ସ୍ତନ୍ୟପାନବେଳେ ମା’ମାନେ ସଚେତନ ରୁହନ୍ତୁ

ଭୁବନେଶ୍ୱର, ୮।୮(ବ୍ୟୁରୋ): ଶିଶୁର ଉତ୍ତମ ସ୍ବାସ୍ଥ୍ୟ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ମା’ କ୍ଷୀର ହେଉଛି ସର୍ବୋତ୍ତମ ବିକଳ୍ପ। ମା’ କ୍ଷୀରରେ ଥିବା ଭିଟାମିନ୍‌, ଶ୍ୱେତସାର, ପୁଷ୍ଟିସାର, ଲୌହସାର, ଖଣିଜ ଲବଣ, କ୍ୟାଲ୍‌ସିୟମ୍‌ ଏବଂ ଜଳ ଶିଶୁ ପାଇଁ ଅତ୍ୟନ୍ତ ଉପଯୋଗୀ। ଜନ୍ମ ହେବାର କିଛି ଘଣ୍ଟା ମଧ୍ୟରେ ନବଜାତକକୁ ମା’ର କଷକ୍ଷୀର (କୋଲୋଷ୍ଟ୍ରମ୍‌) ପିଆଇବା ଅତ୍ୟନ୍ତ ଜରୁରୀ। ସ୍ତନ୍ୟପାନ ପାଇଁ ମା’ ମଧ୍ୟ ପୁଷ୍ଟିକର ଖାଦ୍ୟ ଖାଇବା ଏକାନ୍ତ ଆବଶ୍ୟକ। ଏହାଦ୍ୱାରା ଶିଶୁଙ୍କୁ ସଂକ୍ରମଣରୁ ରୋକାଯାଇପାରିବ। ବିଶେଷକରି କରୋନା ମହାମାରୀ ସମୟରେ ଶିଶୁକୁ ସ୍ତନ୍ୟପାନ କରାଉଥିବା ମା’ମାନେ ମାସ୍କ ପିନ୍ଧିବା, ହାତ ଧୋଇବା, ସ୍ବଚ୍ଛତା ଓ ସତର୍କତା ଅବଲମ୍ବନ କରିବା ଜରୁରୀ। ଗର୍ଭବତୀ ଓ ପ୍ରସୂତୀମାନେ ଏକ୍ଷେତ୍ରରେ ସଚେତନ ରହିବା ଆବଶ୍ୟକ ବୋଲି ଶୁକ୍ରବାର ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ ଅବସରର ପରାମର୍ଶ ଦିଆଯାଇଛି।
ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ସମସ୍ତ ଜିଲା ତଥା ଆଇସିଡିଏସ୍‌ ପ୍ରକଳ୍ପଗୁଡ଼ିକରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଥିଲା। ଚଳିତ ବର୍ଷର ବିଷୟବସ୍ତୁ ଥିଲା ‘ସୁସ୍ଥ ବିଶ୍ୱ ପାଇଁ ସ୍ତନ୍ୟପାନକୁ ସମର୍ଥନ।’ ଏହି ଅବସରରେ ଅଙ୍ଗନଓ୍ବାଡ଼ି କର୍ମୀମାନେ ଘରକୁ ଘର ବୁଲି ସ୍ତନ୍ୟପାନର ଉପାଦେୟତା ସମ୍ପର୍କରେ ପ୍ରସୂତି ଓ ମା’ମାନଙ୍କୁ ସଚେତନ କରିଛନ୍ତି। ସ୍ତନ୍ୟପାନ ସମୟରେ ଶିଶୁକୁ ଠିକ୍‌ ଭାବେ ଧରିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ବିଭିନ୍ନ ପ୍ରକଳ୍ପରେ ରାଲି ଏବଂ କାର୍ଯ୍ୟକ୍ରମ କରାଯାଇ ସଚେତନ କରାଯାଇଛି। ଅନେକ କାର୍ଯ୍ୟକ୍ରମ ଡିଜିଟାଲ୍‌ ମାଧ୍ୟମରେ କରାଯାଇଛି। ସ୍ତନ୍ୟପାନରେ ପରିବାରର ସଦସ୍ୟ ଏବଂ ଗୋଷ୍ଠୀର ମଧ୍ୟ ବିଶେଷ ଭୂମିକା ଓ ଦାୟିତ୍ୱ ରହିଛି ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି। ଏଥିସହ ସ୍ତନ୍ୟପାନ ସମ୍ପର୍କରେ ରହିଥିବା ବିଭିନ୍ନ ପ୍ରଶ୍ନ ଓ ଉତ୍ତର ସମ୍ବଳିତ ପ୍ରଚାର ପୁସ୍ତିକା ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ସ୍ତନ୍ୟପାନର ଉପାଦେୟତା ଏବଂ ଏହା ଦ୍ୱାରା ଉଭୟ ମା’ ଓ ଶିଶୁ କିଭଳି ଉପକୃତ ହେଉଛନ୍ତି ସେ ସମ୍ପର୍କରେ ଜିଲାସ୍ତରରୁ ଅନେକ ସଫଳ କାହାଣୀ ମଧ୍ୟ ସଚେତନତା କାର୍ଯ୍ୟକ୍ରମରେ ସାମିଲ କରାଯାଇଛି।

Share