ପାପଡାହାଣ୍ଡି,୧୩।୬ (ଡି.ଏନ୍.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ଶହୀଦ ମିନାରରେ ରବିବାର ଜିଲାର ରେଗୁଲାରରୁ ବଞ୍ଚତ୍ତ ଗଣଶିକ୍ଷକଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଉପଦେଷ୍ଟା ଉମେଶ ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ବୈଠକରେ ଜିଲାର ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ରେଗୁଲାରରୁ ବଞ୍ଚତ୍ତ ଗଣଶିକ୍ଷକ ଯୋଗ ଦେଇଥିଲେ। ଗଣଶିକ୍ଷକମାନଙ୍କୁ ଦୀର୍ଘ ଦିନ ଧରି ରେଗୁଲାର କରାଯାଇ ନ ଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା। ଦୀର୍ଘ ୧୪ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପ୍ରାୟ ଚାରି ହଜାର ଶିକ୍ଷକ ମାସିକ ଦରମା ୭ ହଜାର ଟଙ୍କା ଦରମାରେ କାମ କରୁଛନ୍ତି। ସେତିକି ଟଙ୍କାରେ ବର୍ତ୍ତମାନ ସମୟରେ ପରିବାର ଚଳାଇବା ସମ୍ଭବ ନୁହେଁ। ବାରମ୍ବାର ପ୍ରଶାସନକୁ ଅବଗତ କରିବା ସତ୍ତ୍ୱେ କେହି କିଛି ପଦକ୍ଷେପ ନେଉ ନ ଥିବା ଶିକ୍ଷକମାନେ କହିଛନ୍ତି। ପ୍ରଶାସନ ତରଫରୁ ସେମାନଙ୍କୁ ରେଗୁଲାର କରା ନ ଗଲେ ଆଗାମୀ ଦିନରେ ଶିକ୍ଷକମାନେ ନବରଙ୍ଗପୁରରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।