Advertisement

ଫକିର ମୋହନ ବିଶ୍ୱବିଦ୍ୟାଳୟ-ଭାରତୀୟ ପାଣିପାଗ ବିଭାଗ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷରିତ

ବାଲେଶ୍ୱର ଅଫିସ, ୧୮।୧୦: ଫକୀର ମୋହନ ବିଶ୍ୱବିଦ୍ୟାଳୟ ଓ ଭାରତୀୟ ପାଣିପାଗ ବିଭାଗ (ଆଇ.ଏମ.ଡି.) ନୂଆଦିଲ୍ଲୀ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି। ଏଥିରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରି ପାଣିପାଗ ସମ୍ବନ୍ଧୀୟ ଗବେଷଣା ଦିଗରେ ଏକ ବୃହତ୍ତର କ୍ଷେତ୍ରରେ କାର୍ଯ୍ୟକରିବାର ଲକ୍ଷ୍ୟ ନେଇ ଏହି ବିଶବିଦ୍ୟାଳୟ ପ୍ରତିଶୃତିବଦ୍ଧ ରହିବ ବୋଲି ମତ ଦେଇଥିଲେ। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର୍‌ ମୁନେଶ ଚନ୍ଦ୍ର ଅଧିକାରୀ ଏମ୍‌ଓୟୁ ସ୍ବାକ୍ଷରିତ ସଭାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ମତ ଦେଇ ପାଣିପାଗ ସମ୍ବନ୍ଧୀୟ ଅଧ୍ୟୟନ ଓ ଆକଳନ କ୍ଷେତ୍ରରେ ପ୍ରକୃତ ଗବେଷଣାର କ୍ଷେତ୍ର ପ୍ରସ୍ତୁତ କରିବାରେ ଏହି ପଦକ୍ଷେପ ବିଶେଷ ସହାୟକ ହୋଇପାରିବ ବୋଲି ପ୍ରକାଶ କରିଥିଲେ ।

କୁଳସଚିବ ଶ୍ରିମତୀ କୁକୁମୀନା ଦାସ ଉଭୟ ଫକୀର ମୋହନ ବିଶବିଦ୍ୟାଳୟ ଓ ଆଇ. ଏମ. ଡି. ତଥା ଭାରତୀୟ ପାଣିପାଗ ବିଭାଗ ମଧ୍ୟରେ ଏହି ବୁଝାମଣା ଜ୍ଞାପନପତ୍ର ସ୍ବାକ୍ଷରିତ ହେବା ଫଳରେ ଗବେଷଣା ନିମିତ୍ତ ବହୁବିଧ ଦିଗ ଉନ୍ମୋଚିତ ହୋଇପାରିବ ବୋଲି ମତ ଦେଇଥିଲେ। ଆଇଏମ୍‌ଡିର ନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଏହି ପରିପ୍ରେକ୍ଷୀରେ ଏମ୍‌ଓୟୁ ସ୍ବାକ୍ଷରିତ ହେବାର ସାମାଜିକ ଅର୍ଥନୈତିକ ସମୁନ୍ନତି ସମ୍ପର୍କୀୟ ମତବ୍ୟକ୍ତ କରିବା ସହିତ ‘ଚରମ ସ୍ତରୀୟ ପାଣିପାଗର ପୂର୍ବ ଚେତାବନୀ ଏବଂ ତ୍ୱରିତ ପଦକ୍ଷେପ’ ଶୀର୍ଷକ ଏକ ଭିତ୍ତିପ୍ରବନ୍ଧ ଜରିଆରେ ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟ ଓ ବିପର୍ଯ୍ୟୟ ପ୍ରଶମନ ବିଷୟରେ ଚର୍ଚ୍ଚା କରିଥିଲେ। ସଂଯୋଜକ ଡ. ନିହାର ରଞ୍ଜନ ରାଉତ ଏଥିରେ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡ. ବିବେକନନ୍ଦ ନାୟକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଆଇଟିଆର୍‌ ଭୁବନେଶ୍ବର ଓ ବାଲେଶ୍ୱରର ବୈଜ୍ଞାନିକବୃନ୍ଦ ଏଥିରେ ଉପସ୍ଥିତ ରହିଥିଲେ । ଡ. ସନ୍ତୋଷ ଅଗ୍ରୱାଲା ଏହି କାର୍ଯ୍ୟକ୍ରମ ଆୟୋଜନରେ ସହାୟତା କରିଥିଲେ। ଶେଷରେ ଡ. ମିହିର ତନୟ ଦାସ ଆନୁଷ୍ଠାନିକ ଭାବରେ ଧନ୍ୟବାଦ ଅର୍ପଣ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel