ଦାରିଙ୍ଗବାଡ଼ି,୧୬ା୪(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳ ପାଙ୍ଗଲି ଗ୍ରାମରେ ପାରିବାରିକ ଗଣ୍ଡଗୋଳକୁ ନେଇ ପୁଅବୋହୂଙ୍କ ଆକ୍ରମଣରେ ଜଣେ ବୃଦ୍ଧା ମା’ଙ୍କ ମୃତ୍ୟୁ ହୋଇଥିବା ରବିବାର ଥାନାରେ ଅଭିଯୋଗ ହୋଇଛି। ମୃତା ବୃଦ୍ଧା ଜଣକ ହେଲେ ଉକ୍ତ ଥାନା ପାଡ଼ନକେତା ଗ୍ରାମର ପୁଷ୍ପାଞ୍ଜଳି ପରିଚ୍ଛା। ଏନେଇ ମୃତ ବୃଦ୍ଧାଙ୍କ ସ୍ବାମୀ ଲକପତି ପରିଚ୍ଛା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଏକାଧିକ ଲୋକଙ୍କୁ ଥାନାକୁ ଆଣି ପଚାର ଉଚରା କରୁଛି।
ଲକପତିଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଶାଶୁଙ୍କ ଶୁଦ୍ଧକ୍ରିୟା ପାଇଁ ସେମାନେ ପାଙ୍ଗାଲି ଗ୍ରାମକୁ ଆସିଥିଲେ। ସେଠାରେ ଶନିବାର ସନ୍ଧ୍ୟାରେ କୌଣସି କଥାକୁ ନେଇ ବଚସା ଓ ପରେ ବାଡ଼ଆପିଟା ହୋଇଥିଲା। ପୁଷ୍ପାଞ୍ଜଳିଙ୍କ ପୁଅ, ବୋହୂ ଏବଂ ତାଙ୍କ ସହଯୋଗୀମାନେ ଚୁଟି ଧରାଧରି, ଘୋଷଡ଼ା ଘୋଷଡ଼ି ସହ କୁଆଡ଼େ ପୁଷ୍ପାଞ୍ଜଳିଙ୍କ ତଳିପେଟକୁ ଗୋଇଠା ମାରି ଆକ୍ରମଣ କରିଥିବା ଅଭିଯୋଗ ପତ୍ରରେ ଉଲେଖ ରହିଛି। ପୁଷ୍ପାଞ୍ଜଳିଙ୍କୁ ଆକ୍ରମଣ କରାଯିବାରୁ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ପରେ ତାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାର ଅଧିକ ତଦନ୍ତ ଚାଲିଥିବା ଆଇଆଇସି କୌଶିକ ମାଝି କହିଛନ୍ତି।