Categories: ଜାତୀୟ

ଭାଜପାଠାରୁ ମେୟର ଆସନ ଛଡାଇ ଆଣିଲା ଏଏପି

ଭୋପାଳ,୧୭।୭: ମଧ୍ୟମପ୍ରଦେଶର ସିଙ୍ଗରୌଲି ନଗର ନିଗମ ନିର୍ବାଚନରେ ଆମ୍‌ ଆଦମୀ ପାର୍ଟି(ଏଏପି) ଏକ ଅପ୍ରତ୍ୟାଶିତ ବିଜୟ ହାସଲ କରିଛି। ଏଠାରେ ଏଏପି ପ୍ରାର୍ଥୀ ରାଣୀ ଅଗ୍ରଓ୍ବାଲ ଭାଜପାର ଚନ୍ଦ୍ର ପ୍ରତାପ ବିଶ୍ୱକର୍ମାଙ୍କୁ ୯୩୫୨ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଏହି ଆସନ ପୂର୍ବରୁ ଭାଜପା ହାତରେ ଥିଲା। ଏଏପି ଭାଜପା ଗଡରେ ଜିତି ଏକ ବଡ଼ ଉପଲବ୍ଧି ହାସଲ କରିଛି। ଏନେଇ ଏଏପି ସଭାପତି ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍‌ ରାଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶର ଜନତା ଆମ୍‌ ଆଦମୀ ପାର୍ଟିର କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ୧୬ଟି ନଗର ପାଳିକା ନିଗମ ସହ ୪୧୩ଟି ମ୍ୟୁନିସିପାଲିଟିରେ ଭୋଟ ହୋଇ ଥିଲା । ଦୁଇଟି ଫେଜ୍‌ରେ ଯଥାକ୍ରମେ ୯୯ ନଗରପାଳିକା ପରିଷଦ ଏବଂ ୨୯୮ ନଗର ପରିଷଦ ପାଇଁ ଜୁଲାଇ ୬ ଓ ଜୁଲାଇ ୧୩ରେ ନିର୍ବାଚନ ହୋଇଥିଲା।

Share