Categories: ଜାତୀୟ

୧୪ଦିନ ପାଇଁ ଜେଲ୍‌ ଗଲେ ନବନୀତ, ରବି

ମୁମ୍ବାଇ,୨୪।୪: ମୁମ୍ବାଇରେ ହନୁମାନ ଚାଳିଶା ପାଠକୁ ନେଇ ବିବାଦ ଲାଗି ରହିଛି। ଏହି ମାମଲାରେ ଏମ୍‌ପି ନବନୀତ ରାଣା ଓ ବିଧାୟକ ସ୍ବାମୀ ରବି ରାଣାଙ୍କୁ ରବିବାର ବାନ୍ଦ୍ରା ସ୍ଥିତ ଏକ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଏହି ମାମଲାର ଶୁଣାଣି କରି ସେମାନଙ୍କୁ ୧୪ଦିନ ପାଇଁ ଜେଲ୍‌କୁ ପଠାଇଦେଇଛନ୍ତି। ଅର୍ଥାତ୍‌ ନବନୀତ ଓ ରବି ମେ’ ୬ ପର୍ଯ୍ୟନ୍ତ ଜେଲ୍‌ରେ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ସେମାନଙ୍କୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା। ହେଲେ କୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି। ସୂଚନା ମୁତାବକ, ନବନୀତ ରାଣା ଓ ରବି ରାଣା ଶନିବାର ସକାଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀ ବାହାରେ ହନୁମାନ ଚାଳିଶା ପାଠ କରିବାକୁ ଧମକ ଦେଇଥିଲେ। ଏହାପୂର୍ବରୁ ଶିବସେନା କର୍ମୀ ନବନୀତଙ୍କ ଘରେ ସମ୍ମୁଖରେ ପ୍ରଦର୍ଶନ କରିଥିଲେ। ଫଳରେ ନବନୀତ ଓ ରବି ଘରୁ ବାହାରକୁ ବାହାରିପାରି ନ ଥିଲେ। ଏହାପରେ ଶନିବାର ସନ୍ଧ୍ୟାରେ ପୋଲିସ ସେମାନଙ୍କୁ ଗିରଫ କରିଥିଲା।

Share