ନ୍ୟାୟ ପାଇଁ ଆନ୍ଦୋଳନ

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଗୁରୁବାରଠାରୁ ସଦର ଥାନା ଅନ୍ତର୍ଗତ ଗୋହାଲଡିହି ରେଲେଓ ସାଇଡିଂରେ ଗୋହାଲଡିହି ରେଲଓ୍ବେ ସାଇଡିଂ କଲ୍ୟାଣ ପରିଷଦ ପକ୍ଷରୁ କ୍ଷତିଗ୍ରସ୍ତ ପ୍ରଜାଙ୍କ ଗଣଧାରଣା ଆରମ୍ଭ ହୋଇଛି। ଗୋହାଲଡିହିର ଗାଁ ମୁଣ୍ଡ ଓ ରେଲଓ୍ବେ ସାଇଡିଂ ମୁଖ୍ୟ ରାସ୍ତା ଉପରେ ସାମୁହିକ ଧାରଣା ସଂଗଠନର ସଭାପତି ନବଘନ ମାଝିଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି। କ୍ଷତିଗ୍ରସ୍ତ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ବିଶେଷକରି ଜମିହରା ପରିବାରର ସଦସ୍ୟମାନେ ବିଗତ ବର୍ଷଗୁଡ଼ିକରେ ଯେଉଁ ଭଳି ନିର୍ଯାତନା ଭୋଗିଛନ୍ତି ତା’ର ପ୍ରତିବାଦରେ ଏବଂ ସେମାନଙ୍କ ଦୀର୍ଘ ଦିନର ଦାବିରେ ଏହି ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଆରମ୍ଭ ହୋଇଛି। ଏହି ଅବସରରେ ଅନୁଷ୍ଠିତ ପ୍ରତିବାଦ ସଭାରେ କମଣି ମାଝି ଓ ଅନ୍ୟ ବହୁ ମହିଳା ବକ୍ତବ୍ୟ ରଖିଥିଲେ। ସିଟୁ ସଂଗଠନର ନେତା ତୃପ୍ତିରଞ୍ଜନ ପଟ୍ଟନାୟକ, କିଶୋର ମହାକୁଡ଼ ଓ ପୂର୍ଣ୍ଣ ରାଉତ ଯୋଗଦେଇ ଜିଲା ପ୍ରଶାସନର ସ୍ଥାନୀୟ ଜମିହରାଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଥିବାରୁ ନିନ୍ଦା ପ୍ରକାଶ କରିଥିଲେ। ପରିଷଦର ସଂପାଦକ ଟୁବୁଲୁ ମାଝି ଏବଂ ଅନ୍ୟ ସାଥୀମାନେ ବକ୍ତବ୍ୟ ରଖି ଏହି ଗଣଧାରଣାକୁ ଜିଲା ପ୍ରଶାସନ ମାନବ ଅଧିକାର କମିଶନଙ୍କ ଶେଷ ଶୁଣାଣିକୁ ତୁରନ୍ତ କାର୍ଯ୍ୟରେ ପରିଣତ କରିବାକୁ ଦାବି କରିଥିଲେ। ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜରି ରହିବ ବୋଲି ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ, ଗୋହାଲଡିହି ସାଇଡିଂରେ ଲୁହାପଥର ଲୋଡିଂ, ଅନଲୋଡିଂ ତଥା ଲେବଲିଙ୍ଗ ପାଇଁ ସ୍ଥାନୀୟ କ୍ଷତିଗ୍ରସ୍ତ ଲୋକଙ୍କ ନେଇ ଗଠିତ ଏକ ସଂଗଠନକୁ କାର୍ଯ୍ୟାଦେଶ ଦିଆଯାଇଛି। ତେବେ ଏହି ରେଳ ସାଇଡିଂ ଦ୍ୱାରା କ୍ଷତିଗ୍ରସ୍ତ ଅନ୍ୟ କେତେକ ଗ୍ରାମର ଲୋକଙ୍କୁ ବାଦ ଦିଆଯାଇଥିବାରୁ ବିବାଦ ଦେଖାଦେଇଥିଲା। ଏହାକୁ ନେଇ ଅନେକ ଥର ଗଣ୍ଡଗୋଳ ଘଟିଛି। ତେବେ କାମ ପାଇ ନ ଥିବା ଗୋହାଲଡିହି ରେଲଓ୍ବେ ସାଇଡିଂ କଲ୍ୟାଣ ପରିଷଦ ପକ୍ଷରୁ ଏହାକୁ ନେଇ ଆଇନଗତ ଓ ସାମ୍ବିଧାନିକ ଲଢେଇ ଜାରି ରଖିଥିବା ବେଳେ ମାନବାଧିକାର କମିଶନ ସେମାନଙ୍କ ଅଧିକାର ଦେବା ପାଇଁ ଜିଲା ପ୍ରଶାସନକୁ ଆଦେଶ କରିଥିଲେ।

Share