Categories: ରାଜ୍ୟ

କରୋନା ଲଦିଲା ୭ ବର୍ଷର ଝିଅ ମୁଣ୍ଡରେ ଦାୟିତ୍ୱର ପାହାଡ଼

ଭୋଗରାଇ,୧୪।୬- ବାପା ମା’ଙ୍କୁ ଛଡ଼ାଇ ନେଲା ମହାମାରୀ। ଉଜୁଡ଼ିଗଲା ସଂସାର। ଏବେ ପରିବାରରେ କେବଳ ୭ ବର୍ଷର ଝିଅ କ୍ରିଷ୍ଣା ଆଉ ତା’ର ଦେଢ଼ ମାସର ଭାଇ। ଘର ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ନିମାତ୍‌ପୁର ଗାଁରେ। ଖେଳକୁଦ ବୟସରେ ମୁଣ୍ଡରେ ଏବେ କୁନି ଭାଇର ଦାୟିତ୍ୱ। ଦୁଇ ପିଲାଙ୍କ ଭବିଷ୍ୟତ ନେଇ ସ୍ଥାନୀୟ ବାସିନ୍ଦା ଏବେ ଚିନ୍ତାରେ।

କରୋନାରେ କମଳେଶ ପଣ୍ଡା (୩୬) ଓ ତାଙ୍କ ସ୍ତ୍ରୀ ସ୍ମିତା (୨୮)ଙ୍କ ଅକାଳ ମୃତ୍ୟୁ ଘଟିଛି। ଏବେ ସେମାନଙ୍କୁ ଏବେ ଝୁରି ହେଉଛନ୍ତି କ୍ରିଷ୍ଣା। ଅନ୍ୟକୁ ଦେଖିଲେ କ୍ରିଷ୍ଣା ଆଖି ଛଳ ଛଳ କରି ଲୁହ ଗଡାଉଛି। ଦେଢ଼ମାସର ଭାଇ କ୍ଷୀର ପାଇଁ କାନ୍ଦୁଥିବା ବେଳେ ଭଉଣୀ ବଡ଼ମା’ ଓ ବଡ଼ବାପାଙ୍କଠାରୁ ଗାଈ କ୍ଷୀର ଆଣି ଖୁଆଉଛି। ବଡ଼ମା’ ଓ ବଡ଼ବାପାଙ୍କ ପାଖରେ ରହୁଥିଲେ ମଧ୍ୟ ମା’ବାପାଙ୍କ କଥା ମନେ ପକାଇ କାନ୍ଦୁଛି। ବଡ଼ମା’ ଓ ବଡ଼ବାପା ଅଭାବ ଅନାଟନ ମଧ୍ୟରେ ଦିନ କାଟୁଥିବା ବେଳେ କ୍ରିଷ୍ଣା ଚାହୁଁଛି ପାଠ ପଢ଼ିବାକୁ। ନିଜେ ପାଠ ପଢ଼ି ଭାଇକୁ ପଢ଼ାଇବ ବୋଲି ସେ କାନ୍ଦି କାନ୍ଦି କହିଛି।

Share