ଭୁବନେଶ୍ୱର,୨୧। ୧୧(ବ୍ୟୁରୋ): ଷୋଡ଼ଶ ବିଧାନସଭାର ଶୀତକାଳୀନ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ପୂର୍ବତନ ବାଚସ୍ପତି ଶରତ ଚନ୍ଦ୍ର କରଙ୍କ ସମେତ ଦିବଂଗତ ବିଧାୟକଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ପରମ୍ପରା ଅନୁଯାୟୀ ପୂର୍ବତନ ବାଚସ୍ପତିଙ୍କ ବିୟୋଗରେ ଗୃହ କାର୍ଯ୍ୟ ଗୋଟିଏ ଦିନ ମୁଲତବୀ ରହୁଥିଲା। ହେଲେ ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁଯାୟୀ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହର ପ୍ରଥମ ପର୍ଯ୍ୟାୟ ତଥା ପୂର୍ବାହ୍ନ ଅଧିବେଶନକୁ ମୁଲତବୀ ରଖିଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସ ଏବଂ ୫ଜଣ ବିଧାୟକ ଲୋକସେବା ଭବନ ସମ୍ମିଳନୀ କକ୍ଷରୁ ଭିଡିଓ କନ୍ଫରେନ୍ସରେ ଗୃହ କାର୍ଯ୍ୟରେ ଯୋଗଦେଇଥିଲେ। ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ଦିବଂଗତ ପୂର୍ବତନ ବାଚସ୍ପତି ଶରତ କର, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ଗୁରୁପଦ ନନ୍ଦ, ପୂର୍ବତନ ବିଧାୟକ କାର୍ତ୍ତିକେଶ୍ୱର ପାତ୍ର ଏବଂ କୋଭିଡ୍ରେ ଜୀବନ ହରାଇଥିବା କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଶୋକ ପ୍ରସ୍ତାବ ଉପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ସିପିଏମ୍ ସଦସ୍ୟ ଲକ୍ଷଣ ମୁଣ୍ଡା ନିଜ ନିଜର ବକ୍ତବ୍ୟ ରଖିବାପରେ ବାଚସ୍ପତି ଦିବଂଗତ ସଦସ୍ୟ ଓ କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ କରିଥିଲେ।