ମା’; ଯାହାର ଜୀବନ ନାଟିକା ତା’ ସନ୍ତାନ ପାଖରେ ଅଟକିଥାଏ। ଯାହାର ସବୁ ସୁଖଦୁଃଖ ତା’ ପିଲା ପାଖରୁ ଆରମ୍ଭ ହୋଇ ତାଙ୍କଠି ହିଁ ସରିଯାଏ। ପିଲାର ଅଳିଅଝଟକୁ ସହି ତା’ର ସବୁ ଇଚ୍ଛାକୁ ପୂରଣ କରିବାକୁ ଯିଏ ଅସମ୍ଭବକୁ ସମ୍ଭବ କରିବାକୁ ପଛାଏ ନାହିଁ, ସେହି ମା’ର ବି କିଛି ଇଚ୍ଛା ଥାଏ, କିଛି ଆକାଂକ୍ଷା ଥାଏ; ଏକଥା ବଡ଼ ହେବା ପରେ କେତେ ଜଣ ସନ୍ତାନସନ୍ତତି ଭାବନ୍ତି! ସମସ୍ତେ ନ ହେଲେ ବି କିଛି ସୁଯୋଗ୍ୟ ସନ୍ତାନ ଏବେ ବି ଅଛନ୍ତି; ଯେଉଁମାନେ ତାଙ୍କ ମା’ଙ୍କୁ ପୂଜା କରିବା ସହ ଦୁନିଆର ସବୁ ଖୁସି ତାଙ୍କ ପାଦ ତଳେ ଆଣି ଥୋଇ ଦେବାକୁ ଚାହିଁ ରହିଥାନ୍ତି। ସେମିତି କେତେଜଣ ସନ୍ତାନଙ୍କ ସମ୍ପର୍କରେ…
ମା’ଙ୍କର ବୁଲିବାର ଇଚ୍ଛାକୁ ପୂରଣ କଲେ ପୁଅ
କେରଳର ଥ୍ରୀଶୁରଠାରେ ସପରିବାର ରୁହନ୍ତି ଗିଥାମ୍ମା। ଅନ୍ୟ ଗୃହିଣୀଙ୍କ ପରି ସେ ବି ସକାଳୁ ରାତି ଯାଏ ପରିବାରର ସବୁ ଲୋକଙ୍କର ଟିକିନିଖି କଥା ବୁଝୁଥାନ୍ତି। ନିଜ କଥା ଭାବିବାକୁ ତାଙ୍କ ପାଖରେ ସମୟ ନ ଥାଏ। ମେଶିନ୍ ପରି ଘରକାମରେ ସେ ଲାଗିଥାନ୍ତି। ଯେତେବେଳେ ଟିକେ ସମୟ ପାଆନ୍ତି ମାଗାଜିନ୍ ପଢିବସନ୍ତି, ସେ ପୁଣି ଟ୍ରାଭେଲ୍ ମାଗାଜିନ୍। କାରଣ ତାଙ୍କର ନୂଆ ନୂଆ ଜାଗା ବିଷୟରେ ଜାଣିବାର ସଉକ ଥାଏ। କେବଳ ସଉକ ନୁହେଁ ସେସବୁ ସ୍ଥାନକୁ ବୁଲିଯିବାକୁ ବି ତାଙ୍କର ଇଚ୍ଛା ଥାଏ। ହେଲେ ଯିବେ କେମିତି, ତାଙ୍କୁ ନେବ କିଏ। ମନର ଇଚ୍ଛା ତାଙ୍କର ସେମିତି ମନ ଭିତରେ ହିଁ ରହିଯାଏ। କିନ୍ତୁ ଏସବୁକୁ ଜଣେ ଲକ୍ଷ୍ୟ କରୁଥାଏ। ସେ ହେଲେ ତାଙ୍କର ପୁଅ ଶରଥ କ୍ରିଷ୍ଣନ୍। ପିଲା ବୟସରେ ସେ ବା କ’ଣ କରିପାରିବେ। ଏମିତି ସମୟ ବିତିଚାଲେ। ଧୀରେ ଧୀରେ ଶରଥ ବଡ଼ ହୋଇ ନିଜ ଗୋଡ଼ରେ ଠିଆ ହୁଅନ୍ତି। ରୋଜଗାରକ୍ଷମ ବି ହୋଇଯାନ୍ତି। ବାସ୍ ତା’ପରେ ସେ ନିଷ୍ପତ୍ତି ନିଅନ୍ତି ମା’ଙ୍କର ସେହି ଶୁପ୍ତ ଇଚ୍ଛାକୁ ପୂରଣ କରିବାକୁ। ଆଉ ଏ ବିଷୟରେ ସେ ତାଙ୍କ ମା’ଙ୍କୁ ମଧ୍ୟ ଜଣାନ୍ତି। କିନ୍ତୁ ମା’ ରାଜି ହୁଅନ୍ତି ନାହିଁ ଏକୁଟିଆ ତାଙ୍କ ସହିତ କୁଆଡ଼େ ବୁଲିଯିବା ପାଇଁ। ଦିନେ ଶରଥ ଯୋଜନା କରନ୍ତି ମା’ଙ୍କୁ ମୁମ୍ବାଇରେ ଥିବା ତାଙ୍କର ଜଣେ ସାଙ୍ଗର ଘରକୁ ବୁଲାଇ ନେଇଯିବା ପାଇଁ। କାରଣ ତାଙ୍କ ସାଙ୍ଗର ଗୋଟେ ସନ୍ତାନ ଜନ୍ମ ହୋଇଥାଏ। ନବଜାତ ଶିଶୁକୁ ଦେଖି ତାକୁ ଆଶୀର୍ବାଦ କରିଆସିବା କହି ଶେଷରେ ସେ ନିଜ ମା’ଙ୍କୁ ରାଜି କରାଇବାରେ ସକ୍ଷମ ହୋଇଯାନ୍ତି। ନିର୍ଦ୍ଧାରିତ ଦିନ ଯାଇ ସେମାନେ ମୁମ୍ବାଇରେ ପହଞ୍ଚତ୍ୟାନ୍ତି। ନବଜନ୍ମିତ ଶିଶୁକୁ ଦେଖିସାରିବା ପରେ ହଠାତ୍ ଶରଥ ପ୍ଲାନ କରନ୍ତି ସେଠାରୁ ନାସିକ୍ ଯାଇ ମା’ଙ୍କୁ ଆଖପାଖର କେତେକ ଜାଗା ଦେଖାଇବା ପାଇଁ। କିନ୍ତୁ ମା’ ରାଜି ହୁଅନ୍ତି ନାହିଁ। ବହୁତ ବୁଝାଶୁଝା କରିବା ପରେ ଶେଷରେ ତାଙ୍କ ମା’ ରାଜି ହୁଅନ୍ତି ଆଉ ସେମାନେ ଯାଇ ନାସିକ୍ର ବିଭିନ୍ନ ଜାଗା ବୁଲନ୍ତି। ପ୍ରଥମଥର ଘରୁ ବାହାରି କିଛି ନୂଆ ଜାଗା ଦେଖିଥିବାରୁ ଶରଥଙ୍କ ମା’ ଖୁବ୍ ଖୁସିଥାନ୍ତି। ତା’ପରେ ସେମାନେ ଘରକୁ ଫେରିଆସନ୍ତି। ବାସ୍ ତା’ପରଠୁ ଶରଥ କ୍ରମାଗତ ଭାବେ ମା’ଙ୍କୁ ନେଇ ନୂଆନୂଆ ଜାଗା ବୁଲିଯାନ୍ତି ଆଉ ତାଙ୍କୁ ନୂଆ ଅନୁଭୂତିମାନ ଦେଇଥାନ୍ତି। ଧୀରେ ଧୀରେ ତାଙ୍କ ମା’ଙ୍କର ବି ବାହାରେ ବୁଲିବାର ଭୟ ଛାଡିଯାଏ। ବେଳେବେଳେ ସେମାନେ କିଛିଟା ଦୁଃସାହସିକ ପର୍ଯ୍ୟଟନରେ ବି ବୁଲିଯାଇ ଫଟୋ ଉଠାଇଥାନ୍ତି। କେତେବେଳେ ପୁଅ ସଙ୍ଗେ ମିଶି ସାଇକେଲ୍ ଚଲାଇବା ତ କେତେବେଳେ ବୁଲେଟ୍ରେ ବସି ବୁଲିବା। ପୁଣି କେତେବେଳେ ଟ୍ରେକିଂ କରି ଉଚ୍ଚ ଉଚ୍ଚ ପାହାଡ ଚଢିବା, ବରଫରେ ଖେଳିବା ଇତ୍ୟାଦି। ୟା’ଭିତରେ ମା’ପୁଅ ଦେଶର ବିଭିନ୍ନ ସ୍ଥାନ ବୁଲି ଦେଖିବା ସହ ବିଦେଶର କିଛିଟା ସ୍ଥାନ ମଧ୍ୟ ବୁଲିସାରିଲେଣି। ଏବେ ଆହୁରି କେତେକ ସ୍ଥାନ ବାକି ଅଛି ଯେଉଁଠିକି ଶରଥ ନିଜ ମା’ଙ୍କୁ ବୁଲାଇ ନେବାକୁ ଇଚ୍ଛା ରଖିଛନ୍ତି। ସତରେ ଆଜିକାଲିକା ଯୁଗରେ ମା’ବାପାଙ୍କୁ ଭୁଲି ସାଙ୍ଗସାଥୀ ମେଳରେ ବୁଲିବାକୁ ପସନ୍ଦ କରୁଥିବା ଯୁବପିଢିଙ୍କ ପାଇଁ ଶରଥ ଜଣେ ଉଦାହରଣ।
ମା’ଙ୍କର ଶେଷ ଇଚ୍ଛା ପୂର୍ତ୍ତି ପାଇଁ
୧୨ ଲକ୍ଷ ଟଙ୍କା ଦାନକଲେ ପୁଅ
