ଜୀବିକା ଦୃଷ୍ଟିରୁ ମୋଟର ବୋଟ୍‌ ଚାଳନାକୁ ଅନୁମତି

କଟକ,୪ା୭(କାର୍ତ୍ତିକ ସାହୁ): ଚିଲିକାର ବିହଙ୍ଗ ବିହାର ଭାବେ ପରିଚିତ ମଙ୍ଗଳାଯୋଡ଼ିରେ ମୋଟର ବୋଟ ଚାଳନା ବନ୍ଦ ସଂକ୍ରାନ୍ତରେ ହାଇକୋର୍ଟରେ ଆଗତ ମାମଲାରେ ରାଜ୍ୟ ସରକାର ସୋମବାର ସତ୍ୟପାଠ ଦାଖଲ କରିଛନ୍ତି। ହାଇକୋର୍ଟ ବିଚାରପତି ଶୁଭାଶିଷ ତାଳପତ୍ର ଓ ବିଚାରପତି ସାବିତ୍ରୀ ରଥଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଛି। ମଙ୍ଗଳାଯୋଡ଼ିଠାରେ ବହୁ ଧୀବର ବହୁ ବର୍ଷ ଧରି ମାଛଧରାକୁ ବେଉସା କରି ପରିବାର ଚଳାଇ ଆସୁଛନ୍ତି। ଏଠାରେ ୨୦୦ ମୋଟର ବୋଟ୍‌ ଚାଲୁଛି। ବ୍ୟାଟେରି କିମ୍ବା ସୌରଚାଳିତ ବୋଟ୍‌ ବ୍ୟବହାର କରିବା ସମସ୍ତଙ୍କ ପକ୍ଷେ ସମ୍ଭବପର ହେବ ନାହିଁ। ଏହା ଜୀବନ ଜୀବିକାର କଥା ହୋଇଥିବାରୁ ମୋଟରଚାଳିତ ବୋଟ୍‌ ଦ୍ୱାରା ମାଛ ଧରିବା ଲାଗି ଅନୁମତି ପ୍ରଦାନ କରାଯାଇଛି। ଏଥିସହ ପକ୍ଷୀମାନଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆଯାଉଛି ବୋଲି ସତ୍ୟପାଠରେ ଦର୍ଶାଯାଇଛି।
ସେହିପରି ସତ୍ୟପାଠରେ ଆହୁରି ଦର୍ଶାଯାଇଛି ଯେ, ମଙ୍ଗଳାଯୋଡ଼ିରେ ବ୍ୟାଟେରି ଓ ସୌରଚାଳିତ ବୋଟ୍‌ ଚଳାଚଳ ପାଇଁ ମତ୍ସ୍ୟ ବିଭାଗ ଅତିରିକ୍ତ ନିର୍ଦ୍ଦେଶକଙ୍କ ତତ୍ତ୍ବାବଧାନରେ ବୈଠକ ହେବା ସହ ଏକ ବୈଷୟିକ ଦଳ ସମ୍ପୃକ୍ତ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିଥିଲେ। ସୌରଚାଳିତ ବୋଟ୍‌ ଚଳାଚଳ ନେଇ ଦେଶରେ ସେପରି କୌଣସି ବ୍ୟବସ୍ଥା ହୋଇ ନ ଥିବାରୁ ଦୁଇଟି ବ୍ୟାଟେରିଚାଳିତ ବୋଟ୍‌ର ମଡେଲ ପ୍ରସ୍ତୁତ ହୋଇଥିଲା। ଏହାର ମୂଲ୍ୟ ୧୫ଲକ୍ଷ ଟଙ୍କା ଓ ୧୧.୨୫ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଏହା ଯଥାକ୍ରମେ ୪୨୦ କିଲୋ ଓ ୨୮୦ କିଲୋ କ୍ଷମତା ବହନ କରିପାରିବ। ମାତ୍ର ଏହାର ମରାମତି ଲାଗି ଏଠାରେ କୌଣସି ବ୍ୟବସ୍ଥା ନାହିଁ। ତେଣୁ ବ୍ୟାଟେରିଚାଳିତ ବୋଟ୍‌ ବ୍ୟବହାର କରିବା ଗରିବ ମାଛ ଧରାଳିଙ୍କ କ୍ଷେତ୍ରରେ କଷ୍ଟକର ହୋଇପଡ଼ିବ। ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ମୋଟରଚାଳିତ ବୋଟ୍‌ ଚଳାଚଳ ଲାଗି ଅନୁମତି ପ୍ରଦାନ କରାଯାଇଛି ବୋଲି ସରକାର ଦର୍ଶାଇଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ଚିଲିକାର ପକ୍ଷୀ ଅଭୟାରଣ୍ୟ ମଙ୍ଗଳାଯୋଡ଼ିକୁ ପ୍ରତିବର୍ଷ ବହୁ ବିଦେଶୀ ପକ୍ଷୀ ଆସିଥାନ୍ତି। ଏହି ବିଦେଶୀ ପକ୍ଷୀଙ୍କ ଆଗମନ ବହୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସିଛି। ତେବେ ବହୁ ସଂଖ୍ୟକ ଧୀବର ମୋଟର ବୋଟ୍‌ ସହାୟତାରେ ମାଛ ଧରୁଥିବାରୁ ପକ୍ଷୀମାନେ ବିଶେଷ ଭାବେ କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ ମଙ୍ଗଳାଯୋଡ଼ିରେ ମୋଟର ବୋଟ୍‌ ପରିବର୍ତ୍ତେ ବ୍ୟାଟେରୀ କିମ୍ବା ସୌରଚାଳିତ ବୋଟ୍‌ ବ୍ୟବହାର ଲାଗି ଆବେଦନକାରୀ ଦିବାକର ବେହେରା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରିଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ମଙ୍ଗଳାଯୋଡ଼ିରେ ପକ୍ଷୀଙ୍କ ସୁରକ୍ଷା ନିମନ୍ତେ ସରକାର କ’ଣ ପଦକ୍ଷେପ ନେଇଛନ୍ତି ଓ ମୋଟର ବୋଟ୍‌ ପରିବର୍ତ୍ତେ ବ୍ୟାଟେରିଚାଳିତ ବୋଟ୍‌ ବ୍ୟବହାର ଲାଗି କି ପଦକ୍ଷେପ ଗ୍ରହଣ କରାଯାଉଛି ସେନେଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।