ବିମାନ ବନ୍ଦର ପ୍ରତିଷ୍ଠା ନେଇ ଆନ୍ଦୋଳନ

ହିଞ୍ଜିଳିକାଟୁ,୧୩।୨(ଡି.ଏନ୍‌.ଏ.) : ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରରେ ବିମାନ ବନ୍ଦର ସ୍ଥାପନ ଦାବି ନେଇ ହିଞ୍ଜିଳିକାଟୁରେ ଶନିବାର ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନ କରାଯାଇଛି। କମିଟିର ସଦସ୍ୟମାନେ ସ୍ଥାନୀୟ ବିଜୁବାବୁ ଛକରେ ଦାବି ପ୍ରସଙ୍ଗରେ ପ୍ରଥପ୍ରାନ୍ତ ସଭା କରିଥିଲେ। ଦାବିକୁ ସମର୍ଥନ ଜଣାଇ ଦସ୍ତଖତ ଅଭିଯାନରେ ଶତାଧିକ ବ୍ୟକ୍ତି ସ୍ବାକ୍ଷର କରିଥିଲେ। ‘ଉଡାନ’ ଯୋଜନାରେ ଓଡ଼ିଶାକୁ ମଞ୍ଜୁର ହୋଇଥିବା ବିମାନ ବନ୍ଦର ତାଲିକାରେ ବ୍ରହ୍ମପୁରର ସ୍ଥାନ ନାହିଁ। ଏଥିପାଇଁ କମିଟି ସଦସ୍ୟମାନେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଗଞ୍ଜାମ ଜିଲା ପ୍ରତି ବୈମାତୃକ ମନୋଭାବ ଥିବା ଅଭିଯୋଗ କରିଛନ୍ତି।

ଆସନ୍ତା ଏପ୍ରିଲ ପହିଲା ସୁଦ୍ଧା ବ୍ରହ୍ମପୁରରେ ବିମାନ ବନ୍ଦର ସ୍ଥାପନ ପ୍ରତିଷ୍ଠା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ପଦକ୍ଷେପ ନେଇ ଘୋଷଣା କରିବାକୁ କମିଟି ପକ୍ଷରୁ ଦାବି ହୋଇଛି। ଦାବି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୋଷ୍ଟକାର୍ଡ଼ ପଠାଯାଇଛି। ଏଥିରେ କ୍ରିୟାନୁଷ୍ଠାନ କମିଟିର ଆବାହକ ରାଜେନ୍ଦ୍ର ପଣ୍ଡା, ଅବନୀ ଗୟା, ଭିକାରୀ ଚରଣ ବେହେରା ଗୌରହରି ପୃଷ୍ଟି, ରାକେଶ ରଥ, ବିଶ୍ୱଦେବଙ୍କ ସମେତ ବହୁ କମିଟି ସଦସ୍ୟ ଓ ସ୍ଥାନୀୟ ଲୋକ ସାମିଲ ଥିଲେ।

Share