Categories: ଜାତୀୟ

ଲଞ୍ଚ ହେଲା ‘ମୌସମ’ ଆପ୍‌

ନୂଆଦିଲ୍ଲୀ,୨୮।୭(ପି.ଟି.): ପାଣିପାଗ ସମ୍ପର୍କିତ ସବିଶେଷ ତଥ୍ୟ ଲୋକଙ୍କ ପାଖରେ ଉପଲବ୍ଧ ହେବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ମୌସମ’ ଆପ୍‌ ଲଞ୍ଚ୍‌ ହୋଇଛି। ଭୂବିଜ୍ଞାନ ମନ୍ତ୍ରୀ ହର୍ଷବର୍ଦ୍ଧନ ସୋମବାର ଏହି ଆପ୍‌ର ଶୁଭାରମ୍ଭ କରିଛନ୍ତି। ଏହା ସହର ଭିତ୍ତିକ ପାଣିପାଗ ପୂର୍ବାନୁମାନ ସମେତ ଅନ୍ୟାନ୍ୟ ସତର୍କ ସୂଚନା ଦେବ। ଇଣ୍ଟରନ୍ୟାଶନାଲ କର୍ପ୍‌ସ ରିସର୍ଚ୍ଚ ଇନ୍‌ଷ୍ଟଚ୍ୟୁଟ ଫର ଦି ସେମି-ଅରିଡ୍‌ ଟ୍ରପିକ୍ସ (ଆଇସିଆର୍‌ଆଇଏସ୍‌ଏଟି), ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟ୍ରପିକାଲ ମେଟେରୋଲୋଜି (ଆଇଆଇଟିଏମ୍‌) ପୁଣେ ଏବଂ ଭାରତୀୟ ପାଣିପାଗ ବିଭାଗ ମିଳିତ ଭାବେ ଏହି ମୋବାଇଲ ଆପ୍ଲିକେଶନର ବିକାଶ କରିଛନ୍ତି। ଏହି ଆପ୍‌ ଉଭୟ ଗୁଗଲ୍‌ ପ୍ଲେ ଷ୍ଟୋର ଏବଂ ଆପଲ୍‌ ଆପ୍‌ ଷ୍ଟୋରରେ ଉପଲବ୍ଧ। ଏହା ୨୦୦ ସହରକୁ ତତ୍କାଳ ପାଣିପାଗ ସୂଚନା ସମେତ ତାପମାତ୍ରା, ଆର୍ଦ୍ରତା, ପବନର ବେଗ ଓ ଦିଗ ସମ୍ପର୍କରେ ଜଣାଇଦେବ। ଦିନକୁ ୮ ଥର ତଥ୍ୟକୁ ସଂଶୋଧନ କରାଯାଇ ସଦ୍ୟ ସୂଚନା ପ୍ରଦାନ କରାଯିବା ବ୍ୟବସ୍ଥା ହୋଇଛି। ସ୍ଥାନୀୟ ପାଗ ସମ୍ପର୍କରେ ତତ୍କାଳ ସୂଚନା ସହ ପ୍ରତି ୩ ଘଣ୍ଟାରେ ସତର୍କ କରାଇଦିଆଯିବ। ଏହାବ୍ୟତୀତ ଦେଶର ୪୫୦ ସହରରେ ଆଗାମୀ ୭ ଦିନର ପାଣିପାଗ ସମ୍ପର୍କରେ ପୂର୍ବାନୁମାନ ମଧ୍ୟ ମୌସମ ଆପ୍‌ରେ ଉପଲବ୍ଧ ହେବ।

Share