Categories: ଜାତୀୟ

ଉତ୍ତରାଖଣ୍ଡ ବସ ଦୁର୍ଘଟଣା: ମୃତକଙ୍କ ପରିବାରକୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଦେବେ ୫ ଲକ୍ଷ ଲେଖାଏଁ ସହାୟତା

ଡେରାଡୁନ,୬ ।୬: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଯମୁନେତ୍ରୀ ଜାତୀୟ ରାଜପଥରେ ରିଖାଉ ଖଡ୍ଡେ ନିକଟରେ ହୋଇଥିବା ବସ୍ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରବିବାର ଏକ ଯାତ୍ରୀବାହୀ ବସ ଖାଲ ମଧ୍ୟକୁ ଖସିପଡିବା ଫଳରେ ଏହି ଦୁର୍ଘଟଣା ଘଟିଛି । ବସଟି ନିୟନ୍ତ୍ରଣ ହରାଇ ଖାଲ ମଧ୍ୟକୁ ଖସି ପଡିଥିବା କୁହାଯାଉଛି । ତେବେ ଖବର ପାଇଁ ତୁରନ୍ତ ଘଟଣାସ୍ଥଳରେ ପୋଲିସ ଓ ଏନଡିଆରଏଫ ଟିମ ପହଞ୍ଚିବା ସହ ମୃତାହତଙ୍କୁ ଉଦ୍ଧାର କରିଥିଲେ । ଏହି ଘଟଣା ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ବିପର୍ଯ୍ୟୟ ନିୟନ୍ତ୍ରଣ କକ୍ଷରେ ପହଞ୍ଚିଥିଲେ ।
ଏହାପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଡେରାଡୁନ ପହଞ୍ଚିଥିଲେ । ସେଠାରେ ପହଞ୍ଚିବା ପରେ ଶିବରାଜ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିଜନଙ୍କୁ ୫-୫ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦-୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ । ଶିବରାଜ କହିଥିଲେ ମୁଁ ଡେରାଡୁନର ବିପର୍ଯ୍ୟୟ ନିୟନ୍ତ୍ରଣ କକ୍ଷରେ ରହିଛି । ଏଠାରୁ ବସ ଦୁର୍ଘଟଣା ସମ୍ପର୍କରେ ସମସ୍ତ ସୂଚନା ମିଳିଛି । ଘଟଣାସ୍ଥଳରେ ଡିଏମ, ଏସପି, ଡିଆଇଜି, ଏନଡିଆରଏଫ୍ ଓ ଏସଡିଆରଏଫ ଟିମ ରହିଛନ୍ତି । ୨ ଜଣଙ୍କର ଏବେ ପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳି ନ ଥିବା ବେଳେ ୩ ଆହତ ମାକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସୋମବାର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କରିବେ ଶିବରାଜ ।

Share