ଗଳାବାଟରେ ଚାଲିଛି ଚଳପ୍ରଚଳ

ଜଳେଶ୍ୱର, ୧୫ା୫(ଡି.ଏନ.ଏ.): କରୋନା ଭୂତାଣୁର ୨ୟ ଲହର ସମଗ୍ର ଦେଶରେ କାୟା ବିସ୍ତାର କରି ଚାଲିଥିବା ବେଳେ ପଶ୍ଚିମବଙ୍ଗ ମ୍ୟୁଟାଣ୍ଟକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କଠୋର ନୀତି ଅବଲମ୍ବନ କରାଯାଇଛି। ଓଡିଶା-ପଶ୍ଚିମବଙ୍ଗ ସୀମା ସିଲ୍‌ କରାଯିବା ସହିତ ଯାନବାହନ ଯାଞ୍ଚ କଡାକଡି କରାଯାଉଛି। ଏନେଇ ପ୍ରଶାସନ ପକ୍ଷରୁ ଉଚ୍ଚପଦସ୍ଥ ଅଧିକାରୀମାନେ ବାରମ୍ବାର ସୀମାନ୍ତ ଅଞ୍ଚଳ ପରିଦର୍ଶନ କରି ସମୀକ୍ଷା କରୁଛନ୍ତି । ହେଲେ ଆଗରେ ତାଲା ପଛରେ ମେଲା ଭଳି କେତେକ ଗଳା ରାସ୍ତାରେ ଦଲାଲମାନଙ୍କ ସହାୟତାରେ ପ୍ରବାସୀମାନେ ଓଡିଶା ମଧ୍ୟକୁ ପ୍ରବେଶ କରୁଥିବା ନଜରକୁ ଆସିଛି।
ବାଲେଶ୍ୱର ଜିଲାର ଉପାନ୍ତ ଜଳେଶ୍ୱର ବ୍ଲକର ନେତୁଆ, ସୁଗୋ, ନଛିମପୁର, ଲକ୍ଷ୍ମଣନାଥ, ଗୋବରଘଟ୍ଟା, ଦକ୍ଷିଣପ୍ରହରାଜପୁର, ଶ୍ରୀରାମପୁର, ମାକିଡିଆ, ଓଲମରା, ଶ୍ୟାମନଗର, ସର୍ଦ୍ଦାରବନ୍ଧ ଓ ଖୁଆଡ ପଞ୍ଚାୟତର ୪୫ଟି ଗାଁ ପଶ୍ଚିମବଙ୍ଗର ୫୧ଟି ଗାଁକୁ ଲାଗି ରହିଛି। ୬୦ନଂ. ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲପ୍ଲାଜା ନିକଟରେ ସ୍ବତନ୍ତ୍ର ପୋଲିସ ମୁତୟନ ହୋଇ ଯାଞ୍ଚ କଡାକଡି ଚାଲିଛି। ପ୍ରଶାସନ ପକ୍ଷରୁ ମୁଖ୍ୟ କେତେକ ରାସ୍ତାକୁ ସିଲ୍‌ କରାଯାଇଥିବା ବେଳେ କେତେକ ଗ୍ରାମ୍ୟ ରାସ୍ତା ଏବେ ବି ମୁକୁଳା ପଡିଛି। ପଶ୍ଚିମବଙ୍ଗର ଧୋଇପଡା-ଓଡିଶାର ନେତୁଆ ପଞ୍ଚାୟତର ସାହାପୁର ରାସ୍ତା ଖୋଲା ରହିଛି। ଟୋଲପ୍ଲାଜା ନିକଟରେ ଥିବା ପାସିଂ ଅଫିସ୍‌କୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିବା ବେଳେ ଏବେ ବି ଗୋଟିଏ ଦୁଇଟି ପାସିଂ ଅଫିସ୍‌ କାର୍ଯ୍ୟ କରୁଛି। ଗଳାବାଟର ସୁଯୋଗ ନେଇ ପାସିଂ ଅଫିସ୍‌ରେ କାର୍ଯ୍ୟ କରୁଥିବା କେତେକ ଦଲାଲ ରାତିରେ ପ୍ରତି ଚାରିଚକିଆ ଯାନରୁ ୫ହଜାର ଟଙ୍କା ନେଇ ଓଡିଶା ମଧ୍ୟକୁ ପ୍ରବେଶ କରାଉଛନ୍ତି। ଏପରିକି ସେମାନେ ଜାଲ କାଗଜପତ୍ର କରାଇ ଯାଞ୍ଚ କରାଯାଉଥିବା ରାସ୍ତାରେ ଗାଡି ପାର୍‌ କରୁଛନ୍ତି। ଦଲାଲମାନେ ଗାଡିଗୁଡିକୁ ଚେକ୍‌ଗେଟ ନିକଟରୁ ଫେରାଇ ନେଇ ପଶ୍ଚିମବଙ୍ଗର ସୁନାକଣିଆ-ମାଟିବିରୁଆଁ ରାସ୍ତାରେ ନେଇ ବରିଂନିମପୁରରୁ ଧୋଇପଡା-ସାହାପୁର-ସୁଗୋ ରାସ୍ତାରେ କଡେଇ ନେଉଛନ୍ତି। ସୁଗୋଠାରେ ଜଣେ ଦଲାଲ ଗାଡି ପ୍ରତି ୨ହଜାର ଟଙ୍କା ନେଇ ପଶ୍ଚିମବଙ୍ଗରୁ ଆସୁଥିବା ଗାଡିକୁ ଏସ୍କର୍ଟ ଦେଉଛନ୍ତି । ଏପରି କାର୍ଯ୍ୟ ଚାଲୁଥିବା ବେଳେ ପୋଲିସ କିପରି ଟେର୍‌ ପାଉନି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେଣୁ ପ୍ରବାସୀମାନଙ୍କ ଅନୁପ୍ରବେଶ ରୋକିବାକୁ ବହୁ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ଦାବି କରିଛନ୍ତି। ଏ ସମ୍ପର୍କରେ ଏସ୍‌ଡିପିଓ ଅଙ୍କିତା କୁମ୍ଭାରଙ୍କୁ ପଚରାଯିବାରୁ ସେ କହିଛନ୍ତି, ଏହା ମୋ ନଜରରେ ନାହିଁ। ଯଦି ଏପରି ହେଉଥାଏ, ତାହାହେଲେ ସେସବୁ ସ୍ଥାନରେ ଖୁବ୍‌ଶୀଘ୍ର ବ୍ୟାରିକେଡ କରାଯାଇ ପୋଲିସ ମୁତୟନ କରାଯିବାର ବ୍ୟବସ୍ଥା କରାଯିବ।