ଲୋକ ସଭାରେ ଭର୍ତ୍ତୃହରୀଙ୍କ ନିଯୁକ୍ତିକୁ ବିରୋଧ କରୁଛି କଂଗ୍ରେସ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୧।୬: କେନ୍ଦ୍ରରେ ନୂଆ ସରକାର ଗଠନ ପରେ ସୋମବାରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ତୃତୀୟ ସରକାରଙ୍କ ପ୍ରଥମ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନରେ ବରିଷ୍ଠ ଏମ୍‌ପି ଭର୍ତ୍ତୃହରୀ ମହତାବଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତ କରାଯାଇଛି। ୧୮ତମ ଲୋକ ସଭାର ନବନିର୍ବଚିତ ସଦସ୍ୟମାନଙ୍କୁ ସେ ଶପଥ ଗ୍ରହଣ କରାଇବେ। ସମ୍ବିଧାନର ଅନୁଚ୍ଛେଦ ୯୫(୧) ଅନୁଯାୟୀ କାମଚଳା ବାଚସ୍ପତି ଭାବେ ତାଙ୍କୁ ନିଯୁକ୍ତି ମିଳିଛି। ତେବେ ଭର୍ତ୍ତୃହରୀଙ୍କର ସହାୟତା କଂଗ୍ରେସ ନେତା ସୁରେଶ କୋଡିକୁନ୍ନିଲ, ଡିଏମ୍‌କେ ନେତା ଥାଲିକୋଟ୍ଟଇ ରାଜୁଥେବର ବାଲୁ, ଭାଜପା ଏମ୍‌ପି ରାଧାମୋହନ ସିଂ, ଫଗ୍ଗନ କୁଲସ୍ତେ ଏବଂ ଟିଏମ୍‌ସି ନେତା ସୁଦୀପ ବନ୍ଦୋପାଧ୍ୟାୟ ପ୍ରମୁଖଙ୍କ ଏକ ପ୍ୟାନେଲ କରିବେ ବୋଲି କୁହାଯାଇଛି। ନୂଆ ବାଚସ୍ପତି ନିଯୁକ୍ତ ହେବା ଯାଏ ଏହା ପ୍ରଭାବୀ ରହିବ।

କଟକର ନବନିର୍ବାଚିତ ଏମ୍‌ପି ଭର୍ତ୍ତୃହରୀ ଲୋକ ସଭାରେ ବରିଷ୍ଠ ରାଜନେତାଙ୍କ ମଧ୍ୟରୁ ଜଣେ ହୋଇଥିଲେ ହେଁ କଂଗ୍ରେସ ତାଙ୍କ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଛି। କଂଗ୍ରେସ ମହାସଚିବ କେ ସି ବେଣୁଗୋପାଳ କହିଛନ୍ତି ଯେ ଭାଜପା ପକ୍ଷରୁ ସଂସଦୀୟ ମାନଦଣ୍ଡକୁ ନଷ୍ଟ କରିବା ଲାଗି ଆଉ ଏକ ପ୍ରୟାସ କରାଯାଇଛି। କାରଣ ଭର୍ତ୍ତୃହରୀଙ୍କୁ କୋଡିକୁନ୍ନିଲ ସୁରେଶଙ୍କ ସ୍ଥାନରେ କାମଚଳା ବାଚସ୍ପତି ନିଯୁକ୍ତ କରାଯାଇଛି। ସୁରେଶ ଜଣେ ଏମ୍‌ପି ଭାବେ ୮ମ ଥର ପାଇଁ ନିଜର କାର୍ଯ୍ୟକାଳ ଆରମ୍ଭ କରିବାକୁ ଯାଉଛନ୍ତି। ମାନଦଣ୍ଡ ଅନୁଯାୟୀ ବିଧିବଦ୍ଧ ଭାବେ ବାଚସ୍ପତି ନିଯୁକ୍ତ ହେବା ଯାଏ ସବୁଠାରୁ ବରିଷ୍ଠ ସଦସ୍ୟଙ୍କୁ ଗୃହର କାମଚଳା ବାଚସ୍ପତି କରାଯାଇଥାଏ। ଏହା ଆମ ଦଳ ପାଇଁ ଗର୍ବର କଥା ଯେ ସୁରେଶ ୮ଥର ଏମ୍‌ପି ହେବାର ଉପଲବ୍ଧି ହାସଲ କରିଛନ୍ତି। ସେହିଭଳି ଜୟରାମ ରମେଶ କହିଛନ୍ତି ଯେ ସୁରେଶଙ୍କୁ କାମଚଳା ବାଚସ୍ପତି ନିୟୋଜିତ କରାଯିବା ଉଚିତ ଥିଲା। କାରଣ ସେ ୮ଥରର ଏମ୍‌ପି, ମହତାବ ହେଉଛନ୍ତି ୭ଥରର। ସରକାରଙ୍କୁ ସୁରେଶଙ୍କୁ ଅଣଦେଖା କରିବା ପଛର କାରଣ କ’ଣ ଥିଲା ଏବଂ କେଉଁଥିଲାଗି ତାଙ୍କୁ ପଦ ଲାଗି ଅଯୋଗ୍ୟ ଭାବିନିଆଗଲା ସେନେଇ ସରକାର ପ୍ରତିକ୍ରିୟା ଦେବା ଉଚିତ। ବୋଧହୁଏ ଏଭଳି ନିର୍ଣ୍ଣୟକୁ ପ୍ରଭାବିତ କରିବା ପଛରେ କିଛି ଗଭୀର ପ୍ରସଙ୍ଗ ରହିଛି, ଯାହାକି ଯୋଗ୍ୟତା ଏବଂ ବରିଷ୍ଠତାର ଉର୍ଦ୍ଧ୍ୱରେ ବୋଲି ସେ କଟାକ୍ଷ କରିଛନ୍ତି।

୧୮ତମ ଲୋକ ସଭାରେ ସବୁଠାରୁ ବରିଷ୍ଠ ଏମ୍‌ପି ସୁରେଶ ଏବଂ ବିରେନ୍ଦ୍ର କୁମାର ଅଟନ୍ତି। ଉଭୟ ୮ମ ଥର ପାଇଁ ନିର୍ବାଚିତ ହୋଇଛନ୍ତି। କୁମାର ଏବେ କେନ୍ଦ୍ର ମନ୍ତ୍ରୀ ଅଛନ୍ତି। ଏଥିଲାଗି ନିୟମାନୁଯାୟୀ ସୁରେଶଙ୍କୁ ଅସ୍ଥାୟୀ ବାଚସ୍ପତି କରାଯାଇପାରେ ବୋଲି ଆଶା କରାଯାଉଥିଲା। ହେଲେ ଭର୍ତ୍ତୃହରୀଙ୍କୁ ତାଙ୍କ ବଦଳରେ ନିଯୁକ୍ତ କରାଯିବା ପରେ କଂଗ୍ରେସ ପକ୍ଷରୁ ବିରୋଧ କରାଯାଉଛି।

Share