
ବରଗଡ଼,୨୪।୧(ପ୍ରେମାନନ୍ଦ ଖମାରୀ):ବିଦ୍ୟୁତ୍ ସମସ୍ୟାକୁ ନେଇ ବରଗଡ଼ ଜିଲା ସଂଯୁକ୍ତ କୃଷକ ସଙ୍ଗଠନ ଆନ୍ଦୋଳନମୁହାଁ ହୋଇଛି। କୃଷିକ୍ଷେତ୍ରରେ ବ୍ୟବହୃତ ବିଦ୍ୟୁତ୍ ଏବଂ ଘରୋଇ ବିଦ୍ୟୁତ୍ ବିଲ୍କୁ ନେଇ ସଙ୍ଗଠନ ଉଦ୍ବେଗ ପ୍ରକାଶ କରି ଏହାର ସମାଧାନ ପାଇଁ ବାରମ୍ବାର ସରକାର ତଥା ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଆସିଛି। କିନ୍ତୁ କିଛି ସୁଫଳ ମିଳିନାହିଁ। ସେହିପରି ବିଦ୍ୟୁତ୍ କର୍ମଚାରୀମାନେ ଚାଷୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରୁଛନ୍ତି ଏବଂ ଏତଲା ସତ୍ତ୍ୱେ ପୋଲିସ ଆକ୍ରମଣକାରୀଙ୍କୁ ଅନୁକମ୍ପା ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସଂଯୁକ୍ତ କୃଷକ ସଙ୍ଗଠନ ପୁଣି ତାତି ଉଠିଛି। ଘେଁସ୍ ଗୁରୁଭବନରେ ବୁଧବାର ସ୍ଥାନୀୟ ଶହୀଦ ମାଧୋସିଂ ଆଞ୍ଚଳିକ କୃଷକ ସଙ୍ଗଠନ ପକ୍ଷରୁ ଅନୁଷ୍ଠିତ ବୈଠକରେ ସଙ୍ଗଠନର ସଭାପତି ମୁରଲୀ ଭୋଇ ସଭାପତିତ୍ୱ କରିଥିଲେ। ଚାଷୀଙ୍କ ଉପରେ ବିଦ୍ୟୁତ୍ କର୍ମଚାରୀଙ୍କ ଆକ୍ରମଣ ଘଟଣା ଏବଂ ଏଥିରେ ପୋଲିସର କୋହଳନୀତିକୁ ନେଇ ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା।
ସେହିପରି ସଂଯୁକ୍ତ କୃଷକ ସଙ୍ଗଠନର ଆଇନ ପରାମର୍ଶଦାତା ଅଜିତ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଦ୍ୱିତୀୟ ଅଧିବେଶନରେ ଜିଲାର ବିଭିନ୍ନ ଚାଷୀ ସଙ୍ଗଠନର ପ୍ରତିନିଧିମାନେ ଯୋଗଦାନ କରିଥିଲେ। ବୈଠକରେ କୃଷିକ୍ଷେତ୍ରରେ ଉପୁଜି ଆସୁଥିବା ବିଦ୍ୟୁତ୍ ସମସ୍ୟା ସମୂହ ଉପରେ ଆଲୋଚନା ହୋଇଥିଲା। ବକେୟା ବିଦ୍ୟୁତ୍ ବିଲ୍ ସମ୍ପୂର୍ଣ୍ଣ ଛାଡ଼, ସ୍ମାର୍ଟ ମିଟର ସ୍ଥାପନ ବନ୍ଦ କରାଯିବା, ୩୦୦ ୟୁନିଟ୍ ଯାଏ ବିଦ୍ୟୁତ୍ ବିଲ୍ ଛାଡ଼ କରାଯିବା, ହୀରାକୁଦ ପାଣି ଜଳସେଚନ ଆଧାରରେ ଚାଷକ୍ଷେତ୍ରରେ ବ୍ୟବହୃତ ବିଦ୍ୟୁତ୍ ବିଲ୍ କରାଯିବା, କମ୍ପାନୀ ହାତକୁ ଦିଆ ନ ଯାଇ ସରକାର ବିଦ୍ୟୁତ୍ ବିଭାଗ ପରିଚାଳନା କରିବା ଦାବି ହୋଇଥିଲା। ଏହି ଦାବି ନେଇ ଆସନ୍ତା ୨୮ତାରିଖରେ ଆନ୍ଦୋଳନ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଚାଷୀନେତା ପ୍ରେମରାଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।