ନୂଆଦିଲ୍ଲୀ,୭।୨ : ସତୀ ପ୍ରଥାର ଗୁଣଗାନ କରି ଭାଜପା ଏମ୍ପି ଚନ୍ଦ୍ର ପ୍ରକାଶ ଯୋଶୀ ଅଡୁଆରେ ପଡ଼ିଛନ୍ତି। ଏନେଇ ବିରୋଧୀ ଦଳ ନେତା ଶାସକ ଦଳକୁ ଟାର୍ଗେଟ କରିଛନ୍ତି। ଲୋକ ସଭାରେ ବିରୋଧୀଦଳ ନେତାମାନେ ମଙ୍ଗଳବାର ବେଲରେ ବିକ୍ଷୋଭ ପ୍ରଦର୍ଶନ କରି ଦାବି କରିଛନ୍ତି ଯେ ଭାଜପା ଏମ୍ପି ଚନ୍ଦ୍ର ପ୍ରକାଶ ଯୋଶୀ ’ସତୀ’ ପ୍ରଥାକୁ ଗୌରବାନ୍ବିତ କରି ଗୁଣଗାନ କରିଛନ୍ତି। ଜୋରଦାର ବିରୋଧ ଏବଂ ପ୍ରବଳ ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ରେକର୍ଡ ଯାଞ୍ଚ କରିବା ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଗୃହକୁ ସ୍ଥଗିତ ରଖିଥିଲେ । ଯୋଶୀ ରାଜସ୍ଥାନର ଚିତ୍ତୋରଗଡର ଏମ୍ପି।
ଲୋକ ସଭା ବିରୋଧୀ ଦଳଙ୍କ ପାଟିତୁଣ୍ଡ ମଧ୍ୟରେ ଅପରାହ୍ନ ୧ଟା ୬ରେ ଆରମ୍ଭ ହୋଇଥିଲା। ବିରୋଧୀ ଏମ୍ପିମାନେ ଶାସକ ଦଳ ଆଡ଼କୁ ଦୌଡ଼ି ଆସି ଦାବି କରିଥିଲେ ଯେ ଯୋଶୀ ସତୀ ପ୍ରଥାକୁ ସମର୍ଥନ କରି ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ଫଳରେ ହଟ୍ଟଗୋଳ ଯୋଗୁ ଗୃହର ପ୍ରକ୍ରିୟା ଅପରାହ୍ନ ୧ଟା ୩୦ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।