ପୃଥିବୀର ଜନସଂଖ୍ୟା ଯୋଗୁ ସଙ୍କଟ ବଢ଼ିବାରେ ଲାଗିଛି। ଜନସଂଖ୍ୟା ବୃଦ୍ଧିର ବହୁ କାରଣ ରହିଛି। ସେଗୁଡ଼ିକ ମଧ୍ୟରେ ପାଠପଢ଼ାର ଅଭାବ, ଲୋକଙ୍କ ଆର୍ଥିକ ସ୍ଥିତି, ସ୍ବାସ୍ଥ୍ୟସେବାର ଅଭାବ ଆଦି ମୁଖ୍ୟ କାରଣ। ତେବେ ଜନସଂଖ୍ୟା ବୃଦ୍ଧିକୁ ରୋକିବା କ୍ଷେତ୍ରରେ ଗର୍ଭ ନିରୋଧକ ଏକ ବିକଳ୍ପ ଭାବେ ଉଭା ହୋଇଛି। ୨୦୩୦ ସୁଦ୍ଧା ବିଶ୍ୱସ୍ତରରେ ସ୍ଥାୟୀ ବିକାଶ ଏଜେଣ୍ଡା ଲକ୍ଷ୍ୟ ନେଇ ୧୯୯୪ ସେପ୍ଟେମ୍ବର ୨୬ରେ ଅନୁଷ୍ଠିତ ହୋଇଥିବା ଜନସଂଖ୍ୟା ଏବଂ ବିକାଶ ଉପରେ ଅନ୍ତର୍ଜାତୀୟ ସମ୍ମିଳନୀରେ ଗୁରୁତ୍ୱାରୋପ କରାଯାଇଥିଲା ଏବଂ ବିଶ୍ୱ ଗର୍ଭ ନିରୋଧକ ଦିବସ ପାଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସେବେଠାରୁ ପ୍ରତିବର୍ଷ ସେପ୍ଟେମ୍ବର ୨୬କୁ ବିଶ୍ୱ ଗର୍ଭ ନିରୋଧକ ଦିବସ ଭାବରେ ପାଳନ କରାଯାଇ ଆସୁଛି। ଏହିଦିନ ବିଶ୍ୱବ୍ୟାପୀ ପରିବାର ଯୋଜନା, ସୂଚନା ଏବଂ ଶିକ୍ଷା ଏବଂ ପ୍ରଜନନ ସ୍ବାସ୍ଥ୍ୟକୁ ନେଇ ଜାତୀୟ ରଣନୀତି ଏବଂ କାର୍ଯ୍ୟକ୍ରମର ଏକୀକରଣ ଉପରେ ଗୁରୁତ୍ୱାରୋପ କରାଯିବା ସହିତ ସଚେତନତା ସୃଷ୍ଟି କରାଯାଇଥାଏ।
ମେରୁଦଣ୍ଡ ହେଉଛନ୍ତି ମା’। ତାଙ୍କ ଉପରେ ସମସ୍ତ ବୋଝ ପଡ଼ିଥାଏ। ମା’ ହେଉଛନ୍ତି ପରିବାରର ସୁରକ୍ଷା କବଚ। ମା’ ସୁସ୍ଥ ରହିଲେ ପରିବାର ସୁଖୀ ହୋଇଥାଏ। ମା’ଙ୍କ ଉତ୍ତମ ସ୍ବାସ୍ଥ୍ୟ ପାଇଁ ସୁରକ୍ଷିତ ପ୍ରଜନନ ବ୍ୟବସ୍ଥା ଜରୁରୀ। ଏ କ୍ଷେତ୍ରରେ ଗର୍ଭ ନିରୋଧକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
ତେଣୁ ମହିଳା ଅଧିକାର ଏବଂ ସେମାନଙ୍କର ପ୍ରଜନନ ସ୍ବାସ୍ଥ୍ୟ ପାଇଁ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ସେପ୍ଟେମ୍ବର ୨୬ରେ ବିଶ୍ୱ ଗର୍ଭ ନିରୋଧକ ଦିବସ ପାଳନ କରାଯାଇଥାଏ।
ଜାତିସଂଘ ଅନୁସାରେ ପ୍ରତ୍ୟେକ ମହିଳା ଏବଂ କିଶୋରୀଙ୍କର ଗର୍ଭନିରୋଧକ ତଥା ପରିବାର ଯୋଜନା ସେବା, ସୂଚନା ଏବଂ ଶିକ୍ଷା ପାଇବାକୁ ଅଧିକାର ରହିଛି। ଅନ୍ତର୍ଜାତୀୟ ମାନବିକ ଅଧିକାର ଆଇନ ଅନୁଯାୟୀ, ଯୌନ ତଥା ପ୍ରଜନନ ସ୍ବାସ୍ଥ୍ୟସେବାକୁ ନିଶ୍ଚିତ କରିବା ଜରୁରୀ।
ଏହି ଦିବସର ପାଳନ ୨୦୦୭ରେ ଆରମ୍ଭ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ଗର୍ଭ ନିରୋଧକ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଯୁବବର୍ଗଙ୍କୁ ସେମାନଙ୍କର ଯୌନ ଏବଂ ପ୍ରଜନନ ସ୍ବାସ୍ଥ୍ୟ ଉପରେ ଶିକ୍ଷା ପ୍ରଦାନ କରିବା।
ବିଗତ ଦଶନ୍ଧି ମଧ୍ୟରେ ପରିବାର ଯୋଜନା ବିସ୍ତାର କରିବାରେ ବହୁ ଅଗ୍ରଗତି ସତ୍ତ୍ୱେ ଗର୍ଭ ନିରୋଧକ ଔଷଧର ପ୍ରବେଶ ଏ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ହୋଇପାରିନାହିଁ।