ସନ୍ତାନ ପାଇଁ ଯାହାଙ୍କ ହୃଦୟରୁ ଝରିପଡେ ଅମୃତର ବାରିଧାରା ସେ ତ ମା’। କିନ୍ତୁ ଏମିତି ବି ମା’ ଅଛନ୍ତି ଯିଏ ସାରା ଦୁନିଆର ଚିନ୍ତାରେ ଚିନ୍ତିତ। ଯିଏ ନିଜ ସ୍ନେହ ପଣତରେ ସାହାରା ଦେଇଛନ୍ତି ସାରା ଦୁନିଆକୁ। ସେମିତି
କେତେଜଣ ମା’ଙ୍କ ସମ୍ପର୍କରେ…
ଗୋଟିଏ ନୁହେଁ ଏବେ ଶହେ ପିଲାଙ୍କ ମା’: ୨୦୨୦ ମେ’ ୩ ତାରିଖର ନିଶାର୍ଦ୍ଧ ରାତି। ପୁରୀ ସ୍ବର୍ଗଦ୍ୱାରରେ ଜଳୁଥିଲା ଚିତା। ଆଉ ଜଣେ ମହିଳା ବାମ ହାତରେ ଫଟୋଟେ ଧରି ଡାହାଣ ହାତରେ ଦେଉଥିଲେ ମୁଖାଗ୍ନି, ଯାହାଙ୍କୁ ମୁଖାଗ୍ନି ଦେଉଥିଲେ ସେ ଥିଲେ ସ୍ବାମୀ। ଆଉ ଯାହାର ଫଟୋ ଧରିଥିଲେ ସେ ଥିଲା ତାଙ୍କର ଏକ ମାତ୍ର ପୁତ୍ର। ଯିଏକି ଏକ ସଡକ ଦୁର୍ଘଟଣାରେ ୨୦୧୯ ମେ’ ୨୫ ତାରିଖରେ ଏଦୁନିଆ ଛାଡି ଚାଲି ଯାଇଥିଲେ। ବର୍ଷେ ଭିତରେ ସ୍ବାମୀ ଓ ପୁତ୍ରଙ୍କୁ ହରାଇଥିବା ଏହି ମହିଳା ଜଣକ ଥିଲେ ଅମୀୟବାଳା ପରିଡା। ପେସାରେ ସିନା ଅଧ୍ୟାପିକା, କିନ୍ତୁ ଏକମାତ୍ର ପୁଅକୁ ହରାଇବା ପରେ ଏବେ ଶହ ଶହ ପିଲାଙ୍କ ମା’ ପାଲଟି ଯାଇଛନ୍ତି। ଅମୀୟବାଳାଙ୍କ ଗାଁ ନୟାଗଡରେ। ଭୁବନେଶ୍ୱରରେ ସ୍କୁଲ ଶିକ୍ଷା ପରେ ଏସ୍ସିଏସ୍ କଲେଜ୍ ଓ ରେଭେନ୍ସାରେ ପିଜି ପରେ ୨୦୦୦ ମସିହାରେ ବାହାଘର ହୁଏ ନାଭାଲ ଅଫିସର ଚଣ୍ଡୀ ପ୍ରସାଦ ବାଗଙ୍କ ସହିତ। ବାହାଘର ପରେ ସେ ଅଧ୍ୟାପକଭାବେ ଯୋଗ ଦିଅନ୍ତି। ୨୦୦୧ ମସିହାରେ ପୁଅର ଜନ୍ମ। ବିଧିର ବିଡମ୍ବନା, ୨୦୦୨ ମସିହାରେ ଏକ ଦୁର୍ଘଟଣାରେ ସ୍ବାମୀ କୋମାକୁ ଚାଲି ଯାଆନ୍ତି। ୧୮ ଦିନ କୋମାରେ ରହିବା ପରେ ସେ ପୁଣି ସୁସ୍ଥ ହୁଅନ୍ତି। ଅମୀୟବାଳା କୁହନ୍ତି, ‘୨୦୧୦ ମସିହାରେ ଦିନେ ସେ ତାଙ୍କ ଗାଁ ଛତିଆକୁ ବାହାରିଲେ। ଏଠି ଆମେ ମା’ ପୁଅ ଭୁବନେଶ୍ୱରରେ ଥାଉ। ମଟନ୍ ଆଣିଦେଇ କହିଲେ ମୁଁ ଗାଁରୁ ଆସେ ଖାଇବା। ଦିନ ୩ଟାରେ ଫୋନ୍ ଆସିଲା ତାଙ୍କର ଆକ୍ସିଡେଣ୍ଟ ହୋଇଛି ବୋଲି। ହେଲେ ଡାକ୍ତର କହିଲେ ଏହା ବ୍ରେନ୍ ଷ୍ଟ୍ରୋକ ଥିଲା। ତାଙ୍କ ଘର ଲୋକ ଆମ୍ବୁଲାନ୍ସରେ କଟକ ନେଇ ଆସିଲେ। ପାଖରେ ମାତ୍ର ୩୦୦୦ ଟଙ୍କା ଥାଏ। ଡାକ୍ତର କହିଲେ ଏହା ଏମିତି ଏକ କେସ୍ ଯେଉଁଥିରେ ଭଲ ହୋଇ ବଞ୍ଚତ୍ବା ୯୯ ପ୍ରତିଶତ ଅସମ୍ଭବ। ତା’ପରେ ତାଙ୍କୁ ଆପୋଲୋ ନେଇ ଆସିଥିଲୁ। ସେଠାରେ କିଛିଦିନ ରହିବା ପରେ ସେଇ କୋମା ଅବସ୍ଥାରେ ଘରକୁ ନେଇ ଆସିଲୁ। ଗୋଟିଏ ଛୋଟିଆ ପିଲାର ଯେମିତି ଯତ୍ନ ନେବାକୁ ହୁଏ ମତେ ଏବେ ସେଇୟା ହିଁ କରିବାକୁ ପଡିଲା। ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ଯେତେବେଳେ ତାଙ୍କର ପାଟି ଖୋଲିଲା ସେ ମତେ ମା’ ବୋଲି ଡାକିଲେ। ସେ ମୋର ସ୍ବାମୀ ନୁହଁ, ମୋର ପୁଅ, ଆସ୍ତେ ଆସ୍ତେ ଏଇ ଭାବନା ମୋ ଭିତରେ ବି ଆସିଗଲା। ଆସ୍ତେ ଆସ୍ତେ ଖାଇବା ଓ ନିଜ କାମ କରିବା ଶିଖେଇଲି। ସମ୍ପୂର୍ଣ୍ଣ କଥା ହୋଇପାରନ୍ତିନି। ସେଇ ବେଡ ହିଁ ତାଙ୍କ ଦୁନିଆ ହୋଇଗଲା। ତାଙ୍କୁ ଖୁସି ରଖିବାକୁ ଚେଷ୍ଟା କରେ। ଅଳ୍ପ ଅଳ୍ପ ଚଲାଏ। ପୁଅକୁ ଦେଖି ଖୁସି ହୁଅନ୍ତି। ପୁଅ ବୋଲି ଡାକନ୍ତି। ପୁଅ ବଡ ହେବା ପରେ ତାକୁ ଛୋଟ ଭାଇ ବୋଲି ଡାକିଲେ। ଏମିତି ପରିସ୍ଥିତିକୁ ଆଦରି ନେଇ ପୁଅ ଭିତରେ ମୁଁ ଦୁନିଆକୁ ଦେଖୁଥିଲି। ପୁଅ ମୋର ଜାଭିୟର୍ସରୁ ଦ୍ୱାଦଶ ପାସ୍ କରିଥାଏ। କଲେଜ ଓ ଘର କାମ ସହିତ କିଛି ସମୟ ଗରିବ ଓ ଦୁଃଖୀ ଦରିଦ୍ରଙ୍କ ସେବା କରୁଥାଏ। ମୋ ସହ ମିଶି ପୁଅ ବି କରେ। ୨୦୧୮ ମସିହାରେ ସେ କହିଲା ମା’ ଆମେ ଗୋଟେ ଟ୍ରଷ୍ଟ କରି ସେଥିରେ ଅସହାୟ ଲୋକଙ୍କ ପାଇଁ କାମ କରିବା। ତା’ପରେ ମା’ ପୁଅ ମିଶି ଗଢିଲୁ ତା’ ବାପାଙ୍କ ନାମରେ ଚଣ୍ଡୀ ପ୍ରସାଦ ଫାଉଣ୍ଡେଶନ୍ ଟ୍ରଷ୍ଟ। ଆଉ ଯେଉଁଥିରେ ମାଗଣା ଶିକ୍ଷା, ଅସହାୟଙ୍କୁ ସାହାଯ୍ୟ କରିବା ମୁଖ୍ୟ ଥିଲା। କିନ୍ତୁ ମୋ ପୁଅର ସେ ସ୍ବପ୍ନ ଅଧାରେ ରହିଗଲା। ୨୦୧୯ ମେ’ ୨୫ ତାରିଖ ଦିନ ବରମୁଣ୍ଡା ଓଭରବ୍ରିଜ୍ର ଏକ ଆକ୍ସିଡେଣ୍ଟରେ ସେ ଆମକୁ ଛାଡି ଚାଲିଗଲା। ମୋ ପାଇଁ ସେ ହିଁ ଦୁନିଆ ଥିଲା। କିନ୍ତୁ ତା’ ବାପାଙ୍କୁ ଏ ବିଷୟରେ କିଛି ଜଣେଇ ନ ଥିଲି। ସବୁବେଳେ ଖୋଜୁଥିଲେ ପୁଅ କାହିଁ? ଛୋଟ ଭାଇ କୁଆଡେ ଗଲା? ଭୋ ଭୋ ହୋଇ କାନ୍ଦେ ହେଲେ ତାଙ୍କ ପାଖରେ ହସିକି ଅଭିନୟ କରିବାକୁ ପଡେ। ସବୁବେଳେ କହେ ପୁଅ ବାଙ୍ଗାଲୋର ଯାଇଛି ପଢିବା ପାଇଁ। ବାପା ସେ, ରକ୍ତର ସମ୍ପର୍କ ରହିଛି। କ’ଣ ଜାଣୁଥିଲେ କେଜାଣି ମନକୁ ମନ ତା’ ସହ କଥା ହୁଅନ୍ତି। ତାକୁ ଝୁରି ଝୁରି ଶେଷରେ ୨୦୨୦ ମେ’ ୩ ତାରିଖରେ ସେ ମତେ ଛାଡି ଚାଲିଗଲେ। ମୋ ବାପା ମା’ ସେତେବେଳେ ବୃନ୍ଦାବନ ଯାଇଥାନ୍ତି। ଲକ୍ଡାଉନ୍ ସମୟ। ଘରେ ମୋ ବଡ ଭଉଣୀ ମୋ ପାଖରେ ଥାଆନ୍ତି। ମୁଁ ଚାହିଁଲି ତାଙ୍କର ମୁଖାଗ୍ନି ଦେବା ପାଇଁ। ମୋ ପରିବାର ବି ସେ କଥାରେ ରାଜି ହେଲେ। ପୁରୀ ସ୍ବର୍ଗ ଦ୍ୱାରରେ ପହଞ୍ଚତ୍ବା ପରେ ବ୍ରାହ୍ମଣ କହିଲେ, ମୁଖାଗ୍ନି ତ ଦେବ ମା’, ଆଖିରୁ ଲୁହ ଗଡେଇବନି। ମୁଁ ତ ସେତେବେଳେ ପଥର ହେଇ ସାରିଥିଲି। ମୋ ଘର ଉଜୁଡି ସାରିଥିଲା। ତେଣୁ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପିଲାମାନଙ୍କ ପରିବାରକୁ ଭେଟିଲି। ୧୪ ଜଣ ପରିବାର ଏକାଠି ହେଲେ। ଚିନ୍ତା କଲୁ ରକ୍ତ ଅଭାବରୁ ଯେମିତି କାହାର ଜୀବନ ନ ଯାଏ, ସେଇକଥା ଚିନ୍ତା କରି ଗଢା ହେଲା ‘ମାଷ୍ଟର ଗିରିଜା ମେମୋରିଆଲ୍ ରୋଡ୍ ସେଫ୍ଟି ଫାଉଣ୍ଡେସନ୍ ଟ୍ରଷ୍ଟ। ଏବେ ଏହି ଦୁଇଟି ଟ୍ରଷ୍ଟକୁ ନେଇ ମୋ ଜୀବନ। ମୋ ପୁଅ ୨୫ ତାରିଖରେ ଜନ୍ମ ଆଉ ୨୫ରେ ଛାଡି ଚାଲିଗଲା। ତେଣୁ ପ୍ରତିମାସ ୨୫ ତାରିଖରେ କୌଣସି ଗାଁରେ ହେଉ ବା କୌଣସି ସ୍ଥାନରେ ଦୁଃଖୀ ଦରିଦ୍ର ଲୋକଙ୍କର ଖାଇବା ପିଇବା ସହ ସେମାନଙ୍କର ସେବା କରେ। ବସ୍ତି ପିଲାମାନଙ୍କୁ ପ୍ରତି ରବିବାର ପାଠ ପଢଉଛି। ସେମାନଙ୍କ ଦାୟିତ୍ୱ ନେଉଛି। ଏବେ ଏଇଟା ହିଁ ମୋ ଜୀବନ। ବୋଧହୁଏ ଏଇଥିପାଇଁ ଭଗବାନ ମୋ ପାଖରୁ ମୋ ପୁଅକୁ ଛଡାଇନେଲେ। ଯେମିତି କି ମୁଁ ଗୋଟିଏ ପୁଅର ମା’ ହେବାକୁ ସେ ଚାହୁଁ ନ ଥିଲେ, ଶହ ଶହ ପୁଅର ମା’ ହେବା ପାଇଁ ବୋଧେ ମୋର ଜନ୍ମ ଥିଲା। ଏବେ ବି ବରମୁଣ୍ଡା ଓଭରବ୍ରିଜ ଉପରେ ଯିବାବେଳେ ମତେ ଲାଗେ ମୋ ପୁଅ ମତେ ମାମା ମାମା ଡାକୁଛି। ମୋ କଲିଜାକୁ ଯେମିତି କିଏ ଟାଣିନେଇ ଛାଡିଦିଏ। ପୁଣି ଫେରିଆସେ ଏଇ ପିଲାମାନଙ୍କ ପାଖକୁ, ପୁଅର ସ୍ବପ୍ନ ପାଖକୁ, ଯାହାକୁ ସାକାର କରିବା ହିଁ ମୋ ଜୀବନର ଏକମାତ୍ର ଲକ୍ଷ୍ୟ।
ଅଞ୍ଜଳି ପାଇଁ ହେଲା ଅଞ୍ଜଳି ପୋଲ: କୋରାପୁଟ ପୈାର ପରିଷଦ ଅନ୍ତର୍ଗତ ୧୬ନମ୍ବର ୱାର୍ଡରେ ରହିଥିବା ତେନ୍ତୁଳିଗୁଡା ଗ୍ରାମ ସଦରମହକୁମାଠାରୁ ୭ କିମି ଦୂରରେ ରହିଛି ା ଗ୍ରାମରେ ରହନ୍ତି ପ୍ରାୟ ୫୦ଟି ପରିବାରର ପ୍ରାୟ ୩୦୦ ଜଣ ଗ୍ରାମବାସୀ ା ବର୍ଷ ବର୍ଷଧରି କାଠ ପୋଲ ହଁି ଗାଁ ପାଇଁ ଏକ ମାତ୍ର ମାଧ୍ୟମ ଥିଲା ା କୋରାପୁଟ ସହରଠାରୁ ମାତ୍ର ୭ କିମି ଦୂରରେ ଅବସ୍ଥିତ ଏହି ଗାଁରେ ୨୦୦ରୁ ଊର୍ଦ୍ଧ୍ୱ ଲୋକ ବିପଦପୂର୍ଣ୍ଣଭାବେ ଜୀବନକୁ ବାଜି ଲଗାଇ କାଠ ପୋଲ ଦେଇ ଯା’ ଆସ କରୁଥିଲେ ା ପ୍ରଶାସନକୁ ବାରମ୍ବାର ଗୁହାରି କରୁଥିଲେ ବି କେହି ଶୁଣୁ ନ ଥିଲେ ା ହେଲେ ଭାଗ୍ୟ ବଦଳେଇ ଦେଇଥିଲା ଏହି ଗାଁର ଷଷ୍ଠ ଶ୍ରେଣୀର ଛାତ୍ରୀ ଅଞ୍ଜଳି ସୁନା। ସେଦିନ ଜଳସମ୍ପଦ ବିଭାଗର ସଚିବ ପ୍ରଦୀପ ଜେନା ତାଙ୍କ ଗ୍ରାମ ତେନ୍ତୁଳିଗୁଡା ଆସିଥିବାବେଳେ ତାଙ୍କ ସମ୍ମୁଖରେ ସାହସବାନ୍ଧି କେଇପଦ କଥା ନ କହିଥିଲେ ବୋଧହୁଏ ଆଜିଯାଏ ଏହି ଗାଁ ପାଇଁ ବ୍ରିଜ ନିର୍ମାଣ ହୋଇପାରି ନ ଥାନ୍ତା ା ଅଞ୍ଜଳିର ସେହି ଉଦ୍ୟମ ଗାଁ ଲୋକଙ୍କ ବର୍ଷ ବର୍ଷର ଦୁଃଖକୁ ପଛକୁ ଠେଲି ଦେଇଛି ା ଯେଉଁଥିପାଇଁ ତ ଏହି ବ୍ରିଜର ନାମ ଅଞ୍ଜଳି ରଖାଯାଇଛି ା ଘଟଣାଟି ୨୦୧୫ ମସିହାର, ଅଞ୍ଜଳି ଛୋଟ ଥିଲା, ଏବେ ବଡ ହୋଇ ଯୁକ୍ତ ଦୁଇ ପଢିଲାଣି ା କିନ୍ତୁ ତେନ୍ତୁଳିଗୁଡା ଗାଁକୁ ସଂଯୋଗ କରୁଥିବା ଏହି ଅଞ୍ଜଳି ବ୍ରିଜ ପଛର କାହାଣୀ ଏବେ ବି ସମସ୍ତଙ୍କ ପାଇଁ ଉଦାହରଣ ହୋଇଛି ା ଏ ସମ୍ପର୍କରେ ଅଞ୍ଜଳି କହନ୍ତି- ସେ ଦିନ ଥିଲା ୨୦୧୩ ମସିହା ଜୁଲାଇ ୧୧ ତାରିଖ ରଥଯାତ୍ରା ଦେଖିବାକୁ ଆମେ କୋରାପୁଟ ସହରକୁ ଯାଇଥାଉ। ଫେରିବାବେଳେ ପ୍ରବଳ ବର୍ଷା ହୋଇଥିଲା। ଏହି ବର୍ଷାରେ ଆମଗ୍ରାମକୁ ସଂଯୋଗ କରୁଥିବା ବ୍ରିଜ ଦେଖୁ ଦେଖୁ ଭାସିଗଲା ା କିନ୍ତୁ ସୌଭାଗ୍ୟବଶତଃ ଆମେ ରକ୍ଷା ପାଇ ଯାଇଥିଲୁ। ଏହାପରେ ତେନ୍ତୁଳିଗୁଡା ଗ୍ରାମକୁ ଯୋଗାଯୋଗ ବନ୍ଦ ହୋଇ ଯାଇଥିଲା, ଯଦ୍ଦ୍ବାରା ମାସେ ମାସେ ଧରି ଅଞ୍ଜଳି ପରି ଗ୍ରାମର ଅନ୍ୟ ଛୋଟ ପିଲାମାନେ ବି ସ୍କୁଲକୁ ନ ଯାଇ ଘରେ ରହୁଥିଲେ। ତା’ ପରେ ଗ୍ରାମବାସୀମାନେ ଏକ ଅସ୍ଥାୟୀ କାଠପୋଲ ନିର୍ମାଣ କରି ଯିବାଆସିବା କଲେ। ତେବେ ଏହି ଅସ୍ଥାୟୀ କାଠପୋଲ ଭରସାରେ କେତେ ଦିନ ଗ୍ରାମବାସୀ ରହିବେ ା ବର୍ଷା ହେଲେ କେତେବେଳେ ଏହି କାଠ ପୋଲଟି ଭାସିଯିବ ସେ ନେଇ ସବୁବେଳେ ଗ୍ରାମବାସୀ ଚିନ୍ତାରେ। ସ୍ଥାୟୀ ପୋଲ ନିର୍ମାଣ ନେଇ ବାରମ୍ବାର ଜିଲା ପ୍ରଶାସନରେ ଗୁହାରି କଲେ ବି କିଛି ଫଳ ମିଳି ନ ଥିଲା ା ଏଭଳି ସମୟରେ ଗ୍ରାମ ନିକଟରେ ଥିବା ଜଗମଗୁଡା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାଯର୍ୟ ପରିଦର୍ଶନ ପାଇଁ ରାଜ୍ୟ ଜଳସଂପଦ ସଚିବ ପ୍ରଦୀପ କୁମାର ଜେନା ଆସିଥିବାବେଳେ ଅଞ୍ଜଳି ସାହସ ବାନ୍ଧି ବିଭାଗୀୟ ସଚିବଙ୍କ ଆଗରେ ବ୍ରିଜ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଥିଲା ା ଆପଣଙ୍କ ଭଳି ବହୁ ବଡ ଅଧିକାରୀ ଆମ ଗ୍ରାମକୁ ଆସୁଛନ୍ତି। କିନ୍ତୁ ଆମ ଗ୍ରାମବାସୀଙ୍କ ଦୁଃଖ କିଏ ବୁଝୁନାହାନ୍ତି ା ଆମମାନଙ୍କର କ’ଣ ବଞ୍ଚତ୍ବାର ଅଧିକାର ନାହଁିକି ବୋଲି ସଚିବଙ୍କୁ କହିଥିଲେ ା ସେଦିନ ଅଞ୍ଜଳିର ଏତିକି କଥା ସଚିବଙ୍କ ମନକୁ ତରଳେଇଥିଲା ା ସେ ସଙ୍ଗେ ସଙ୍ଗେ ନିର୍ଦ୍ଦେଶ ଦେଇଥିଲେ ଏଠାରେ ବ୍ରିଜ ନିର୍ମାଣ ପାଇଁ, ଯାହା କି କିଛି ମାସ ମଧ୍ୟରେ ଶେଷ ହୋଇଥିଲା ା ପରେ ଏହି ବ୍ରିଜର ନାମ ରଖାଯାଇଥିଲା ଅଞ୍ଜଳି ବ୍ରିଜ ା
ସେବା, ସଚେତନତାର ନାଁ ଯମୁନା: ସତ କହିଲେ ସେବା ଟିକେ କରିବା ପାଇଁ ତ୍ୟାଗ ସହ ସେବାର ମନ ଟିଏ ଲୋଡ଼ା। ଯାହା ପ୍ରମାଣ କରି ଦେଖାଇଛନ୍ତି ଯମୁନା ମଣି ସିଂ। ଆଦିବାସୀ ଅଧୁଷିତ ଦୁର୍ଗମ ଅଞ୍ଚଳରେ ଅନ୍ଧବିଶ୍ୱାସ ଦୂର କରିବା ସହ ମ୍ୟାଲେରିଆ ରୋଗରୁ ମୁକ୍ତି ପାଇଁ ଡାକ୍ତରଖାନା ଯାଇ ଚିକିତ୍ସିତ ହେବାକୁ ଲୋକଙ୍କୁ ସଚେତନ କରାଇବାର ଶ୍ରେୟ ଯାଏ ଯମୁନାଙ୍କୁ। ଏହା ସହ କରୋନା ମହାମାରୀରୁ ରକ୍ଷାପାଇବା ପାଇଁ ଜନ ସଚେତନତା କାର୍ଯ୍ୟରେ ଏବେ ସେ ଲାଗିଛନ୍ତି। ଯମୁନାଙ୍କ ଘର ବାଲେଶ୍ୱର ଜିଲା ନୀଳଗିରି ବ୍ଲକର ସଜନାଗଡ଼ ଗ୍ରା.ପ.ର ଶିଆଳଘାଟି ଗାଁରେ। ସେ କୁହନ୍ତି, ମୁଁ ନବମ ଯାଏ ପଢ଼ିଛି। ୨୦୦୩ ମସିହାରେ ଆମ ଗାଁରେ ଦେବେନ୍ଦ୍ର ସିଂଙ୍କ ସହ ମୋର ବିବାହ ହୁଏ। ଘରେ ମୋର ଛୋଟ ପୁଅଟିଏ। ଆମେ ପରିବାର ଚଳାଇବା ପାଇଁ ମୂଲ ଲାଗୁଥିଲୁ। ୨୦୧୦ ମସିହାରେ ଆଶା କର୍ମୀ ଭାବେ ଟ୍ରେନିଂ ପାଇ ଲୋକଙ୍କ କାମ କରିବାର ସୁଯୋଗ ମିଳିଲା। ଆମ ଆଦିବାସୀ ଅଞ୍ଚଳରେ ଲୋକଙ୍କ ଦେହ ଅସୁସ୍ଥ ହେଲେ ସେମାନେ ସାଧାରଣତଃ ଝଡା ଫୁଙ୍କା ଆଦିର ସାହାରା ନେଇଥାନ୍ତି। ଯାହାଫଳରେ ଉପଯୁକ୍ତ ଚିକିତ୍ସା ନ ପାଇ ଅଧିକାଂଶ ଲୋକ ମୃତ୍ୟୁବରଣ କରନ୍ତି। ଏପରି କି ମ୍ୟାଲେରିଆ ଜ୍ୱର ହେଲେ ବି ସେମାନେ ଝଡ଼ାଫୁଙ୍କାର ଆଶ୍ରୟ ନିଅନ୍ତି, ଯାହାଫଳରେ ଅଧିକାଂଶ ଲୋକଙ୍କର ମୃତ୍ୟୁବରଣ ହୁଏ। ତେଣୁ ଏ ସମ୍ପର୍କରେ ମୁଁ ଚିନ୍ତା କଲି ପ୍ରଥମେ ଲୋକଙ୍କୁ କୌଣସି ପ୍ରକାରରେ ସଚେତନ କରାଇବି। ଏଥିପାଇଁ ପ୍ରଥମେ ଲୋକଙ୍କୁ ଡାକ୍ତରଖାନା ସମ୍ପର୍କରେ ବୁଝାଇ ଥିଲି। ପ୍ରଥମେ ତ କେହି ମାନି ନ ଥିଲେ ତା’ପରେ ଡାକ୍ତରଙ୍କ ଔଷଧ ଖାଇ ଭଲ ହୋଇଯିବାରୁ ସେମାନଙ୍କର ମୋ ଉପରେ ବିଶ୍ୱାସ ବଢିଲା। ଗାଁରେ ମହିଳା ଓ ଯୁବକମାନଙ୍କ ସହଯୋଗରେ ସ୍ବାସ୍ଥ୍ୟ ସଚେତନତା ସୃଷ୍ଟି ପାଇଁ କାମ ଆରମ୍ଭ କଲି। ପ୍ରତିଦିନ ପାଦରେ ଚାଲି ଚାଲି ପାଖ ଗାଁକୁ ଯାଇ ମା’ ଶିଶୁ ଓ ଗର୍ଭବତୀମାନଙ୍କ ସ୍ବାସ୍ଥ୍ୟସେବା ପାଇଁ ସରକାରୀ ଯୋଜନା କଥା କହିଥାଏ। କେବେ କେବେ ନିକଟ ପାହାଡି ଗାଁକୁ ସାଇକେଲ ନେଇ ଯାଇଥାଏ। କରୋନା ମହାମାରୀ ବିପଦରୁ ସମସ୍ତେ କିପରି ନିଜକୁ ସୁରକ୍ଷିତ ଭାବେ ରହିପାରିବେ ସେଥିପାଇଁ ସରକାରଙ୍କ କଥା ଡାକ୍ତରଙ୍କ କଥା କହି ଲୋକଙ୍କୁ ସଚେତନ କରାଉଛି। ଆଶାକର୍ମୀ ଭାବେ ଲୋକଙ୍କ ସେବା କରିବାରେ ଆନନ୍ଦ ମିଳେ ଲୋକଙ୍କ ଭଲପାଇବା ମତେ ଖୁବ୍ ନିଜର ଲାଗେ। ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ସ୍ଥାନ ପାଇଥିବାରୁ ମତେ ବହୁତ ଖୁସି ଲାଗିଥିଲା ଓ ପ୍ରେରଣା ମିଳିଥିଲା। ଲୋକମାନଙ୍କୁ ସଚେତନ କରାଇପାରିଲେ ହିଁ ମୋର ଆନନ୍ଦ। -ରୋଜାଲିନ
ଅମିତାଭ ବେହେରା, କୋରାପୁଟ