ପ୍ରାର୍ଥନା ସଭାରେ ଛାତିକୁ ମୁଥ

କାମାକ୍ଷାନଗର,୧୩।୭(ସୁଧୀର ପରିଡ଼ା)ପ୍ରାର୍ଥନା ସଭାରେ ଶିକ୍ଷୟିତ୍ରୀଙ୍କ ମୁଥ ମାଡ଼ରେ ଗୁରୁତର ହୋଇଛନ୍ତି ଛାତ୍ର। ଏଭଳି ଅମାନବୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ସଦରସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଅସୁସ୍ଥ ହୋଇପଡ଼ିଥିବା ଷଷ୍ଠ ଶ୍ରେଣୀ ଛାତ୍ର ଗଣପତି ମହାନ୍ତ (୧୨)ଙ୍କୁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଅଭିଯୋଗ ଅନୁଯାୟୀ, ଗଣପତିଙ୍କ ଘର କଙ୍କଡ଼ାହାଡ଼ ନିକଟବର୍ତ୍ତୀ କେରଜୋଳି ପଞ୍ଚାୟତ ଗୋପପୁର ଗ୍ରାମରେ। ବୁଧବାର ପୂର୍ବାହ୍ନରେ ମା’ ଭାରତୀ ମହାନ୍ତ ତାଙ୍କୁ ନେଇ ବିଦ୍ୟାଳୟରେ ଛାଡ଼ିଦେଇ ଆସିଥିଲେ। ଏହାର କିଛି ସମୟ ପରେ ପୁଅ ଅସୁସ୍ଥ ହୋଇପଡ଼ିଥିବା ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ନିକଟରୁ ସୂଚନା ଆସିଥିଲା। ମା’ ଭାରତୀ ଏବଂ ଅଜା ବୈରାଗୀ ମହାନ୍ତ ତୁରନ୍ତ ସ୍କୁଲରେ ପହଞ୍ଚତ୍ଥିଲେ।
ଏହି ସମୟରେ ଗଣପତି ଯନ୍ତ୍ରଣାରେ ଛଟପଟ ହେବା ସହ ଭଲଭାବେ କଥା କହିପାରୁ ନ ଥିଲେ। ତାଙ୍କୁ ପ୍ରଥମେ କଙ୍କଡ଼ାହାଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ଆସିବାରୁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ମେଡିକାଲକୁ ନେବା ସମୟରେ ଶିକ୍ଷାନୁଷ୍ଠାନର କୌଣସି ଶିକ୍ଷୟିତ୍ରୀ ଶିକ୍ଷକ ମାନବିକତା ଦୃଷ୍ଟିରୁ ସାମାନ୍ୟତମ ସହାୟତା କରି ନ ଥିବା ଭାରତୀ ଅଭିଯୋଗ କରିଛନ୍ତି। ସାମାନ୍ୟ ସୁସ୍ଥ ହେବା ପରେ ଛାତ୍ର ଜଣକ ସବୁକଥା କହିଥିଲେ। ନଖ ଯାଞ୍ଚ ବେଳେ କୌଣସି କାରଣରୁ ଉତ୍ତ୍ୟକ୍ତ ହୋଇ ସମ୍ପୃକ୍ତା ଶିକ୍ଷୟିତ୍ରୀ ଛାତ୍ରଙ୍କ ଛାତିକୁ ମାଡ଼ ମାରିଥିବା ଜଣାପଡ଼ିଛି।
ଅନ୍ୟପଟେ ଦଣ୍ଡମୁକ୍ତ ଅଞ୍ଚଳରେ ଶିକ୍ଷୟିତ୍ରୀଙ୍କ ମାଡ଼ରେ ଛାତ୍ର ଗୁରୁତର ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଏହାକୁ ଗୁରୁତର ସହ ନେଇଛି ଶିକ୍ଷା ବିଭାଗ। ଏ ନେଇ ବିଇଓ ସାଗର ଟୁଡୁ କୁହନ୍ତି, ଶିକ୍ଷାନୁଷ୍ଠାନରେ ଏଭଳି ଘଟଣାକୁ ବରଦାସ୍ତ କରାଯିବ ନାହିଁ। ଅଭିଯୋଗର ତଦନ୍ତ କରାଯିବ। ଏଥିରେ ସତ୍ୟତା ଥିଲେ ଶିକ୍ଷୟିତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Share