ବେଙ୍ଗାଲୁରୁ,୧୧।୧: ବେଙ୍ଗାଲୁରୁରେ ନିର୍ମାଣାଧୀନ ଏକ ମେଟ୍ରୋ ପିଲାର ଭୁଶୁଡ଼ି ପଡ଼ିବାରୁ ଜଣେ ମହିଳା ଓ ତାଙ୍କର ଅଢ଼େଇ ବର୍ଷର ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଛି। ମହିଳାଙ୍କ ସ୍ବାମୀ ଓ ଝିଅ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସେମାନେ ମଙ୍ଗଳବାର ସକାଳେ ଏକ ବାଇକରେ ଉକ୍ତ ଅଞ୍ଚଳ ଦେଇ ଯାଉଥିବାବେଳେ ୪୦ ଫୁଟ ଲମ୍ବ ମେଟ୍ରୋ ପିଲାର ଭୁଶୁଡ଼ି ସେମାନଙ୍କ ଉପରେ ପଡ଼ିଥିଲା। ଏହି ଦୁର୍ଘଟଣାରେ ତେଜସ୍ବିନୀ ଓ ତାଙ୍କ ପୁଅ ବିହାନ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ ହେଁ ସେଠାରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ତେଜସ୍ବିନୀଙ୍କ ସ୍ବାମୀ ଲୋହିଥ ଓ ଝିଅ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ଲାଗିରହିଥିବାବେଳେ ମେଟ୍ରୋ କାମକୁ ଦୁଇଦିନ ବନ୍ଦ ରଖାଯାଇଛି।