ପାଟଣା,୨୦।୨(ବୀରକିଶୋର ଦାସ): ଶୁକ୍ରବାର ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। କେନ୍ଦୁଝର ଜିଲା ପାଟଣା ବ୍ଲକର ୧୨ଟି ପରୀକ୍ଷା କେନ୍ଦ୍ରରେ ଶାନ୍ତି ଶୃଙ୍ଖଳାର ସହ ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟାଳୟ ସ୍ଥିତ ଜିଏନ୍ ହାଇସ୍କୁଲ ସ୍ବାମ ପାଟଣା ନୋଡାଲ ପରୀକ୍ଷା ସେଣ୍ଟର ହୋଇଥିବା ବେଳେ ଏହି କେନ୍ଦ୍ର ଅଧୀନରେ ଚଳିତ ବର୍ଷ ୧୦ଟି ପରୀକ୍ଷା କେନ୍ଦ୍ର କରାଯାଇଛି।
ସେହିପରି ଘଟଗାଁ ନୋଡାଲ ପରୀକ୍ଷା ସେଣ୍ଟର ଅଧୀନ ଡୁମୁରିଆ ଏବଂ କେନ୍ଦୁଝର ନୋଡାଲ ସେଣ୍ଟର ଅଧୀନ ଖିରେଇଟାଙ୍ଗିରୀ ମୋଟ ୧୨ଟି ପରୀକ୍ଷା କେନ୍ଦ୍ରରେ ୧୮୭୬ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୮୧୯ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୫୭ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ପାଟଣା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଚିଦା ନନ୍ଦ ସେଠୀ କହିଛନ୍ତି ।
ଘଟଗାଁ ନୋଡାଲ ସେଣ୍ଟର ଅଧୀନ ବିଏସ୍ ହାଇସ୍କୁଲ ଡୁମୁରିଆ ପରୀକ୍ଷା କେନ୍ଦ୍ରରେ ୨୦୨ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୩ଜଣ ଅନୁପସ୍ଥିତ ରହିଥିବା ବେଳେ ଜନତା ହାଇସ୍କୁଲ ମଲ୍ଲୀପଶିରେ ୧୬୬ଜଣଙ୍କ ମଧ୍ୟରୁ ୫ଜଣ ଛାତ୍ରୀଛାତ୍ର ଅନୁପସ୍ଥିତ ରହିଥିଲେ।
ସେହିପରି ସରକାରୀ ସ୍ବାମ ପାଟଣା ବାଳିକା ଉଚ୍ଚ ବିଦ୍ୟାଳୟରେ ୧୩୩ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୪ଜଣ ଅନୁପସ୍ଥିତ ରହିଥିବା ବେଳେ ଜିଏନ୍ ହାଇସ୍କୁଲ ସ୍ବାମ ପାଟଣାରେ ୧୩୯ଜଣଙ୍କ ମଧ୍ୟରୁ ଜଣେ ଅନୁପସ୍ଥିତ ଥିଲେ। ଟାଙ୍ଗରପଡା ହାଇସ୍କୁଲରେ ୧୬୯ ଜଣଙ୍କ ମଧ୍ୟରୁ ୭ଜଣ ଅନୁପସ୍ଥିତ ରହିଥିବା ବେଳେ ପଞ୍ଚାୟତ ହାଇସ୍କୁଲ କେନ୍ଦେଇପଶିରେ ୧୬୧ ଜଣଙ୍କ ମଧ୍ୟରୁ ୪ଜଣ ଅନୁପସ୍ଥିତ ରହିଥିଲେ।
ସେହିପରି ମୁରୁସୁଆଁ ନୋଡାଲ ହାଇସ୍କୁଲରେ ୧୪୫ଜଣଙ୍କ ମଧ୍ୟରୁ ୪ଜଣ ଅନୁପସ୍ଥିତ ରହିଥିବା ବେଳେ କେନ୍ଦୁଝର ନୋଡାଲ ସେଣ୍ଟର ଅଧୀନ ଖିରେଇଟାଙ୍ଗିରୀ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୧୬୦ଜଣଙ୍କ ମଧ୍ୟରୁ ୧୦ଜଣ ଅନୁପସ୍ଥିତ ଥିଲେ। ତୁରୁମୁଙ୍ଗା ଡିବି ହାଇସ୍କୁଲରେ ୧୬୧ଜଣ ଉପସ୍ଥିତ ରହିଥିବା ବେଳେ ଏବିସିଡିଆର ଅଙ୍ଗିକଳା ହାଇସ୍କୁଲରେ ୧୩୧ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଜଣେ ଅନୁପସ୍ଥିତ ଥିଲେ।
ରାଜନଗର ହାଇସ୍କୁଲ ପରୀକ୍ଷା କେନ୍ଦ୍ର ୧୭୩ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭ଜଣ ଅନୁପସ୍ଥିତ ଥିବା ବେଳେ ବାଉଁଶୁଳି ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୧୩୬ଜଣଙ୍କ ମଧ୍ୟରୁ ୧୧ଜଣ ଅନୁପସ୍ଥିତ ରହିଥିବା ସୂଚନା ମିଳିଛି।
ଚଳିତ ବର୍ଷ ବୋର୍ଡ ପରୀକ୍ଷାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ସ୍ବଚ୍ଛତା ଓ ନିରପେକ୍ଷତା ଅବଲମ୍ବନ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅଭିଭାବକମାନେ ଅଯଥା ପରୀକ୍ଷାକେନ୍ଦ୍ର ସମ୍ମୁଖରେ ଗହଳି ନ କରିବା ପାଇଁ ବ୍ଲକ ଶିକ୍ଷା ଅଧିକାରୀ ଅନୁରୋଧ କରିଛନ୍ତି। କପି ରୋକିବା ପାଇଁ ପାଟଣା, ତୁରୁମୁଙ୍ଗା ଓ ଘଟଗାଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।