ପୁଣି ଆନ୍ଦୋଳନକୁ ଓହ୍ଲାଇବେ ଅମଲା

ବ୍ରହ୍ମପୁର,୯।୧୦(ସ୍ମୃତି ରଞ୍ଜନ ମହାଲିକ୍‌): ମିଳିତ ଅମଲା ସଂଘ ମଞ୍ଚ ଗଞ୍ଜାମ ଜିଲା କମିଟି ପକ୍ଷରୁ ଏକ ବୈଠକ ଗେଟ୍‌ ବଜାର ଏନ୍‌ଜିଓ ହଲରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଂଘର ଜିଲା ସଭାପତି ପୂର୍ଣ୍ଣ ଚନ୍ଦ୍ର ବେହେରା ସଭାପତିତ୍ୱ କରିଥିଲେ।

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଅମଲାମାନେ ଦୀର୍ଘ ଦିନ ଧରି ଉପେକ୍ଷିତ ହେଉଥିବା ଦୃଷ୍ଟିରୁ ଅମଲାଙ୍କ ସର୍ବନିମ୍ନ ଗ୍ରେଡ ପେ ୪୨୦୦ ଟଙ୍କା ନିର୍ଦ୍ଧାରଣ କରିବାକୁ ସଂଘ ପକ୍ଷରୁ ଦାବି କରାଯାଉଛି। ଦାବି ପୂରଣ ନେଇ ଅମଲାଙ୍କ ପକ୍ଷରୁ ବାରମ୍ବାର ଧାରଣା, ବିକ୍ଷୋଭ କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ସରକାରଙ୍କ ବୈମାତୃକ ମନୋଭାବ ପ୍ରତିବାଦ ସ୍ବରୁପ ଗତ ଜୁନ ମାସରେ ରାଜ୍ୟର ସମସ୍ତ ବିଭାଗର ଅମଲାମାନେ ୧୭ ଦିନ ଧରି ସମୂହ ଛୁଟିରେ ଯାଇଥିଲେ। ଫଳରେ ରାଜ୍ୟ ସରକାର ୧ ମାସ ମଧ୍ୟରେ ଦାବି ପୂରଣ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ଅନୁଯାୟୀ ଦାବି ପୂରଣ ହୋଇ ନ ଥିବା ନେଇ ମଞ୍ଚ ଅଭିଯୋଗ ହୋଇଛି। ଏଣୁ ଆସନ୍ତା ୧୫ ତାରିଖ ସୁଦ୍ଧା ଦାବି ପୂରଣ ଦିଗରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ ନ କଲେ ମଞ୍ଚ ପକ୍ଷରୁ ପୁଣି ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ମଞ୍ଚର ସମ୍ପାଦକ ସି.ଏଚ୍‌ ରଜନୀକାନ୍ତ ଓ ସଂଗଠନ ସମ୍ପାଦକ ଶିବ ପ୍ରସାଦ ପାଣିଗ୍ରାହୀଙ୍କ ସମେତ ମଞ୍ଚର ବହୁ ସଦସ୍ୟ ଉପସ୍ଥିତ ଥିଲେ।