Categories: ଜାତୀୟ

ଏତେ ବୋଝ ଆପଣଙ୍କ ଉପରେ ପକାଇବା ଉଚିତ ନୁହେଁ…ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଏମିତି କାହିଁକି କହିଲେ ଓଓ୍ବାଇସି?

ନୂଆଦିଲ୍ଲୀ,୨୬।୬: ୧୮ତମ ଲୋକସଭାର ପ୍ରଥମ ଅଧିବେଶନର ତୃତୀୟ ଦିନ ନୂଆ ବାଚସ୍ପତି ନିର୍ବାଚନ ହୋଇଛି। ଏନ୍‌ଡିଏ ପ୍ରାର୍ଥୀ ଓମ୍‌ ବିର୍ଲା ପୁଣିଥରେ ଲୋକ ସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହାପରେ ସମସ୍ତ ଦଳର ନେତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏସବୁ ମଧ୍ୟରେ ହାଇଦ୍ରାବାଦରୁ ଲୋକ ସଭା ଏମ୍‌ପି ଅସଦୁଦ୍ଦିନ ଓଓ୍ବାଇସି ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସେ କହିଥିଲେ ଯେ ସଂସଦର ନେତାମାନେ ଆପଣଙ୍କୁ ଦ୍ୱିତୀୟ ଥର ପାଇଁ ବାଚସ୍ପତି ହେବା ଦେଖି ଗର୍ବ ଅନୁଭବ କରୁଛନ୍ତି। ହେଲେ ବାସ୍ତବତା ହେଉଛି ଯେ ଶାସକ ଦଳ ପାଖରେ ଅଙ୍କ ରହିଥିଲେ ହେଁ ଜନସାଧାରଣଙ୍କ ବଳ ନାହିଁ। ଅପରପକ୍ଷେ ବିରୋଧୀ ଦଳ ନିକଟରେ ଜନତାଙ୍କ ସ୍ବର ରହିଛି।

ଏଆଇଏମ୍‌ଆଇଏମ୍‌ ଏମ୍‌ପି ଅସଦୁଦ୍ଦିନ ଓଓ୍ବାଇସି ଲୋକ ସଭା ଅଧ୍ୟକ୍ଷଙ୍କୁ ଅନୁରୋଧ କରି ଛୋଟ ଦଳଗୁଡ଼ିକୁ ସଂସଦରେ କହିବାର ସୁଯୋଗ ଦେବାକୁ କହିଛନ୍ତି। ଗତ ଲୋକ ସଭାର ଉଦାହରଣ ଦେଇ କହିଛନ୍ତି ଯେ ଯେଉଁଭଳି ଭାବେ ୧୭ତମ ଲୋକ ସଭାରେ ତାଙ୍କୁ ନିଜର ପକ୍ଷ ରଖିବାକୁ ସୁଯୋଗ ଦିଆଯାଉଥିଲା, ସେହିଭଳି ୧୮ତମ ଲୋକ ସଭାରେ ଛୋଟ ଦଳଗୁଡ଼ିକୁ ସଂସଦରେ ନିଜ କଥା କହିବାକୁ ସୁଯୋଗ ଦିଆଯାଉ। ସେ ଯେଉଁ ସମୁଦାୟରୁ ଆସନ୍ତି, ସଂସଦରେ କେବଳ ୪% ରହିଛନ୍ତି। ଏଣୁ ତାଙ୍କୁ କହିବାକୁ ସୁଯୋଗ ଦିଆଯାଉ।

ଏହାଛଡ଼ା ଓଓ୍ବାଇସି କହିଛନ୍ତି, ଏହି ସରକାର ଉପବାଚସ୍ପତି କରି ତାଙ୍କ ବୋଝ କମ କରିବ। ବାଚସ୍ପତିଙ୍କ ଉପରେ ଏତେ ବୋଝ ଲଦିବା ବି ଠିକ୍‌ ନୁହେଁ। ଏବେ ଏହି ଗୃହର ଚରିତ୍ର ବଦଳି ଯାଇଛି। ଭାଜପା କୌଣସି ପ୍ରସଙ୍ଗକୁ ନେଇ ଜବରସସ୍ତି କରିପାରିବ ନାହିଁ।

Share