
ଭୁବନେଶ୍ବର,୨୮।୨: ଭେଟରାନ ଓଲିଉଡ୍ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକ ଘଟିଛି।୬୬ ବର୍ଷୀୟ ଉତ୍ତମ କିଛିଦିନ ହେଲା ଲିଭର ସିରୋସିସ୍ ରୋଗରେ ପୀଡ଼ିତ ହୋଇ ହରିୟାଣାର ଗୁରୁଗ୍ରାମସ୍ଥିତ ମେଦାନ୍ତା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ପରଲୋକରେ କେବଳ ଓଲିଉଡ୍ ନୁହେଁ, ଓଡ଼ିଶା ତଥା ଦେଶର ମନୋରଞ୍ଜନ ଜଗତରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକବ୍ୟକ୍ତ କରିବା ସହ ଉତ୍ତମ ମହାନ୍ତିଙ୍କୁ ଓଡ଼ିଆ ସିନେ ଜଗତର ଧ୍ରୁବତାରା ଭାବେ ଅଭିହିତ କରିଛନ୍ତି। ଉତ୍ତମଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହ ତାଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ସେହିପରି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, କ୍ରୀଡ଼ା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି। ଏହି ଖବର ପ୍ରକାଶିତ ହେବା ପରେ ସୋସିଆଲ ମିଡିଆ ପ୍ଲାଟ୍ଫର୍ମଗୁଡ଼ିକରେ ଉତ୍ତମଙ୍କ ଅଗଣିତ ପ୍ରଶଂସକ ତାଙ୍କ ମହାନ୍ ବ୍ୟକ୍ତିତ୍ୱକୁ ମନେପକାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାରେ ଲାଗିଛନ୍ତି।
ମୁଖ୍ୟମନ୍ତ୍ରୀ ମାଝୀ ଉତ୍ତମଙ୍କ ପରଲୋକରେ ଶୋକବ୍ୟକ୍ତ କରି କହିଛନ୍ତି, ଏହି ମହାନ୍ ଅଭିନେତାଙ୍କ ଦେହାନ୍ତ ବିଷୟ ଜାଣି ସେ ଅତ୍ୟନ୍ତ ଦୁଃଖିତ। ତାଙ୍କ ବିୟୋଗ ଓଡ଼ିଆ କଳାଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଓଡ଼ିଆ କଳାଜଗତରେ ସେ ଛାଡ଼ିଯାଇଥିବା ଅଭିନୟର ଛାପ ତାଙ୍କୁ ସର୍ବଦା ଦର୍ଶକଙ୍କ ହୃଦୟରେ ଅମର କରି ରଖିବ। ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ମୁଖ୍ୟମନ୍ତ୍ରୀ ଏକ୍ସ’ରେ ପୋଷ୍ଟ କରିଛନ୍ତି।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଲେଖିଛନ୍ତି, ବର୍ଷୀୟାନ ଅଭିନେତା ଉତ୍ତମ ମହାନ୍ତିଙ୍କ ଦେହାନ୍ତ ଖବର ତାଙ୍କୁ ବ୍ୟଥିତ କରିଛି। ଉତ୍ତମଙ୍କ ବିୟୋଗ ଓଡ଼ିଆ ସିନେ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ମହାପ୍ରଭୁଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ପ୍ରଭାତୀ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
ସେହିପରି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି। ଓଡ଼ିଆ ସିନେ ଜଗତର ଅଦ୍ୱିତୀୟ ନାୟକ ଉତ୍ତମ ମହାନ୍ତିଙ୍କ ଦେହାନ୍ତ ଖବର ସମଗ୍ର ଓଡ଼ିଶା ପାଇଁ ଶୋକ ଆଣିଦେଇଛି। ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।
ପିସିସି ସଭାପତି ଭକ୍ତ ଚରଣ ଦାସ ନିଜ ଶୋକ ବାର୍ତ୍ତାରେ କହିଛନ୍ତି, ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପର୍ ଷ୍ଟାର ଉତ୍ତମ ମହାନ୍ତିଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହତ। ଏହି ଦୁଃଖଦ ସମୟକୁ ସହ୍ୟ କରିବା ପାଇଁ ତାଙ୍କ ପରିବାର ଓ ପ୍ରଶଂସକମାନଙ୍କୁ ଈଶ୍ୱର ଧୈର୍ଯ୍ୟ ପ୍ରଦାନ କରନ୍ତୁ। ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରୁଛି।
ସେହିପରି କଣ୍ଠଶିଳ୍ପୀ ଦିପ୍ତୀରେଖା ପାଢ଼ୀ କହିଛନ୍ତି,ଓଡ଼ିଆ ସିନେମା ଜଗତର ଅପୂରଣୀୟ କ୍ଷତି। ତାଙ୍କ ଅଭିନୟ, ତାଙ୍କ କଳା, ତାଙ୍କ ଦୟାଳୁ ସଭା ଏବଂ ତାଙ୍କ ଅସାଧାରଣ ଅବଦାନ ଆମ ସମସ୍ତଙ୍କ ହୃଦୟରେ ଅମର ରହିବ। ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା।