପା ଜ୍ୱାଇଁଙ୍କ ପରିବାର ଲୋକଙ୍କ ନାମରେ ଜୁନାଗଡ଼ ଥାନାରେ ଏତଲା ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ଗତ ଏପ୍ରିଲ ୨୭ ତାରିଖରେ ବଣିଜରା ଗ୍ରାମର ଜନ୍ମେଜୟ ମାଝୀ ବେଲପଡାର ଜୟରାମ ରାଉତଙ୍କ ଝିଅ ପଦ୍ମିନୀଙ୍କୁ ଭଲ ପାଇ ବିବାହ କରିଥିଲେ। ଶନିବାର ଜନ୍ମେଜୟ ଶଳା ଲଛମନଙ୍କୁ ଫୋନ କରି ଭଉଣୀ ପଦ୍ମିନୀଙ୍କ ମୃତ୍ୟୁ ହୋଇଥିବା କହିଥିଲେ। ତେବେ ଶାଶୁଘର ଲୋକେ ପଦ୍ମିନୀଙ୍କୁ ମାରି ଘରେ ଟାଙ୍ଗି ଦେଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି। ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଜୁନାଗଡ଼ ତହସିଲଦାର ବେଦବ୍ୟାସ ଭୋଇ, ଜୁନାଗଡ଼ ଭାରପ୍ରାପ୍ତ ଥାନା ଅଧିକାରୀ ଉତ୍ତମ କୁମାର ସାହୁଙ୍କ ଉପସ୍ଥିତିରେ ମହିଳାଙ୍କ ମୃତଦେହ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଏ ନେଇ ଜୁନାଗଡ ଥାନାରେ ଏକ ମାମଲା (ନଂ.୩୧୮/୨୧) ରୁଜୁ ହୋଇଛି। ଏହି ଘଟଣାରେ ମୃତା ମହିଳାଙ୍କ ସ୍ବାମୀ ଜନ୍ମେଜୟଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରାଯାଉଥିବା ଥାନା ଅଧିକାରୀ ସାହୁ କହିଛନ୍ତି।