ମହାପ୍ରଭୁଙ୍କ ମୂଷିକ ଭକ୍ତ: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ମୁଣ୍ଡିଆ ମାରିଲେ

ପୁରୀ,୧୪ା୧୨(ଅଜିତ୍‌ ମହାନ୍ତି): ମହାପ୍ରଭୁଙ୍କ ଦର୍ଶନ ପାଇଁ ଦେବତା, ଦାନବ, ଯକ୍ଷ, ମାନବ ଯେପରି ଆତୁର ହୋଇଥାନ୍ତି, ସେହିପରି ପଶୁପକ୍ଷୀ ମଧ୍ୟ ତାଙ୍କ ଆଶିଷ ଲାଭ କରିବା ପାଇଁ ବ୍ୟାକୁଳ ହୋଇ ଉଠିଥାନ୍ତି। କେବଳ ମଣିଷ ନୁହେଁ କ୍ଷୁଦ୍ର ପ୍ରାଣୀ ଓ କୀଟ ମଧ୍ୟ ମହାପ୍ରଭୁଙ୍କ ଭକ୍ତ। ଏହାର ଏକ ନିଆରା ଉଦାହରଣ ଗୁରୁବାର ସକାଳେ ଶ୍ରୀମନ୍ଦିର ପରିସରରେ ଦେଖିବାକୁ ମିଳିଛି। ଦୁଇଟି ମୂଷା ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ମୁଣ୍ଡିଆ ମାରିବା ସହ ‘ଜୟ ଜଗନ୍ନାଥ’ କହିଲେ ଚୁଁ ଚୁଁ କରିବା ଦୃଶ୍ୟ ସମସ୍ତଙ୍କୁ ଯେତିକି ବିସ୍ମିତ କରିଛି, ସେତିକି ଭାବବିହ୍ବଳ ମଧ୍ୟ କରିପକାଇଛି।
ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର କୋଲକାତାରୁ ଜଣେ ମହିଳା ଭକ୍ତ ପୁରୀ ବୁଲିବାକୁ ଆସିଥିଲେ। ସେ ତାଙ୍କ ସହିତ ଦୁଇଟି ମୂଷା ଆଣିଥିଲେ। ତନ୍ମଧ୍ୟରୁ ଗୋଟିଏ କଳା ଓ ଅନ୍ୟଟି ଧଳା ରଙ୍ଗର ଥିଲା। ସ୍ନେହରେ ଦୁହଁିଙ୍କୁ ‘ଗୋଲୁ ମୋଲୁ’ଡାକୁଥିଲେ। ଉଭୟଙ୍କୁ ସେ ଶୀତବସ୍ତ୍ର ପିନ୍ଧାଇଥିଲେ। ଅନ୍ୟ ମୂଷାଙ୍କ ଠାରୁ ଉକ୍ତ ମୂଷା ଦ୍ୱୟ ଭିନ୍ନ ବୋଲି ସେ କହିଥିଲେ। କାରଣ ସେ ସିଂହଦ୍ୱାର ସମ୍ମୁଖରେ ମହାପ୍ରଭୁଙ୍କୁ ପ୍ରଣିପାତ କଲା ଭଳି ମୂଷା ଦ୍ୱୟ ମୁଣ୍ଡିଆ ମାରିଥିଲେ। ଏପରି କି ସେ ‘ଜୟ ଜଗନ୍ନାଥ’ କହିଲେ ମୂଷା ଦୁଇଟି ଚୁଁ ଚୁଁ ଶବ୍ଦ କରି ତାହାକୁ ପରିପ୍ରକାଶ କରୁଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ଭକ୍ତ ଓ ସେବାୟତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଦୃଶ୍ୟ କୌତୂହଳ ସହ ଭାବମୟ ପରିବେଶ ସୃଷ୍ଟି କରିଥିଲା। ଏହା ମହାପ୍ରଭୁଙ୍କ ମହିମା ବୋଲି ସମସ୍ତେ କହିଥିଲେ। ଏହି ଦୃଶ୍ୟ ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ସେହିପରି ଉକ୍ତ ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

Share