ଘୁଞ୍ଚିଲା ମେଡିକାଲ ଅଫିସର ପରୀକ୍ଷା

ଭୁବନେଶ୍ୱର, ୨୧।୪(ବ୍ୟୁରୋ): କରୋନା ସ୍ଥିତିକୁ ଦେଖି ରାଜ୍ୟ ସରକାର ଶନିବାର ଓ ରବିବାର ସମସ୍ତ ସହରାଞ୍ଚଳରେ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହା ଆସନ୍ତା ୨୪ତାରିଖରୁ ଲାଗୁ ହେବ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ମେଡିକାଲ ଅଫିସର ପରୀକ୍ଷାକୁ ଘୁଞ୍ଚାଇ ଦେଇଛି। ଆସନ୍ତା ୨୫ତାରିଖରେ ହେବାକୁ ଥିବା ଏହି ପରୀକ୍ଷାକୁ ୨୮ତାରିଖକୁ ଘୁଞ୍ଚାଯାଇଛି। ଏନେଇ ଓପିଏସ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପରୀକ୍ଷାର୍ଥୀମାନେ କୋଭିଡ୍‌ ନିୟମାବଳୀର ଠିକ୍‌ ଅନୁପାଳନ ଯଥା ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ବଜାୟ ରଖିବା ଇତ୍ୟାଦି ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି। ପରୀକ୍ଷା କେନ୍ଦ୍ରରେ ଥର୍ମାଲ ସ୍କ୍ରିନିଂ, ସାନିଟାଇଜର ଓ ମାସ୍କ ଦେବାର ବ୍ୟବସ୍ଥା କରାଯାଇଛି। ସିଲିକନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ବ୍ୟତୀତ ପୂର୍ବରୁ ଥିବା ଅନ୍ୟ ସମସ୍ତ ପରୀକ୍ଷା କେନ୍ଦ୍ରଗୁଡ଼ିକ ଅପରିବର୍ତ୍ତିତ ରହିଛି। ସିଲିକନ୍‌ ବଦଳରେ ଗୀତାରେ ଏକ ନୂଆ ପରୀକ୍ଷା କେନ୍ଦ୍ର ହୋଇଛି। ଯେଉଁ ପରୀକ୍ଷାର୍ଥୀମାନଙ୍କ ପରୀକ୍ଷା କେନ୍ଦ୍ର ସିଲିକନ୍‌ ଥିଲା, ସେମାନେ ଏବେ ଗୀତାରେ ପରୀକ୍ଷା ଦେବେ। ଏହି ପରିବର୍ତ୍ତିତ ସମସ୍ତ ତଥ୍ୟ ଓପିଏସ୍‌ସି ଓ୍ବେବ୍‌ସାଇଟ୍‌ www.opsc.nic.inରେ ଉପଲବ୍ଧ ରହିଛି।

Share