Categories: ଜାତୀୟ

ମା’ଙ୍କୁ ହତ୍ୟା, ସୁଟ୍‌କେସରେ ମୃତଦେହ ନେଇ ଆତ୍ମସମର୍ପଣ

ବେଙ୍ଗାଲୁରୁ, ୧୪।୬: ବେଙ୍ଗାଲୁରୁରେ ଜଣେ ଯୁବତୀ ମା’ଙ୍କ ମୃତଦେହକୁ ଶୁଟ୍‌କେସରେ ନେଇ ଥାନାରେ ଆତ୍ମସମର୍ପଣ କରିଛନ୍ତି। ୭୦ ବର୍ଷୀୟା ବିଭା ପାଲଙ୍କୁ ହତ୍ୟା ନେଇ ଝିଅ ସେନାଲି ସେନ(୩୯)ଙ୍କୁ ପୋଲିସ ଗିରଫ କରିଛି। ବେଙ୍ଗାଲୁରୁ ବେଲାକାହାଲିସ୍ଥିତ ଏକ ଆପାର୍ଟମେଣ୍ଟରେ ସେନାଲିଙ୍କ ସହ ତାଙ୍କ ମା’ ରହୁଥିଲେ। ସେନାଲି ପେସାରେ ଜଣେ ଫିଜିଓଥେରାପିଷ୍ଟ। ମା’ ବିଭା ଓ ସେନାଲିଙ୍କ ଶାଶୁଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ଲାଗି ରହୁଥିଲା। ଏଥିରେ ବିରକ୍ତ ହୋଇ ସେନାଲି ସୋମବାର ସକାଳେ ମା’ଙ୍କୁ ଏକକାଳୀନ ୨୦ଟି ନିଦ ବଟିକା ଖୁଆଇଦେଇଥିଲେ। ପେଟରେ ଯନ୍ତ୍ରଣା ହେବା କଥା ମା’ କହିବା ପରେ ସେନାଲି ଏକ ଓଢ଼ଣୀରେ ତାଙ୍କ ଗଳାଚିପି ହତ୍ୟା କରିଥିଲେ। ଏହାପରେ ଟ୍ରଲି ସୁଟ୍‌କେସ୍‌ରେ ମା’ଙ୍କ ମୃତଦେହ ସହିତ ସ୍ବର୍ଗତ ବାପାଙ୍କ ଫଟୋକୁ ରଖି ସେ ଥାନାରେ ଆତ୍ମସମର୍ପଣ କରିଥିଲେ। ସେନାଲି ୨ ବର୍ଷ ହେବ ଚାକିରି ଛାଡ଼ି ଘରେ ରହୁଥିଲେ। ଗିରଫ ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି।

Share