ପିଲାଟିଏ ଜନ୍ମ ହେବା ସହିତ ଉଭୟ ନବଜାତ ଶିଶୁ ଏବଂ ପ୍ରସୂତିଙ୍କ ସୁରକ୍ଷା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ମା’ଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଏପ୍ରିଲ ୧୧ରେ ଜାତୀୟ ସୁରକ୍ଷିତ ମାତୃତ୍ୱ ଦିବସ ପାଳନ କରାଯାଇଥାଏ ।
ଗର୍ଭାବସ୍ଥାରେ, ପ୍ରସବ ସମୟରେ ଏବଂ ପ୍ରସବକାଳୀନ ସେବାରେ ପର୍ଯ୍ୟାପ୍ତ ଯତ୍ନ ନେବା କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା ପାଇଁ ଏହା ଭାରତୀୟ ହ୍ବାଇଟ ରିବନ ଆଲାଏନ୍ସର ଏକ ସ୍ବତନ୍ତ୍ର ପଦକ୍ଷେପ। ଭାରତରେ ମାତୃ ମୃତ୍ୟୁ ହାର ୧୫ ପ୍ରତିଶତ, ଯାହାକି ପୃଥିବୀରେ ସର୍ବାଧିକ। ଗର୍ଭାବସ୍ଥାରେ ଯତ୍ନ ଅଭାବରୁ ପ୍ରତିବର୍ଷ ଭାରତରେ ୪୪,୦୦୦ ମହିଳାଙ୍କର ମୃତ୍ୟୁ ଘଟିଥାଏ । ୧୮୦୦ ସଂଗଠନର ମିଳିତ ମଞ୍ଚ ଭାରତୀୟ ହ୍ବାଇଟ ରିବନ ଆଲାଏନ୍ସର ଅନୁରୋଧ କ୍ରମେ ଭାରତ ସରକାର ଏପ୍ରିଲ ୧୧କୁ ୨୦୦୩ରେ ଜାତୀୟ ସୁରକ୍ଷିତ ମାତୃତ୍ୱ ଦିବସ ଭାବରେ ଘୋଷଣା କରିଥିଲେ । ଏହି ଦିନଟି କସ୍ତୁରବା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ଭାବେ ମଧ୍ୟ ପାଳନ କରାଯାଇଥାଏ ।
ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଏବଂ ପ୍ରସୂତି ସୁବିଧା ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି ଏହି ଦିବସ ପାଳନ ଅବସରରେ ଅଭିଯାନ ଆୟୋଜିତ ହୋଇଥାଏ । ମହିଳାମାନଙ୍କର ନିରାପତ୍ତା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ନିରାପଦ ପ୍ରସବ ଏବଂ ଗର୍ଭଧାରଣ ସମେତ ଯେକୌଣସି ଅବସ୍ଥାରେ ସେମାନଙ୍କ ପାଇଁ ଜୀବନ ବଞ୍ଚିବାର ଅଧିକାରକୁ ସୁନିଶ୍ଚିତ କରିବା ଲାଗି ଏହି ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମଗୁଡ଼ିକରେ ଲକ୍ଷ୍ୟ ରଖାଯାଇଥାଏ । ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ, ଗର୍ଭଧାରଣ ଏବଂ ପ୍ରସବ ସମ୍ବନ୍ଧୀୟ ପ୍ରତିରୋଧକ କାରଣରୁ ପ୍ରତିଦିନ ପ୍ରାୟ ୮୩୦ ମହିଳାଙ୍କର ମୃତ୍ୟୁ ଘଟିଥାଏ । ବିକାଶଶୀଳ ଦେଶମାନଙ୍କରେ ମାତୃ ମୃତ୍ୟୁହାର ମଧ୍ୟ ଅଧିକ ରହିଛି। ପ୍ରସବ ପୂର୍ବରୁ, ସମୟରେ ଏବଂ ପରେ ମା’ଙ୍କର ଏବଂ ନବଜାତ ଶିଶୁଙ୍କର ଜୀବନ ରକ୍ଷା କରିବା ଲାଗି ଏହି ଅବସରରେ ସଚେତନତା ସୃଷ୍ଟି କରାଯାଇଥାଏ।