ଭ୍ୟାଲେଣ୍ଟାଇନ୍‌ ସପ୍ତାହରେ ଅନୁଭବ-ବର୍ଷାଙ୍କ ଛାଡ଼ପତ୍ର; କହିଲେ-‘ଏବେ ଖୁସି ଲାଗି ପ୍ରାର୍ଥନା କରନ୍ତୁ’

ଭୁବନେଶ୍ୱର,୮।୨: ଭ୍ୟାଲେଣ୍ଟାଇନ୍‌ ସପ୍ତାହରେ ଅଲଗା ହୋଇଛନ୍ତି ଓଲିଉଡ୍‌ର ହିଟ୍‌ ଯୋଡ଼ି ଅନୁଭବ-ବର୍ଷା। ଗତ କିଛି ଦିନ ଧରି ସାରା ରାଜ୍ୟରେ ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ବିବାହ ବିଚ୍ଛେଦ ମାମଲା ଚର୍ଚ୍ଚାରେ ରହିଥିଲା। ଏବେ ଏହାକୁ ନେଇ ବଡ଼ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ଅନୁଭବ ବୁଧବାର ରାତିରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ନିଜ ବିବାହ ବିଚ୍ଛେଦ ସମ୍ପର୍କରେ ସୂଚନା ଦେଇଛନ୍ତି।

ଅନୁଭବ ଲେଖିଛନ୍ତି ଯେ ବିବାହର ଦଶ ବର୍ଷ ପୂର୍ତ୍ତି ପୂର୍ବରୁ ତାଙ୍କର ଛାଡ଼ପତ୍ର ହୋଇଛି। ଏନେଇ ଏକ କୋର୍ଟ ନିର୍ଦ୍ଦେଶର ଫଟୋ କପିକୁ ବି ସେ ପୋଷ୍ଟରେ ଆଟାଚ କରିଛନ୍ତି। ଗତ ୧୦ ବର୍ଷ ଧରି ହୃଦୟହୀନ/ଅର୍ଥହୀନ/ମୂଲ୍ୟହୀନ/ଯନ୍ତ୍ରଣାଦାୟକ ଏବଂ ସର୍ବୋପରୀ ମିଛ ବିବାହ ବନ୍ଧନରେ ଆବଦ୍ଧ ଥିଲି। ଏବେ ଖୁସି ପାଇଁ ପ୍ରାର୍ଥନା କରନ୍ତୁ ବୋଲି ସେ ଲେଖିଛନ୍ତି।

ଗୁରୁବାର ଅର୍ଥାତ ୮ ଫେବୃଆରୀରେ ଅନୁଭବ ଓ ବର୍ଷାଙ୍କ ବିବାହର ୧୦ ବର୍ଷ ପୂର୍ତ୍ତି ହୋଇଥାନ୍ତା। କିନ୍ତୁ ଏହାର ଠିକ ଗୋଟିଏ ଦିନ ପୂର୍ବରୁ ବିବାହ ବିଚ୍ଛେଦ ସମ୍ପର୍କରେ ଅନୁଭବ ସୂଚନା ଦେଇଛନ୍ତି। ତେବେ ଏହି ଘଟଣାକୁ ନେଇ ବର୍ଷାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Share