କେରଳର କନ୍ନୁର ଜିଲା ଅନ୍ତର୍ଗତ ମାୟିଲ ନାମକ ଏକ ସ୍ଥାନରେ ରୁହନ୍ତି କେ କେ ଉନ୍ନିକ୍ରିଷ୍ଣନ ଓ କେ କେ ବିନୋଦ କୁମାର। ସମ୍ପର୍କରେ ଦୁଇ ଭାଇ। ସେମାନଙ୍କ ବାପା କନ୍ନୋଥ ନାରାୟନନ୍ ନାମ୍ବିଆର୍ ସ୍ଥାନୀୟ ଅଞ୍ଚଳରେ ବିଲ୍ କଲେକ୍ଟର ଭାବେ କାମ କରୁଥିଲେ। ତାଙ୍କ ମୃତ୍ୟୁ ପରେ ସ୍ତ୍ରୀ ଅର୍ଥାତ୍ ଉନ୍ନିକ୍ରିଷ୍ଣନ ଓ ବିନୋଦ କୁମାରଙ୍କ ମା’ କନିୟେରୀ କନ୍ନୋଥ ସନ୍ଥଙ୍କୁ ପ୍ରତିମାସରେ ପେନ୍ସନ୍ ଟଙ୍କା ମିଳୁଥିଲା। ବାପଛେଉଣ୍ଡ ପିଲାଙ୍କୁ ମଣିଷ କରିବା ସହ ଘରର ସମସ୍ତ ଦାୟିତ୍ୱ ସନ୍ଥଙ୍କୁ ବୁଝିବାକୁ ପଡିଲା। ସେତେବେଳେ ଏହି ପେନ୍ସନ୍ ଟଙ୍କା ହିଁ ତାଙ୍କର ମୁଖ୍ୟ ସାହାରା ସାଜିଲା। ଘରଖର୍ଚ୍ଚ ସାଙ୍ଗକୁ ପିଲାଙ୍କ ପାଠପଢା ସବୁକଥା ବୁଝିବା ପରେ ଯାହା କିଛି ଅଳ୍ପ ବଳୁଥିଲା ତାହାକୁ ସେ ବିପଦ ଆପଦ ପାଇଁ ଜମାଖାତାରେ ସଞ୍ଚୟ କରି ରଖିଦେଉଥିଲେ। ଧୀରେ ଧୀରେ ପିଲାମାନେ ବଡ଼ ହୋଇ ସ୍ବାବଲମ୍ବୀ ହେଲେ। ବାହା ହୋଇ ଘର ସଂସାର ବି କଲେ। ସେମିତି କିଛି ବିଶେଷ ଆବଶ୍ୟକତା ପଡି ନ ଥିବାରୁ ସନ୍ଥଙ୍କର ସେହି ଜମାଖାତାରୁ କେବେ ବି ଟଙ୍କା ଉଠା ହୋଇ ନ ଥିଲା। ବୟସାଧିକ ହେତୁ ସନ୍ଥଙ୍କ ଦେହ ଧୀରେ ଧୀରେ ଖରାପ ହେଲା। ଏହି ସମୟରେ ସେ ଜାଣିବାକୁ ପାଇଲେ ଯେ, ତାଙ୍କ ଗାଁ ନିକଟରେ ଥିବା ଚେରୁପାଝାସି ନାମକ ଏକ ସ୍ଥାନରେ ନବକେରଲା ଲାଇବ୍ରେରି ନାଁରେ ଏକ ବହୁ ପୁରୁଣା ପାଠାଗାର ରହିଛି। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ତାହାର ସ୍ଥିତି ଆଉ ସେତେ ଭଲ ନାହିଁ। ଆଖପାଖ ଅଞ୍ଚଳର ଗରିବ ମେଧାବୀ ପିଲାମାନଙ୍କର ସାହାରା ସାଜିଥିବା ଏହି ଲାଇବ୍ରେରିର ପୁନରୁଦ୍ଧାର ହେବା ନିହାତି ଆବଶ୍ୟକ। ତେଣୁ ସନ୍ଥ ନିଜ ପିଲାମାନଙ୍କୁ କହିଥିଲେ, ମୋର ଜମାଖାତାରେ ଯାହା ବି ସଞ୍ଚତ୍ତ ଟଙ୍କା ଅଛି ସେ ସବୁକୁ ଉଠାଇ ଆଣି ଏହି ଲାଇବ୍ରେରିକୁ ଦାନ କରିଦେବ। ତା’ସହିତ ତାଙ୍କ ନିଜ ଆଲମାରିରେ ବି ଆଉ କିଛି ଟଙ୍କା ଅଛି ତାକୁ ବି ଦେଇଦେବ। ମା’ଙ୍କ କଥା ମାନି ପିଲାମାନେ ଜମାଖାତାରୁ ଟଙ୍କା ଉଠାଇ ଆଣିଲେ। ହେଲେ ଦୁର୍ଭାଗ୍ୟ ସେ ଟଙ୍କାକୁ ଦାନ କରିବା ପୂର୍ବରୁ ହିଁ ସନ୍ଥଙ୍କର ମୃତ୍ୟୁ ହୋଇଗଲା। କିନ୍ତୁ ତାଙ୍କ ପୁଅମାନେ ତାଙ୍କର ସେହି ଶେଷ ଇଚ୍ଛାକୁ ସମ୍ମାନ ଦେବାକୁ ଯାଇ ମା’ଙ୍କର ଶୁଦ୍ଧିକ୍ରିୟା ଚାଲିଥିବା ଭିତରେ ହିଁ ଜମାଖାତାରୁ ଆସିଥିବା ଟଙ୍କା ଏବଂ ମା’ଙ୍କ ଆଲମାରିରେ ଥିବା ଟଙ୍କା ସବୁକୁ ଏକାଠି କରି ଗଣିବାରୁ ଜାଣିଲେ ଯେ, ସେସବୁ ପ୍ରାୟ ୧୨ ଲକ୍ଷ ଟଙ୍କା ହେଉଛି। ସଙ୍ଗେସଙ୍ଗେ ସେମାନେ ନବକେରଲା ଲାଇବ୍ରେରିର ପ୍ରେସିଡେଣ୍ଟ ଓ ସେକ୍ରେଟାରିଙ୍କୁ ଖବର ଦେଲେ ତାଙ୍କ ଘରକୁ ଆସି ଏହି ଟଙ୍କାକୁ ନେଇଯିବା ପାଇଁ। ଖବର ପାଇ ସେମାନେ ବି ଆସିଲେ। ସସମ୍ମାନେ ଉନ୍ନିକ୍ରିଷ୍ଣନ ଓ ବିନୋଦଙ୍କ ମା’ଙ୍କର ସେହି ସଞ୍ଚତ୍ତ ରାଶିକୁ ଲାଇବ୍ରେରି କର୍ତ୍ତୃପକ୍ଷଙ୍କୁ ଦାନ କରି ମା’ଙ୍କର ଶେଷ ଇଚ୍ଛାକୁ ପୂରଣ କରିବାରେ ସକ୍ଷମ ହେଲେ। ସୂଚନାନୁଯାୟୀ, ପରେ ସେହି ଟଙ୍କାରେ କୁଆଡ଼େ ଉକ୍ତ ଲାଇବ୍ରେରିର ପ୍ରଥମ ମହଲା ଘର ନୂଆକରି ତିଆରି କରାଯାଇ ତାହାକୁ ୮ଟି ସବ୍-ସେକ୍ଶନରେ ବିଭକ୍ତ କରାଯାଇଥିଲା ଏବଂ ସେଥିରେ ବିଭିନ୍ନ ବିଷୟକୁ ଆଧାର କରି ପ୍ରାୟ ୧୨ ହଜାର ପାଠ୍ୟପୁସ୍ତକକୁ ସ୍ଥାନ ଦିଆଯାଇଥିଲା; ଯାହାକି ପ୍ରଶଂସାଯୋଗ୍ୟ।
ଚାଲିପାରୁ ନ ଥିବା ମା’ଙ୍କର ତାଜମହଲ ଦେଖିବାର ଇଚ୍ଛାକୁ ପୂରଣ କଲେ ପୁଅ
ଗୁଜରାଟର କଚ୍ଛ ଅଞ୍ଚଳର ବାସିନ୍ଦା ହେଲେ ଇବ୍ରାହିମ୍। ମା’ଙ୍କର ସେ ଥିଲେ ଗେହ୍ଲାପୁଅ। ଯେତେ କଷ୍ଟ ପଡିଲେ ବି ପୁଅର ସବୁ ଇଚ୍ଛାକୁ ପୂରଣ କରିବାକୁ ତାଙ୍କ ମା’ ସବୁବେଳେ ପ୍ରସ୍ତୁତ ରହୁଥିଲେ। ଇବ୍ରାହିମ୍ ବି ମା’ଙ୍କୁ ସେତିକି ସମ୍ମାନ କରୁଥିଲେ। ମା’ପୁଅଙ୍କର ଏହି ଅନାବିଳ ଭଲପାଇବା ଭିତରେ ସମୟ ଗଡ଼ିଚାଲିଲା। ବୟସ ବଢିବା ଯୋଗୁ ଇବ୍ରାହିମ୍ଙ୍କ ମା’ଙ୍କର ଅଣ୍ଟା ରୋଗ ବାହାରିଲା। ଯେତେ ଔଷଧପତ୍ର ଖାଇଲେ ବି ତାହା ଆଉ ଭଲ ହେଲାନି। ଧୀରେ ଧୀରେ ଇବ୍ରାହିମ୍ଙ୍କ ମା’ ଆଉ ଚଲାବୁଲା କରିପାରିଲେ ନାହିଁ। ତାଙ୍କ ପାଇଁ ହ୍ବିଲ୍ ଚେୟାର୍ର ଆବଶ୍ୟକତା ପଡିଲା। ଇବ୍ରାହିମ୍ ମା’ଙ୍କ ସୁବିଧା ପାଇଁ ଏକ ସ୍ବତନ୍ତ୍ର ଧରଣର ହ୍ବିଲ୍ ଚେୟାର ଆଣିଲେ; ଯାହାକୁ ହ୍ବିଲ୍ ଚେୟାର୍ ଭାବେ ବ୍ୟବହାର କରିହେବ, ଆଉ ଆବଶ୍ୟକ ପଡିଲେ ଏହାକୁ ଷ୍ଟ୍ରେଚର୍ର ରୂପ ଦେଇ ସେଥିରେ ମା’ଙ୍କୁ ଶୁଆଇ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇହେବ। ପ୍ରାୟ ୩୨ ବର୍ଷ ଏମିତି କଟିଗଲା। ଇବ୍ରାହିମ୍ଙ୍କ ମା’ ପୂରା ବୃଦ୍ଧା ହୋଇଗଲେ। ତାଙ୍କୁ ଯେତେବେଳେ ୮୫ ବର୍ଷ ବୟସ ହେଲା କେଜାଣି କାହିଁକି ହଠାତ୍ ଇବ୍ରାହିମ୍ଙ୍କ ମା’ଙ୍କର ଉତ୍ତରପ୍ରଦେଶ ଆଗ୍ରାସ୍ଥିତ ବିଶ୍ୱପ୍ରସିଦ୍ଧ ତାଜମହଲ ଦେଖିବାକୁ ଇଚ୍ଛା ହେଲା। ତାଙ୍କର ସେହି ଇଚ୍ଛାକୁ ସେ ଯେତେବେଳେ ପୁଅ ଇବ୍ରାହିମ୍ ଆଗରେ କହିଲେ, ଇବ୍ରାହିମ୍ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇଗଲେ। ଏତେ ବୟସରେ ପୁଣି ଏମିତି ଅବସ୍ଥାରେ ସେ ମା’ଙ୍କୁ କେମିତି ନେଇ ଆଗ୍ରା ଯିବେ, ସେହି କଥା ଖାଲି ଭାବିହେଲେ। ଦିନେ ନିଷ୍ପତ୍ତି ନେଲେ, ଯାହା ପଛେ ହେଇଯାଉ ସେ ଯେମିତି ହେଲେ ମା’ଙ୍କର ଶେଷ ଇଚ୍ଛାକୁ ପୂରଣ କରିବେ ଆଉ ତାଙ୍କୁ ତାଜମହଲ ଦେଖାଇବେ। ଏଥିପାଇଁ ସେ ଟ୍ରେନ୍ର ସାହାରା ନେଲେ। ହ୍ବିଲ୍ ଚେୟାର୍କୁ ଷ୍ଟ୍ରେଚର୍ର ରୂପ ଦେଇ ସେଥିରେ ମା’ଙ୍କୁ ଶୁଆଇ ସେ ଟ୍ରେନ୍ ଯୋଗେ ପ୍ରଥମେ ଆସି ଆଗ୍ରାରେ ପହଞ୍ଚତ୍ଲେ। ତା’ପରେ ସେଠାରୁ ତାଜମହଲ ପର୍ଯ୍ୟନ୍ତ ଗଲେ। କିନ୍ତୁ ଇବ୍ରାହିମ୍ଙ୍କ ମା’ ଯେହେତୁ ଷ୍ଟ୍ରେଚର୍ରେ ଶୋଇଥିଲେ ତେଣୁ ତାଙ୍କର ଗୁରୁତର ଅବସ୍ଥାକୁ ଦେଖି ପ୍ରଥମେ ତାଜମହଲ ଭିତରକୁ ପ୍ରବେଶ କରିବାକୁ ତାଙ୍କୁ ବାରଣ କରାଯାଇଥିଲା। ହେଲେ ପରେ ଯେତେବେଳେ ଇବ୍ରାହିମ୍ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସବୁକଥା ଜଣାଇଥିଲେ ଆଉ ତାଙ୍କ ମା’ ହ୍ବିଲ୍ ଚେୟାର୍ରେ ବସି ବୁଲିପାରିବେ ବୋଲି ଆଶ୍ୱାସନା ଦେଇଥିଲେ ତା’ପରେ ତାଙ୍କୁ ଭିତରକୁ ଯିବାକୁ ଦିଆଯାଇଥିଲା। ମା’ଙ୍କର ଶେଷ ଇଚ୍ଛାକୁ ପୂରଣ କରିପାରିଥିବାରୁ ସେଦିନ ଇବ୍ରାହିମ୍ ବହୁତ ଖୁସିଥିଲେ ଆଉ ତାଙ୍କ ମା’ ବି। ସେତେବେଳେ ଏହି ଘଟଣାକୁ ନେଇ ସୋସିଆଲ୍ ମିଡିଆରେ ଖୁବ୍ ଚର୍ଚ୍ଚା ମଧ୍ୟ ହୋଇଥିଲା।
ଶେଷ ଇଚ୍ଛା ପୂରଣ କରିବାକୁ ଚାଲି ପାରୁ ନ ଥିବା
ମା’ଙ୍କୁ କାନ୍ଧରେ ଟେକି ବୁଲାଇଲେ ପୁଅ
କେରଳର କୋଟ୍ଟାୟମ୍ ଜିଲା ଅନ୍ତର୍ଗତ ମୁଟ୍ଟୁଚିରା ଗାଁର ବାସିନ୍ଦା ହେଲେ ରୋଜାନ୍ ପାରାମ୍ବିଲ ଓ ସଥ୍ୟାନ୍। ସମ୍ପର୍କରେ ଦୁଇ ଭାଇ। ସେମାନେ ତାଙ୍କ ମା’ ଇଲିକୁଟ୍ଟି ପଲ୍ଙ୍କୁ ଖୁବ୍ ଭଲ ପାଆନ୍ତି। ପାଠପଢା ପରେ ରୋଜାନ୍ ସୁଇଜର୍ଲାଣ୍ଡରେ ରହି କାମ କରୁଥିଲେ। ଛୁଟିରେ ଯେବେ ବି ଘରକୁ ଆସୁଥିଲେ ମା’ ଓ ଭାଇକୁ ନେଇ ନିକଟସ୍ଥ ବିଭିନ୍ନ ଜାଗା ବୁଲି ଯାଉଥିଲେ। ଖୁବ୍ ମଜା କରୁଥିଲେ ସେମାନେ। ମଝିରେ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଯୋଗୁ ପ୍ରାୟ ୪/୫ ବର୍ଷ ପର୍ଯ୍ୟନ୍ତ ରୋଜାନ୍ ମା’ ଭାଇଙ୍କ ପାଖକୁ ଆଉ ଆସିପାରିଲେନି। ଆଉ ତା’ରି ଭିତରେ ମା’ ଇଲିକୁଟ୍ଟି ପୁଅ ରୋଜାନ୍ କଥା ଭାବି ଭାବି ଦୁଃଖରେ ଭାଙ୍ଗିପଡିଲେ। କ୍ରମେ ତାଙ୍କ ଦେହ ବି ଖରାପ ହୋଇଗଲା ଆଉ ବୟସାଧିକ ହେତୁ ସେ ଚଲାବୁଲା ମଧ୍ୟ କରିପାରଲେ ନାହିଁ। ପରେ ଯେତେବେଳେ ରୋଜାନ୍ ଘରକୁ ଫେରି ମା’ଙ୍କର ଏମିତି ଅବସ୍ଥା ଦେଖିଲେ ସେ ଦୁଃଖରେ ଭାଙ୍ଗିପଡିଲେ। ନିଜକୁ ଦୋଷୀ ଅନୁଭବ କଲେ। ପୁଣିଥରେ ମା’ ମୁହଁରେ ହସ ଫୁଟାଇବାକୁ ସେ ପ୍ରସ୍ତୁତ ହେଲେ। ପ୍ରଥମେ ପ୍ରଥମେ ମା’ଙ୍କୁ ସଜବାଜ କରି କାନ୍ଧରେ ଟେକି ଟେକି ନେଇ କାର୍ରେ ବସାଇ ପାଖାପାଖି କିଛି ସ୍ଥାନ ବୁଲିବାକୁ ଗଲେ। ଭାଇକୁ ବି ସାଙ୍ଗରେ ନେଉଥିଲେ। ଦେଖିଲେ ମା’ଙ୍କ ଭିତରେ କିଛିଟା ସକାରାତ୍ମକ ପରିବର୍ତ୍ତନ ହେଉଛି। ବାସ୍ ତା’ପରଠୁ ଲଗାତର ମା’ଙ୍କୁ ନେଇ ବିଭିନ୍ନ ଜାଗା ବୁଲିବାକୁ ଗଲେ। ଦିନେ ଏମିତି ବସିଥିବା ଅବସ୍ଥାରେ ମା’ଙ୍କୁ ପଚାରିଲେ ତାଙ୍କର ଇଚ୍ଛା କ’ଣ ହେଉଛି। ମା’ କହିଲେ, ତାଙ୍କର କୁଆଡ଼େ ବହୁତ ଦିନର ଇଚ୍ଛା ଅଛି, ମୁନ୍ନାରସ୍ଥିତ କଲ୍ଲିପ୍ପାରା ନୀଳକୁରୁଞ୍ଜି ପାହାଡ ଉପରେ ଫୁଟୁଥିବା ବିରଳ ବାଇଗଣୀ ରଙ୍ଗର ନୀଳକୁରୁଞ୍ଜି ଫୁଲର ଶୋଭାକୁ ନିଜ ଆଖିରେ ଦେଖିବା। ବାସ୍ ତା’ପରେ ଦିନେ ହଠାତ୍ ରୋଜାନ୍ ଓ ତାଙ୍କ ଭାଇ ମା’ଙ୍କୁ ଧରି କାର୍ ଯୋଗେ ସେହି ପାହାଡ ନିକଟରେ ପହଞ୍ଚତ୍ଗଲେ। କିନ୍ତୁ ସେଠାକୁ ଯାଇ ଜାଣିଲେ ପାହାଡ ଉପରକୁ ଗାଡି ଯିବା ପାଇଁ ସେମିତି କିଛି ରାସ୍ତାର ସୁବିଧା ନାହିଁ। ଲୋକଙ୍କୁ ଚାଲି ଚାଲି ଉପରକୁ ଯିବାକୁ ପଡିବ। ରୋଜାନ୍ ନିଷ୍ପତ୍ତି ନେଲେ ମା’ଙ୍କୁ କାନ୍ଧରେ ଟେକି ଟେକି ପାହାଡ ଉପରକୁ ନେବେ। ପ୍ରାୟ ଦେଢ କି.ମି ପର୍ଯ୍ୟନ୍ତ ରୋଜାନ୍ ମା’ଙ୍କୁ କାନ୍ଧେଇ କାନ୍ଧେଇ ଶେଷରେ ଯାଇ ପାହାଡ଼ ଶୀର୍ଷରେ ପହଞ୍ଚତ୍ଲେ। ପୁଅ ଏତେ କଷ୍ଟ କରୁଥିବାର ଦେଖି ମା’ ଇଲିକୁଟ୍ଟି ଖୁବ୍ କାନ୍ଦିଥିଲେ ସେଦିନ। ହେଲେ ମା’ଙ୍କର ଇଚ୍ଛା ପୂରଣ କରିବାରେ ସକ୍ଷମ ହୋଇପାରିଥିବାରୁ ସେଦିନ ରୋଜାନ୍ କିନ୍ତୁ ବହୁତ ଖୁସି ହୋଇଥିଲେ। ତା’ପରେ ଦୁଇଭାଇ ମିଶି ମା’ଙ୍କ ସହ ସେଠାରେ କିଛି ସମୟ ବସି ନୀଳକୁରୁଞ୍ଜି ଫୁଲର ଅପୂର୍ବ ଶୋଭାକୁ ମନଭରି ଉପଭୋଗ କରିବା ସହ ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ଶେୟାର୍ କରିଥିଲେ। ବାସ୍ ତା’ପରେ ଏ ଘଟଣା ଚର୍ଚ୍ଚାର ପରିସରକୁ ଆସିଥିତ୍ଲା।
ମା’ଙ୍କ ସ୍ମୃତିରେ ତାଜମହଲ ଗଢ଼ିଲେ ପୁଅ
ଚେନ୍ନାଇର ଥିରୁଭାରୁର ଜିଲା ଅନ୍ତର୍ଗତ ଆମ୍ମାଇୟାପ୍ପାନ ନାମକ ଏକ ସ୍ଥାନରେ ହାର୍ଡଓ୍ବେର୍ ଷ୍ଟୋର କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ ଅବଦୁଲ୍ କଦାର୍। ପରିବାର କହିଲେ ସ୍ତ୍ରୀ ଜୟିଲାନି ବିଓ୍ବି ଓ ଚାରି ଝିଅ ଓ ଗୋଟେ ପୁଅ। ବେଶ୍ ହସଖୁସିରେ ତାଙ୍କର ଦିନ କଟୁଥିଲା। କିନ୍ତୁ ହଠାତ୍ ରୋଗାଗ୍ରସ୍ତ ହୋଇ ଅବଦୁଲ୍ ଆଖି ବୁଜିଲେ। ପରିବାର ଓ ପିଲାମାନଙ୍କ କଥା ବୁଝିବାକୁ ଅଣ୍ଟାଭିଡ଼ିଲେ ଜୟିଲାନି। ସେତେବେଳକୁ ପୁଅ ଅମୃଦ୍ଦିନ୍ ଶେଖ୍ ଦାଓ୍ବଦ୍ଙ୍କୁ ମାତ୍ର ୧୧ ବର୍ଷ ବୟସ ହୋଇଥାଏ। ଘର କଥା ତା’ସାଙ୍ଗକୁ ହାର୍ଡଓ୍ବେର୍ ଷ୍ଟୋର କଥା ବୁଝିବା ସବୁକିଛି ଜୟିଲାନିଙ୍କୁ କରିବାକୁ ପଡିଲା। ସମୟ ଗଡ଼ିଚାଲିଲା। ଧୀରେ ଧୀରେ ପିଲାମାନେ ପାଠ ପଢି ବଡ଼ ହେଲେ। ଝିଅମାନେ ବାହା ହେଲେ। ପୁଅ ଅମୃଦ୍ଦିନ୍ ବିଏ ପାସ୍ କରି ହାର୍ଡଓ୍ବେର୍ ଷ୍ଟୋର କଥା ବୁଝିବା ସହ ଚେନ୍ନାଇରେ ନିଜର ଆଉ ଏକ ବ୍ୟବସାୟ ମଧ୍ୟ ଆରମ୍ଭ କଲେ। ମା’ କେତେ କଷ୍ଟ କରି ତାଙ୍କୁ ମଣିଷ କରିଛନ୍ତି ସେକଥାକୁ ସେ ସବୁବେଳେ ଭାବୁଥିଲେ। ତେଣୁ ମା’ଙ୍କୁ ଦୁନିଆର ସବୁ ଖୁସି ଦେବାକୁ ସେ ସବୁବେଳେ ଆଗଭର ଥିଲେ। ହେଲେ ବିଧିର ବିଧାନ ବାମ ଥିଲା। ତାଙ୍କ ମା’ଙ୍କ ବି ଦେହ ଖରାପ ହେଲା ଆଉ ସେ ବି ଆରପାରିକୁ ଚାଲିଗଲେ। କିନ୍ତୁ ମା’ଙ୍କର