ପାରଳାଖେମୁଣ୍ଡି,୨୩।୨(ଡି.ଏନ.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ନବ ନିର୍ମାଣ କୃଷକ ସଂଘ ଗୁରୁବାର ଆନ୍ଦୋଳନକୁ ଓହ୍ଲାଇଛି। ୭ ଦଫାର ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ଦାବି ମଧ୍ୟରେ ଜିଲାରେ କପା ମଣ୍ଡି ଖୋଲାଯିବା ସହ ମିଲେଟ ମିଶନରେ ହୋଉଥିବା ଦୁର୍ନୀତିର ତଦନ୍ତ କରିବାକୁ ଦାବି କରାଯାଇଛି। ସେହିପରି କୃଷକଙ୍କୁ ପେନସନ ୫୦୦ ଟଙ୍କା ବଦଳରେ ୨୦୦୦ ଟଙ୍କାକୁ ବୃଦ୍ଧି ସହ ଜିଲାରେ ବିଭିନ୍ନ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର କରାଯାଇ ଚାଷୀଙ୍କୁ ପାଣି ଯୋଗାଇବା ଇତ୍ୟାଦି ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ହଜାରହଜାର ଚାଷୀଙ୍କୁ ନେଇ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି।