ଶିଶୁକନ୍ୟାକୁ ହତ୍ୟା ପରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବ୍ରହ୍ମପୁର ଅଫିସ,୨୨।୮: ଗଞ୍ଜାମ ଜିଲା ସଦର ଥାନା ଅନ୍ତର୍ଗତ ଭାବିନୀପୁର ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ ଅଶାନ୍ତିରୁ ଜଣେ ମହିଳା ନିଜର ୧ବର୍ଷ ୭ ମାସର ଝିଅକୁ ହତ୍ୟାକରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଖବରପାଇ ପୋଲିସ ପହଞ୍ଚି ଶିଶୁକନ୍ୟା ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ହତ୍ୟା ଅଭିଯୁକ୍ତା ମା’ ସାବିତ୍ରୀ ଗୌଡ଼ଙ୍କୁ ଥାନାରେ ଅଟକ ରଖାଯାଇ ତଦନ୍ତ ଚାଲିଛି। ପୋଲିସ ସୂଚନା ଅନୁଯାୟୀ, ଭାବିନୀପୁର ମହାନ୍ତି ସାହିର କୁଳମଣି ଗୌଡ଼ ଗତ ପ୍ରାୟ ଅଢ଼େଇ ବର୍ଷ ତଳେ ରମ୍ଭା ଥାନା ଅନ୍ତର୍ଗତ ବେଲପଡ଼ାର ସାବିତ୍ରୀଙ୍କୁ ବିବାହ କରିଥିଲେ। ବିବାହର କିଛିଦିନ ପରେ ସାବିତ୍ରୀ ପରିବାରରେ ନ ରହି ଅନ୍ୟତ୍ର ରହିବାକୁ ଜିଦ୍‌ କରୁଥିଲେ। ରାଜମିସ୍ତ୍ରି କାମ କରି ପରିବାର ଚଳାଉଥିବା କୁଳମଣି ଏଥିରେ ରାଜି ହୋଇ ନ ଥିଲେ। ଝିଅ ଜନ୍ମ ପରେ ସ୍ତ୍ରୀଙ୍କୁ ସେ ବୁଝାଶୁଝା କରି ରଖିଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ଲାଗୁଥିଲା। କରୋନା ଲାଗି ଲକ୍‌ଡାଉନ୍‌ ଯୋଗୁ କାମଧନ୍ଦା ନ ମିଳିବାରୁ କୁଳମଣିଙ୍କ ଆର୍ଥିକ ସ୍ଥିତି ଭଲ ନ ଥିଲା। ଏଭଳି ସ୍ଥିତିରେ ସାବିତ୍ରୀ ପୁଣି ଅଲଗା ରହିବା ପାଇଁ ତାଙ୍କ ଉପରେ ଚାପ ପକାଇଥିଲେ। ଶୁକ୍ରବାର ସକାଳେ କୁଳମଣି ଓ ପରିବାର ଅନ୍ୟମାନେ ବିଲକୁ କାମ କରିବାକୁ ଯାଇଥିଲେ। ଝିଅକୁ ଧରି ସାବିତ୍ରୀ ଘରେ ରହିଥିଲେ। ମଧ୍ୟାହ୍ନରେ ପରିବାର ଲୋକେ ଫେରିବାରେ ଝିଅ ତଳେ ପଡ଼ି ରହିଥିବା ଓ ସାବିତ୍ରୀ ବସି କାନ୍ଦୁଥିବା ଦେଖିବାକୁ ପାଇଥିଲେ। କୁଳମଣି କ’ଣ ହୋଇଛି ବୋଲି ପଚାରିବାରୁ, ଝିଅର ପାଟି ଚିପି ଦେଇଥିବା ସାବିତ୍ରୀ କହିିଥିଲେ। ପରେ ସେ ନିଜ ହାତକାଟି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପରିବାର ଲୋକେ ତାଙ୍କୁ ଉଦ୍ଧାରକରି ପୋଲିସକୁ ଖବର ଦେଇଥିଲେ। ଏ ନେଇ ସଦର ଥାନାରେ ହତ୍ୟା ମାମଲା ରୁଜୁ କରାଯାଇଥିବା ଥାନାଧିକାରୀ ସନ୍ତୋଷିନୀ ଓରାମ ସୂଚନା ଦେଇଛନ୍ତି।

Share