ଦେହାନ୍ତକୁ ସେ ସହଜରେ ଗ୍ରହଣ କରିପାରୁ ନ ଥିଲେ। ଆଉ ତାଙ୍କରି ସ୍ମୃତିରେ କିଛି ଗୋଟେ କରିବା ପାଇଁ ସେ ଚାହୁଁଥିଲେ। ଏହି ସମୟରେ ତାଙ୍କ ମନକୁ ଆସିଲା ତାଙ୍କର ଗୋଟେ ପ୍ରାୟ ଏକ ଏକର ଜାଗା ଅଛି। ସେଠାରେ ସେ ମା’ଙ୍କ ସ୍ମୃତିରେ ଏକ ସ୍ମୃତିସ୍ତମ୍ଭ ତିଆରି କରିବେ। ଏମିତି ଏକ ସ୍ମୃତିସ୍ତମ୍ଭ ଯାହାକି ଆଗ୍ରାର ତାଜମହଲ ପରି ଟିକେ ଲାଗିବ। କାରଣ ତାଙ୍କ ମା’ଙ୍କର ତାଜମହଲ ଖୁବ୍ ପସନ୍ଦ ଥିଲା। ବାସ୍ ତା’ପରଠୁ ଜୋରସୋର୍ରେ କାମ ଚାଲିଲା। ପ୍ରାୟ ୨ବର୍ଷ ପରେ ପାଖାପାଖି ୫ କୋଟି ଟଙ୍କା ବ୍ୟୟରେ ଅବଦୁଲ ମା’ଙ୍କ ସ୍ମୃତିରେ ସେହି ସ୍ଥାନରେ ଏକ ସୁନ୍ଦର ତାଜମହଲର ପ୍ରତିକୃତି ତିଆରି କରିବାରେ ସଫଳ ହୋଇଗଲେ; ଯାହାର ଖୁବ୍ ଚର୍ଚ୍ଚା ଆଜି ବି ହେଉଛି। ଫରକ କେବଳ ଏତିକି ଆଗ୍ରାରେ ଥିବା ତାଜମହଲ ଶାହାଜହାନ ଓ ମୁମ୍ତାଜ୍ଙ୍କର ଅମର ପ୍ରେମର ଗାଥା କହୁଥିବାବେଳେ ଚେନ୍ନାଇରେ ଗଢି ଉଠିଥିବା ଏହି ତାଜମହଲଟି କିନ୍ତୁ ଗୋଟେ ପୁଅର ତା’ ମା’ ପ୍ରତି ଥିବା ଶ୍ରଦ୍ଧା ଓ ଭକ୍ତିର କାହାଣୀ ବଖାଣୁଛି। ତେବେ ଅବଦୁଲ୍ ମା’ଙ୍କ ସ୍ମୃତିରେ କେବଳ ଏହି ତାଜମହଲଟି ଗଢି ଚୁପ୍ ହୋଇ ରହିଯାଇ ନାହାନ୍ତି, ସେହି ପରିସରରେ ଏକ ମଦ୍ରାସା ସ୍କୁଲ୍ ଗଢି ସେଠାରେ କିଛି ପିଲାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରୁଛନ୍ତି। ତା’ସହିତ ପ୍ରତିବର୍ଷ ନିଜ ମା’ଙ୍କ ଶ୍ରାଦ୍ଧ ଦିବସ ଅବସରରେ ସେ ନିଜ ହାତରେ ବିରିୟାନୀ ତିଆରି କରି ହଜାର ହଜାର ସଂଖ୍ୟାର ଗରିବ ନିଃସହାୟ ଲୋକଙ୍କୁ ଖାଇବାକୁ ଦେଉଛନ୍ତି; ଯେଉଁଠାକୁ ସବୁ ଧର୍ମର ଲୋକେ ଯାଇପାରିବେ। ସତରେ ଅବଦୁଲ୍ଙ୍କର ତାଙ୍କ ମା’ ପ୍ରତି ଥିବା ଏହି ଭକ୍ତିଭାବକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ।
କେବଳ ଏମାନେ ନୁହନ୍ତି, ଆହୁରି ବି ଏମିତି ସୁଯୋଗ୍ୟ ସନ୍ତାନ ସନ୍ତତି ଅଛନ୍ତି ଏ ଦୁନିଆରେ ଯେଉଁମାନେ ତାଙ୍କ ମା’ଙ୍କୁ କେବଳ ଭଲ ପାଆନ୍ତି ନାହିଁ ତାଙ୍କର ଇଚ୍ଛା ଆକାଂକ୍ଷାକୁ ପୂରଣ କରିବାକୁ ଏମିତି କିଛି କାମ କରିଯାନ୍ତି; ଯାହାକି ଅନ୍ୟମାନଙ୍କ କ୍ଷେତ୍ରରେ ବିରଳ ଲାଗେ।