Categories: ଜାତୀୟ

୧୪ରୁ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ, ୨୬।୮(ପି.ଟି.): ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧୪ରୁ ଆରମ୍ଭ ହୋଇ ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିବ। ସଂସଦୀୟ ବ୍ୟାପାର କ୍ୟାବିନେଟ କମିଟି ଏହି ସୁପାରିସ୍‌ କରିଛି। ସୂତ୍ର ଅନୁଯାୟୀ ମୌସୁମୀ ଅଧିବେଶନରେ ମୋଟ ୧୮ଟି ସିଟିଂ ରହିବ। ଶନିବାର ଓ ରବିବାର ଛୁଟି ନ ରହି ଅଧିବେଶନ ଚାଲିବ ବୋଲି ଏକ ସୂତ୍ରରୁ ଜଣାପଡିଛି। ପ୍ରତିଦିନ ଉଭୟ ଗୃହ ୪ ଘଣ୍ଟା ଲେଖାଏ ଚାଲିବ। ସକାଳେ ଗୋଟିଏ ସିଟିଂ ହେବାକୁ ଥିବାବେଳେ ଅପରାହ୍ନରେ ଅନ୍ୟ ସିଟିଂ ହେବ। ଅଧିବେଶନ ଚାଲିଥିବାବେଳେ ଏମ୍‌ପିମାନେ ସେମାନଙ୍କ ନିର୍ବାଚନ ମଣ୍ଡଳୀକୁ ଯେପରି ନ ଯିବେ କିମ୍ବା ସଂକ୍ରମିତ ନ ହେବେ ସେଥିପାଇଁ ଶନିବାର ଓ ରବିବାର ଅଧିବେଶନ ବସିବାକୁ ନିଷ୍ପତ୍ତି ହୋଇଛି। ଏଥର ଅଧିବେଶନରେ ଅନେକ କିଛି ନୂଆ ଦେଖିବାକୁ ମିଳିବ। କରୋନା ମହାମାରୀ ଯୋଗୁ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଲୋକ ସଭା ଓ ରାଜ୍ୟ ସଭାର ଉଭୟ ଚାମ୍ବର ଓ ଗ୍ୟାଲେରିକୁ ବ୍ୟବହାର କରାଯିବ। ରାଜ୍ୟ ସଭାର ୬୦ ସଦସ୍ୟ ଚାମ୍ବରରେ ବସିବାକୁ ଥିବାବେଳେ ୫୧ ସଦସ୍ୟ ଗ୍ୟାଲେରିରେ ଏବଂ ଅବଶିଷ୍ଟ ୧୩୨ ସଦସ୍ୟ ଲୋକ ସଭା ଚାମ୍ବରରେ ବସିବେ। ଲୋକ ସଭା ଅଧିବେଶନରେ ମଧ୍ୟ ଅନୁରୂପ ଆସନ ବ୍ୟବସ୍ଥା କରାଯିବ। ପ୍ରଥମ ଥର ଲାଗି ବଡ଼ ଡିସ୍‌ପ୍ଲେ ସ୍କ୍ରିନ୍‌ ଏବଂ ଅଡିଓ କନ୍‌ସୋଲ ଲାଗିବ। ଦୁଇ ଗୃହ ମଧ୍ୟରେ ସ୍ବତନ୍ତ୍ର କେବଲ ଏବଂ ପଲିକାର୍ବୋନେଟ ସେପାରେଟର ରହିବ। ଜୀବାଣୁ ଓ ଭୂତାଣୁ ମାରିବା ପାଇଁ ରାଜ୍ୟ ସଭାର ଶୀତତାପ ନିୟନ୍ତ୍ରିତ ୟୁନିଟ୍‌ରେ ଅଲ୍‌ଟ୍ରାଭାଓଲେଟ ଇରାଡିଏଶନ ସିଷ୍ଟମ ଲଗାଇବା ପ୍ରସ୍ତାବ ରହିଛି। ରାଜ୍ୟ ସଭା ଚାମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ, ଗୃହର ନେତା ଓ ବିରୋଧୀ ଦଳ ନେତାଙ୍କ ପାଇଁ ଆସନ ସଂରକ୍ଷିତ ରହିବ। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ଏଚ୍‌.ଡି. ଦେବେଗୌଡ଼ାଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ଆସନ ରହିବ। ଅଫିସର ଗ୍ୟାଲେରି ଓ ପ୍ରେସ୍‌ ଗ୍ୟାଲେରିରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି ୧୫ ଜଣ ଲେଖାଏ ବସିବା ନିମନ୍ତେ ଅନୁମତି ଦିଆଯିବ। ସେହି ଅନୁଯାୟୀ ସଚିବାଳୟ ଅଧିକାରୀ ଓ ଖବରଦାତାଙ୍କ ସଂଖ୍ୟା ସୀମିତ କରାଯିବ ବୋଲି ଜଣାପଡିଛି। ଅସ୍ଥାୟୀ କିମ୍ବା ସେସନ୍‌ ପାସ୍‌ଧାରୀଙ୍କୁ ଅନୁମତି ମିଳିବ ନାହିଁ।

Share