Categories: ଖେଳ

ମା’ ତାରିଣୀ ଏକାଦଶ ଚାମ୍ପିୟନ

ଭୁବନେଶ୍ୱର, ୨୬।୪(କ୍ରୀଡ଼ା ପ୍ରତିନିଧି): ରସୁଲଗଡ଼ ୟୁଥ୍‌ କ୍ଲବ ଆନୁକୂଲ୍ୟରେ ଆୟୋଜିତ ୮ମ ରସୁଲଗଡ଼ ପ୍ରିମିୟର ଲିଗ୍‌ ଉଦ୍‌ଯାପିତ ହୋଇଛି। ଏହାର ଫାଇନାଲରେ ମା’ କୋଚିଳେଇ ଏକାଦଶକୁ ୨ ରନରେ ହରାଇ ମା’ ତାରିଣୀ ଏକାଦଶ ଚାମ୍ପିୟନ ହୋଇଛି। ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ତାରିଣୀ ଏକାଦଶ ୧୨ ଓଭରରେ ୪ ଉଇକେଟ ହରାଇ ୧୬୭ ରନ କରିଥିଲା। ଦଳ ପକ୍ଷରୁ ସ୍ମୃତି ରଞ୍ଜନ ସାହୁ ୨୧ ବଲ୍‌ରୁ ସର୍ବାଧିକ ୫୫ ଓ ଜୀବନ ଜ୍ୟୋତି ଲେଙ୍କା ୫୦ ରନ କରିଥିଲେ। ବିପକ୍ଷ ଦଳର ଦିବ୍ୟ ରଞ୍ଜନ ନାୟକ ୨ ଉଇକେଟ ପାଇଥିଲେ। ୧୬୮ ରନ ବିଜୟ ଲକ୍ଷ୍ୟନେଇ ପଡ଼ିଆକୁ ଓହ୍ଲାଇଥିବା କୋଚିଳେଇ ଦଳ କଡ଼ା ଟକ୍କର ଦେଇଥିଲେ ହେଁ ନିର୍ଦ୍ଧାରିତ ଓଭରରେ ୬ ଉଇକେଟ ହରାଇ ୧୬୫ ରନ କରିବାକୁ ସକ୍ଷମ ହୋଇଥିଲା। ସତ୍ୟରଞ୍ଜନ ରାଉତ ୨୧ ବଲ୍‌ରୁ ୬୧ ରନ କରିଥିଲେ ମଧ୍ୟ ଦଳକୁ ଜିତାଇପାରି ନ ଥିଲେ। ବିଜୟୀ ଦଳର ଜୀବନ ଜ୍ୟୋତି ଲେଙ୍କା ୨ଟି ଉଇକେଟ ପାଇଥିଲେ। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ଜୀବନ ଜ୍ୟୋତି ଲେଙ୍କା ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଟୁର୍ନାମେଣ୍ଟରେ ମୋଟ ୧୬୧ ରନ କରିବା ସହ ୬ ଉଇକେଟ ନେଇଥିବା ସତ୍ୟ ରଞ୍ଜନ ରାଉତ ପ୍ଲେୟର ଅଫ୍‌ ଦି ସିରିଜ ହୋଇଥିଲେ। ଅଂଶୁମାନ ରାୟ (୧୯୧ ରନ) ଶ୍ରେଷ୍ଠ ବ୍ୟାଟର, ଜୀବନ ଜ୍ୟୋତି ଲେଙ୍କା (୧୦ ଉଇକେଟ) ଶ୍ରେଷ୍ଠ ବୋଲର ପୁରସ୍କାର ପାଇଥିଲେ। ଅମ୍ପାୟର ଉମାକାନ୍ତ ଜଗଦେବ ଓ ପାର୍ଥ ସାରଥି ରାଉତରାୟ ମ୍ୟାଚ ପରିଚାଳନା କରିଥିଲେ। ସାମାଜିକ କର୍ମୀ ପ୍ରକାଶ ରାଉତରାୟ, ଅନିଲ ବଳିୟାରସିଂ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ଅସ୍ମିତ ଦାସ ଓ ସମ୍ପାଦକ ସ୍ନେହାଶିଷ ଜେନା ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।

Share