ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ

ଅନୁଗୋଳ ଅଫିସ,୧୦।୫ ଅନୁଗୋଳ ଜିଲାରେ ବିଦ୍ୟୁତ୍‌ କାଟ ଓ ପାନୀୟ ଜଳ ସମସ୍ୟା ସହ ଡିଏମ୍‌ଏଫ୍‌ରେ ହୋଇଥିବା ବ୍ୟାପକ ଦୁର୍ନୀତି ବିରୋଧରେ ଭାଜପା ଆନ୍ଦୋଳନକୁ ଓହ୍ଲାଇବ। ଏ ସମ୍ପର୍କରେ ସୋମବାର ଜିଲା ଭାଜପା କାର୍ଯ୍ୟାଳୟଠାରେ ଜିଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କୁହାଯାଇଛି, ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଦିନକୁ ୬ ଘଣ୍ଟାରୁ ଊର୍ଦ୍ଧ ସମୟ ବିଜୁଳି କାଟ ହେଉଛି। ଲୋ ଭୋଲ୍ଟେଜ଼ ସମସ୍ୟାର ସମାଧାନ କରାଯାଉ ନାହିଁ। ପିଇବା ପାଣି ପାଇଁ ଅନେକ ଅଞ୍ଚଳରେ ଲୋକମାନେ ଡହଳବିକଳ ହେଉଛନ୍ତି। କିନ୍ତୁ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଏଥିପ୍ରତି ସାମାନ୍ୟତମ ଦୃଷ୍ଟି ନାହିଁ। ସେହିପରି ଡିଏମ୍‌ଏଫ୍‌ରେ ଥିବା ହଜାର ହଜାର କୋଟି ଟଙ୍କାକୁ ବିନା ଟେଣ୍ଡରରେ ଜିଲା ପ୍ରଶାସନ ମନଇଚ୍ଛା ଖର୍ଚ୍ଚ କରି ଶାସକ ଦଳ ପାଇଁ ପାଣ୍ଠି ଯୋଗାଡ଼ କରୁଛି। ଜିଲାରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ବ୍ୟାପକ ଦୁର୍ନୀତି ହୋଇଥିବା ଆଦି ପ୍ରସଙ୍ଗ ଉପରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ପ୍ରଶାସନ ଓ ରାଜ୍ୟ ସରକାର ଏ ସମସ୍ତ ବିଷୟ ପ୍ରତି ତୁରନ୍ତ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ଭାଜପା ରାସ୍ତାକୁ ଓହ୍ଲାଇବ ବୋଲି ସଭାପତି ପ୍ରଧାନ ଚେତାବନୀ ଦେଇଛନ୍ତି। ଏହି ବୈଠକରେ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ ସମ୍ପାଦକ ତଥା ଜିଲା ପ୍ରଭାରୀ ସୀମାଞ୍ଚଳ ଖଟେଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା, ଭାଗୀରଥି ପ୍ରଧାନ ଓ ପ୍ରତିମା ମିଶ୍ର, ଜିଲା ଉପ ସଭାପତି ନୃସିଂହ ବରାଳ, ଅମୀୟ ତ୍ରିପାଠୀ ଓ ସୁଜାତା ଦାସ,ସାଧାରଣ ସମ୍ପାଦକ ପ୍ରକାଶ ମହାରଣା ଓ ସୁଦୀପ ଗଡ଼ନାୟକ, ବରିଷ୍ଠ ନେତା ଯଯାତି ପଟ୍ଟନାୟକ ଓ ଦିଲୀପ ପ୍ରଧାନ, ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ, ଜିଲା କୃଷକ ମୋର୍ଚ୍ଚା ସଭାପତି ବିଜୟ ମାଝି, ଜିଲା ସମ୍ପାଦକ ଚିତ୍ତରଞ୍ଜନ ମେହେର ଓ ପ୍ରଭାତ ପ୍ରଧାନ, ଜିଲା କୋଷାଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ମିଡିଆସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

Share